ସରକାରଙ୍କ ନିର୍ଦ୍ଦେଶ ପାଳନ ନ କରିବାରୁ ବିଦା ହେଲେ ପୁଲିସ୍‌ ମୁଖ୍ୟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କ୍ଷମତାସୀନ ଯୋଗୀ ଆଦିତ୍ୟନାଥ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଳନ ନ କରିବା ଓ ବିଭାଗ କାର୍ଯ୍ୟ ପ୍ରତି ଆଗ୍ରହ ନ ଦେଖାଇବା ଯୋଗୁ ରାଜ୍ୟର ପୁଲିସ୍‌ ମୁଖ୍ୟ ମୁକୁଲ ଗୋଏଲଙ୍କୁ ପଦରୁ ହଟାଇ ଦିଆଯାଇଛି। ଜୁନ୍‌ ୨୦୨୧ରେ ଶ୍ରୀ ଗୋଏଲ ଉତ୍ତର ପ୍ରଦେଶର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ଆଜି ତାଙ୍କୁ ଡିଜିପି ପଦରୁ ବିଦା କରାଯାଇଛି। ଏବେ ସେ ସିଭିଲ ଡିଫେନ୍ସର ଡିଜି ଭାବେ […]

IPS

Hemant Lenka
  • Published: Wednesday, 11 May 2022
  • , Updated: 11 May 2022, 09:09 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କ୍ଷମତାସୀନ ଯୋଗୀ ଆଦିତ୍ୟନାଥ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଳନ ନ କରିବା ଓ ବିଭାଗ କାର୍ଯ୍ୟ ପ୍ରତି ଆଗ୍ରହ ନ ଦେଖାଇବା ଯୋଗୁ ରାଜ୍ୟର ପୁଲିସ୍‌ ମୁଖ୍ୟ ମୁକୁଲ ଗୋଏଲଙ୍କୁ ପଦରୁ ହଟାଇ ଦିଆଯାଇଛି। ଜୁନ୍‌ ୨୦୨୧ରେ ଶ୍ରୀ ଗୋଏଲ ଉତ୍ତର ପ୍ରଦେଶର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ଆଜି ତାଙ୍କୁ ଡିଜିପି ପଦରୁ ବିଦା କରାଯାଇଛି। ଏବେ ସେ ସିଭିଲ ଡିଫେନ୍ସର ଡିଜି ଭାବେ କାମ କରିବେ।

ସରକାର ଶ୍ରୀ ଗୋଏଲଙ୍କ ବଦଳିର କାରଣ କିଛି ବି କହି ନାହାନ୍ତି। ହେଲେ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ହିଁ ଏପରି ନିଷ୍ପତ୍ତି ନେଇଛନ୍ତି। ଗୋଏଲ ନିଜର ବିଭାଗୀୟ କାର୍ଯ୍ୟ କରିବା ପାଇଁ ଆଦୌ ଆଗ୍ରହ ଦେଖାଉ ନଥିଲେ। ଏଥିସହ ସେ ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ ମଧ୍ୟ କରୁ ନଥିଲେ। ଏଥିପାଇଁ ତାଙ୍କ ବିରୋଧରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ଗତ ମାସରେ ଯୋଗୀ ଆଦିତ୍ୟନାଥ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ହେଲେ ଏହି ବୈଠକରେ ମୁକୁଲ ଗୋଏଲ ଯୋଗ ଦେଇ ନଥିଲେ। ସେବେଠାରୁ ଗୋଏଲଙ୍କ ଉପରେ ଯୋଗୀ ଆଦିତ୍ୟନାଥ ଖପ୍ପା ହୋଇଥିବା ଖବର ପ୍ରକାଶ ପାଇବାରେ ଲାଗିଥିଲା।ଏହାବାଦ ଗତ ମାସ ଠାରୁ ମୁକୁଲ ଗୋଏଲ ଏକାଧିକ ବିଭାଗୀୟ ବୈଠକରେ ଯୋଗ ଦେଇ ନାହାନ୍ତି। ଏପରି କି ଗୃହ ବିଭାଗ ଡାକିଥିବା ବୈଠକରେ ମଧ୍ୟ ସେ ଅନୁପସ୍ଥିତ ଥିଲେ। ତାଙ୍କୁ କୌଣସି ବୈଠକକୁ ଡକା ଯାଇ ନଥିବାରୁ ସେ ଅନୁପସ୍ଥିତ ଥିବା କୁହାଯାଉଥିଲା। ହେଲେ ପୁଲିସ୍ ମୁଖ୍ୟ ଗୃହ ବିଭାଗର ବୈଠକରେ ଯୋଗ ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ମୁକୁଲ ଗୋଏଲ ଡିଜିପି ପଦରୁ ହଟିଥିବାରୁ ଆଇ ଶୃଙ୍ଖଳାର ଏଡିଜି ପ୍ରଶାନ୍ତ କୁମାର ଏହି ପଦର ଅତିରିକ୍ତ ଦାୟିତ୍ୱରେ ରହିବେ। ନୂଆ ଡିଜିପି ନିଯୁକ୍ତ ହେବା ଯାଏ ପ୍ରଶାନ୍ତ କୁମାରଙ୍କ ନିର୍ଦ୍ଦେଶରେ ପୁଲିସ୍‌ ବିଭାଗ କାମ କରିବ। ସେହିପରି ୧୯୮୮ ବ୍ୟାଚର ଆଇପିଏସ୍ ଆରକେ ବିଶ୍ୱକର୍ମା ୟୁପିର ନୂଆ ପୁଲିସ୍ ମୁଖ୍ୟ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ମୁଜାଫରନଗରରେ ରହୁଥିବା ଗୋଏଲ ଆଇଆଇଟି ଦିଲ୍ଲୀରୁ ଇଞ୍ଜିନିୟରିଂରେ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଛନ୍ତି। ସେହିପରି ସେ ରାଜ୍ୟ ପୁଲିସ୍‌ ମୁଖ୍ୟ ହେବା ପୂର୍ବରୁ ସେ ଆଜମଗଡ଼ ଏସ୍‌ପି ହୋଇଥିଲେ। ଏହାବାଦ ସେ ବାରାଣସୀ, ଗୋରଖପୁର, ଶାହାରନପୁର ଓ ମୀରଟର ଏସ୍‌ଏସ୍‌ପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Related story