ଆଶିଷ ମିଶ୍ରାଙ୍କ ଜାମିନକୁ ୟୁପି ସରକାରଙ୍କ ସମର୍ଥନ

ନୂଆଦିଲ୍ଲୀ: ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ଅଭିଯୋଗରେ ଫସିଥିବା ଆଶିଷ ମିଶ୍ରାଙ୍କ ସପକ୍ଷରେ ବାହାରିଛନ୍ତି ଉତ୍ତର ପ୍ରଦେଶ(ୟୁପି) ସରକାର। ଆଶିଷ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ। ଆଶିଷଙ୍କୁ ମିଳିଥିବା ଜାମିନକୁ ଚ୍ୟାଲେଞ୍ଜ କରି ଚାଷୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଆଜି ୟୁପି ସରକାର ତାଙ୍କ ଜାମିନକୁ ସୁପ୍ରିମକୋର୍ଟରେ ସମର୍ଥନ କରିଛନ୍ତି। ଶୁଣାଣି ବେଳେ ସରକାର ସ୍ୱୀକାର କରିଛନ୍ତି ଯେ ଆଶିଷ ମିଶ୍ରା ଅତ୍ୟନ୍ତ ଗୁରୁତର ମାମଲାର ଅଭିଯୁକ୍ତ। କିନ୍ତୁ ସେ ଦେଶ […]

ashish

Hemant Lenka
  • Published: Monday, 04 April 2022
  • , Updated: 04 April 2022, 02:01 PM IST

ନୂଆଦିଲ୍ଲୀ: ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ଅଭିଯୋଗରେ ଫସିଥିବା ଆଶିଷ ମିଶ୍ରାଙ୍କ ସପକ୍ଷରେ ବାହାରିଛନ୍ତି ଉତ୍ତର ପ୍ରଦେଶ(ୟୁପି) ସରକାର। ଆଶିଷ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ। ଆଶିଷଙ୍କୁ ମିଳିଥିବା ଜାମିନକୁ ଚ୍ୟାଲେଞ୍ଜ କରି ଚାଷୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତେବେ ଆଜି ୟୁପି ସରକାର ତାଙ୍କ ଜାମିନକୁ ସୁପ୍ରିମକୋର୍ଟରେ ସମର୍ଥନ କରିଛନ୍ତି। ଶୁଣାଣି ବେଳେ ସରକାର ସ୍ୱୀକାର କରିଛନ୍ତି ଯେ ଆଶିଷ ମିଶ୍ରା ଅତ୍ୟନ୍ତ ଗୁରୁତର ମାମଲାର ଅଭିଯୁକ୍ତ। କିନ୍ତୁ ସେ ଦେଶ ଛାଡ଼ି ଫେରାର ଆଶଙ୍କା ନଥିବାରୁ ତାଙ୍କୁ ଜାମିନ ମିଳିବାରେ କୌଣସି ଅସୁବିଧା ନାହିଁବୋଲି ୟୁପି ସରକାର ଯୁକ୍ତି ଉପସ୍ଥାପନ କରିଛନ୍ତି।

ୟୁପି ସରକାରଙ୍କ ଓକିଲ ମହେଶ ଜେଠମାଲାନି ସୁପ୍ରିମକୋର୍ଟଙ୍କୁ କହିଛନ୍ତି, “ଲଖିମପୁର ଖେରିରେ ଅତ୍ୟନ୍ତ ଗମ୍ଭୀର ମାମଲା ଘଟିଥିଲା। ଘଟଣାର ସମସ୍ତ ସାକ୍ଷୀକୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ତେଣୁ ଟାମ୍ପରିଂର ସୁଯୋଗ ନାହିଁ। ଅଭିଯୁକ୍ତ ଆଶିଷ ମିଶ୍ରା କୌଣସି ନିୟମିତ ଅପରାଧୀ ନୁହନ୍ତି। ଯଦି ସେ ନିୟମିତ ଅପରାଧୀ ହୋଇଥାଆନ୍ତେ, ତା’ହେଲେ ତାଙ୍କୁ ଜାମିନ ମିଳିବା କଥା ନୁହେଁ। ଯଦି ସୁପ୍ରିମକୋର୍ଟ ତାଙ୍କ ଜାମିନକୁ ଖାରଜ କରନ୍ତି, ତା’ହେଲେ ଅନ୍ୟ କୌଣସି କୋର୍ଟ ଏହି ପ୍ରସଙ୍ଗକୁ ସ୍ପର୍ଶ ମଧ୍ୟ କରିବେ ନାହିଁ।”

ଏହାପରେ ସୁପ୍ରିମକୋର୍ଟ ଆଶିଷ ମିଶ୍ରଙ୍କ ଜାମିନ ବିରୋଧୀ ଆବେଦନରେ ରାୟ ସଂରକ୍ଷିତ ରଖିଛନ୍ତି। ଫେବୃଆରୀ ୧୦ରେ ଆହ୍ଲାବାଦ ହାଇକୋର୍ଟ ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହା ବିରୋଧରେ ଚାଷୀଙ୍କ ପରିବାର ଲୋକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଗତବର୍ଷ ଅକ୍ଟୋବର ୩ରେ ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ଚାଷୀଙ୍କ ଉପରେ ମଡ଼ାଇ ଦିଆଯାଇଥିବା ଗାଡ଼ି ଆଶିଷ ଚଳାଉଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ସେ ଗିରଫ ମଧ୍ୟ ହୋଇଥିଲେ। କିନ୍ତୁ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ଦେବାରୁ ମୃତ ଚାଷୀଙ୍କ ପରିବାର ସୁପ୍ରିମକୋର୍ଟରେ ଏହାକୁ ଖାରଜ ପାଇଁ ନିବେଦନ କରିଛନ୍ତି।

ଆଜି ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି, “ଆମେ ଆପଣଙ୍କୁ(ୟୁପି ସରକାର) ଜାମିନ ବିରୋଧରେ ଆବେଦନ କରିବାକୁ ବାଧ୍ୟ କରୁନାହିଁ। ଆମେ କେବଳ ଆପଣ ଆଭିମୁଖ୍ୟ କ’ଣ, ସେକଥା ଜାଣିବାକୁ ଚାହୁଁଛୁ।” ଏହାର ଜବାବରେ ୟୁପି ସରକାରଙ୍କ ଓକିଲ ଜେଠମାଲାନି କହିଛନ୍ତି, “ଅପରାଧ ଅତ୍ୟ ଗମ୍ଭୀର। ଘଟଣା ଜାଣିଶୁଣି କିମ୍ବା ଅଜାଣତରେ ଘଟିଛି, ତା’ହାର ବିଚାର ବର୍ତ୍ତମାନ ପ୍ରାଥମ ପର୍ଯ୍ୟାୟରେ ରହିଛି।

ହାଇକୋର୍ଟରେ ଆମେ ଜାମିନକୁ ବିରୋଧ କରିଥିଲୁ। ଆମ ଯୁକ୍ତି ସତ୍ତ୍ୱେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଲୋକମାନଙ୍କର ମୃତ୍ୟୁ ଗାଡ଼ି ମାଡ଼ି ଯିବା ଯୋଗୁ ହୋଇଛି। ବୁଲେଟ ମାଡ଼ର କୌଣସି ଚିହ୍ନ ନାହିଁ। ଅଭିଯୁକ୍ତଙ୍କ ଉଦ୍ଦେଶ୍ୟ ମାମଲାର ଶୁଣାଣି ପରେ ହିଁ ଜଣାପଡ଼ିବ।”

Related story