ନାଲି ଆଖି ପରେ କୋଭିସିଲ୍ଡକୁ ମଞ୍ଜୁରୀ ଦେଲା, ତଥାପି କେଁ ରଖିଲା ବ୍ରିଟେନ

ନୂଆଦିଲ୍ଲୀ: ଭାରତରେ ବ୍ୟବହୃତ କୋଭିସିଲ୍ଡକୁ ଶେଷରେ ମାନ୍ୟତା ଦେଇଛି ବ୍ରିଟେନ। ଏଥିସହ ପୂର୍ବରୁ ନିଜ ଦେଶରେ ପ୍ରବେଶ ଓ କ୍ୱାରେଣ୍ଟାଇନ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। କିଛି ଦିନ ତଳେ ବ୍ରିଟେନ କୋଭିସିଲ୍ଡକୁ ଟିକା ଭାବେ ଗ୍ରହଣ କରି ନଥିଲା। ଏଥିସହ କୋଭିସିଲ୍ଡ ନେଇ ବ୍ରିଟେନ ଯାଉଥିବା ଭାରତୀୟଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ବୋଲି କହିଥିଲା। ଏହାକୁ ନେଇ ଭାରତ ସରକାର ତୀବ୍ର ପ୍ରତିବାଦ କରିଥିଲେ। ଏଥିସହ ବ୍ରିଟେନବାସୀ ଭାରତ ଆସିଲେ ସମାନ ନୀତି […]

uk

Hemant Lenka
  • Published: Wednesday, 22 September 2021
  • , Updated: 22 September 2021, 01:45 PM IST

ନୂଆଦିଲ୍ଲୀ: ଭାରତରେ ବ୍ୟବହୃତ କୋଭିସିଲ୍ଡକୁ ଶେଷରେ ମାନ୍ୟତା ଦେଇଛି ବ୍ରିଟେନ। ଏଥିସହ ପୂର୍ବରୁ ନିଜ ଦେଶରେ ପ୍ରବେଶ ଓ କ୍ୱାରେଣ୍ଟାଇନ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। କିଛି ଦିନ ତଳେ ବ୍ରିଟେନ କୋଭିସିଲ୍ଡକୁ ଟିକା ଭାବେ ଗ୍ରହଣ କରି ନଥିଲା। ଏଥିସହ କୋଭିସିଲ୍ଡ ନେଇ ବ୍ରିଟେନ ଯାଉଥିବା ଭାରତୀୟଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ବୋଲି କହିଥିଲା।

ଏହାକୁ ନେଇ ଭାରତ ସରକାର ତୀବ୍ର ପ୍ରତିବାଦ କରିଥିଲେ। ଏଥିସହ ବ୍ରିଟେନବାସୀ ଭାରତ ଆସିଲେ ସମାନ ନୀତି ଗ୍ରହଣ କରାଯିବ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚେତାବନୀ ଦେଇଥିଲେ। କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ କୋଭିସିଲ୍ଡକୁ ନେଇ ଦୋମୁହାଁ ନୀତି ଆପଣାଉଥିବା କହିଥିଲେ।

ଭାରତରେ ବ୍ରିଟେନ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଆଜି ୟୁକେ ସରକାର କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛନ୍ତି। ଏହାର ଅର୍ଥ କୋଭିସିଲ୍ଡ ଟିକା ନେଇଥିବା ଲୋକମାନେ ବ୍ରିଟେନ ଯାଇପାରିବେ। କୋଭିସିଲ୍ଡ ଟିକାକୁ ଅନୁମତି ଦେଇଥିଲେ ମଧ୍ୟ ଟିକା ପ୍ରମାଣପତ୍ରକୁ ନେଇ ନୂଆ ଭେଳିକି ଦେଖାଇଛି ବ୍ରିଟେନ।

ଭାରତରେ ଟିକା ପାଇଁ ଦିଆଯାଉଥିବା ପ୍ରମାଣପତ୍ର ସନ୍ଦେହ ଜନକ ଥିବାରୁ ଭାରତୀୟଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ବ୍ରିଟେନ ସରକାର କହିଛନ୍ତି।

ବ୍ରିଟେନ ତା’ର ସଂଶୋଧିତ ଗାଇଡଲାଇନରେ କହିଛି ଯେ ଅକ୍ଟୋବର ୪ରୁ ୟୁକେ, ୟୁରୋପ, ଆମେରିକା ତଥା ଆଉ କିଛି ଦେଶ ଦ୍ୱାରା ମାନ୍ୟତା ପ୍ରାପ୍ତ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକଙ୍କୁ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ। ପୂର୍ବରୁ କିଛି ଟିକାକୁ ଅନୁମୋଦନ ମିଳିଥିବା ଏବେ ଆଉ କିଛି ଟିକାକୁ ସ୍ୱୀକୃତିପ୍ରାପ୍ତ ତାଲିକାରେ ସାମିଲ କରାଯାଉଛି। ସେଗୁଡ଼ିକ ହେଲା ଆଷ୍ଟ୍ରାଜେନେକା କୋଭିସିଲ୍ଡ, ଆଷ୍ଟ୍ରାଜେନାକା ଭାକ୍ସଜେଭରିଆ ଓ ମଡର୍ଣ୍ଣା ଟାକେଟା। ଏହି ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିଲେ ମଧ୍ୟ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ।

ବ୍ରିଟେନ କୋଭିସଲ୍ଡକୁ ମାନ୍ୟତା ଦେଇଥିଲେ ମଧ୍ୟ ଗାଇଡଲାଇନରେ କହିଛି ଯେ କୋଭିସିଲ୍ଡର ଦୁଇଟି ଯାକ ଡୋଜ୍ ନେଇଥିଲେ ବି ଭାରତୀୟଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। କୋଭିସିଲ୍ଡକୁ ନେଇ ଆମର କୌଣସି ଅସୁବିଧା ନାହିଁ। କିନ୍ତୁ ଭାରତରେ ଦିଆଯାଉଥିବା ଟିକା ପ୍ରମାଣପତ୍ରକୁ ନେଇ ସନ୍ଦେହ ରହିଛି। ଆମେ ଭାରତ ସରକାରଙ୍କ ସହ ଟିକା ପ୍ରମାଣପତ୍ରରର ମାନ୍ୟତାର ପରିଧି ବୃଦ୍ଧି କରିବାକୁ କାର୍ଯ୍ୟ କରୁଛୁ ବୋଲି ବ୍ରିଟେନ ସରକାର କହିଛନ୍ତି।

ଭାରତରେ କୋଭିସିଲ୍ଡର ଉତ୍ପାଦନ କରୁଥିବା ସେରମ ମୁଖ୍ୟ ଅଦର ପୁନାୱାଲା କହିଛନ୍ତି, ବ୍ରିଟେନ ସରକାର କୋଭିସିଲ୍ଡକୁ ମାନ୍ୟତା ଦେଇଛନ୍ତି। ଏହା ଖୁସିର ବିଷୟ। କିନ୍ତୁ ପୂର୍ବ ଭଳି କ୍ୱାରେଣ୍ଟାଇନ ନିୟମ ବଦଳି ନାହିଁ। ତେଣୁ ଏହି ସମସ୍ୟାରେ ତୁରନ୍ତ ସମାଧାନ ହେବା ଦରକାର।

Related story