ଅଙ୍କିତା ହତ୍ୟା ମାମଲା: ଫାଷ୍ଟଟ୍ରାକ କୋର୍ଟରେ ହେବ ବିଚାର, ୨୫ ଲକ୍ଷ ସହାୟତା

ଡେରାଡୁନ: ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ଘଟଣାର ଶୁଣାଣି ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ। ତୁରନ୍ତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏପରି ଘୋଷଣା କରିଛନ୍ତି। ଏଥିସହ ଅଙ୍କିତାଙ୍କ ପରିବାର ଲୋକଙ୍କ ପାଇଁ ସରକାର ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ୧୯ ବର୍ଷୀୟ ଅଙ୍କିତା ବିବାଦ ବଢ଼ିବା ଯୋଗୁ ବହିଷ୍କାର ହୋଇଥିବା ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ରିସର୍ଟରେ ରିସେପ୍ସନିଷ୍ଟ ଭାବେ କାମ […]

BJP

  • Published: Wednesday, 28 September 2022
  • , Updated: 28 September 2022, 02:21 PM IST

ଡେରାଡୁନ: ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ଘଟଣାର ଶୁଣାଣି ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ। ତୁରନ୍ତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏପରି ଘୋଷଣା କରିଛନ୍ତି। ଏଥିସହ ଅଙ୍କିତାଙ୍କ ପରିବାର ଲୋକଙ୍କ ପାଇଁ ସରକାର ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

୧୯ ବର୍ଷୀୟ ଅଙ୍କିତା ବିବାଦ ବଢ଼ିବା ଯୋଗୁ ବହିଷ୍କାର ହୋଇଥିବା ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ରିସର୍ଟରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ। ଚାକିରି କରିବାର ପ୍ରଥମ ମାସରେ ହିଁ ପୁଲକିତ ଓ ତାଙ୍କର ଦୁଇ ସହଯୋଗୀ ଅଙ୍କିତାଙ୍କୁ ଅତିଥିଙ୍କୁ ସ୍ୱତନ୍ତ୍ର ସେବା ଯୋଗାଇ ଦେବାକୁ ଚାପ ପକାଇବା ଆରମ୍ଭ କରିଥିଲେ। ଏଥିପାଇଁ ୧୦ ହଜାର ଟଙ୍କା ଲେଖାଏ ଦେବେ ବୋଲି ସେମାନେ କହିଥିଲେ। ହେଲେ ଅଙ୍କିତା ଏଥିରେ ରାଜି ହୋଇ ନଥିଲେ।

ଦେହ ବେପାର ଭଳି କାମରେ ସାମିଲ ନ ହେବାରୁ ଅଙ୍କିତାଙ୍କୁ ସେମାନେ ମାଡ଼ ମାରି ହତ୍ୟା କରିଥିଲେ। ଏହାପରେ ଶବକୁ ନିକଟସ୍ଥ କେନାଲରେ ଫିଙ୍ଗି ଦେଇଥିଲେ। ସେପ୍ଟେମ୍ବର ୧୯ରୁ ଅଙ୍କିତା ନିଖୋଜ ଥିବା ବେଳେ ୩ ଦିନ ପରେ ପୁଲିସ୍ ପୁଲକିତ ଓ ରିସର୍ଟର ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା। ଗିରଫଦାରୀ ପାଇଁ ମହିଳାମାନେ ବିକ୍ଷୋଭ କରିବାକୁ ପୁଲିସ୍‌ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ପୁଲକିତ ଗିରଫ ହେବାର ଦିନକ ପରେ ଅଙ୍କିତାଙ୍କ ମୃତଦେହ କେନାଲରୁ ଉଦ୍ଧାର ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ପାଣିରେ ବୁଡ଼ି ଅଙ୍କିତାଙ୍କ ମୃତ୍ୟୁ ହୋଇଛି। ସେହିପରି ତାଙ୍କ ଦେହରେ କ୍ଷତଚିହ୍ନ ରହିଛି।

ବିବାଦ ବଢ଼ୁଥିବାରୁ ସରକାର ତରବରିଆ ଭାବେ ରିସର୍ଟକୁ ଭାଙ୍ଗି ଦେଇଥିଲେ। ହେଲେ ପୀଡ଼ିତାଙ୍କ ପରିବାର ଲୋକ ପ୍ରମାଣ ନଷ୍ଟ ପାଇଁ ସରକାର ଏପରି କରିଥିବା ଦାବି କରି ଝିଅର ଅନ୍ତିମ ସଂସ୍କାର କରି ନଥିଲେ। ତେବେ ପ୍ରଶାସନର ବୁଝାସୁଝା ପରେ ଅନ୍ତିମ ସଂସ୍କାର କରାଯାଇଥିଲା। ପରିବାର ଲୋକଙ୍କ ଦାବି ଅନୁଯାୟୀ, ଆଜି ମାମଲାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ ବୋଲି ଧାମି ସରକାର ଘୋଷଣା କରିଛନ୍ତି।

ଏଥିସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାରେ ପୁଲିସ୍‌ ପୁଲକିତଙ୍କ ବ୍ୟତୀତ ଅଙ୍କିତ ଓ ସୌରଭଙ୍କୁ ଗିରଫ କରିଛି। ଦୀର୍ଘଦିନ ହେଲା ରିସର୍ଟରେ ଅତିଥିଙ୍କୁ ସବୁ ପ୍ରକାରର ନିଶା ଯୋଗାଇ ଦିଆଯାଉଥିବା ବେଳେ ଦେହ ବେପାର ମଧ୍ୟ ଏହା ଭିତରେ ଚାଲିଥିଲା। ଏବେ ରିସର୍ଟର ପୂର୍ବତନ କର୍ମଚାରୀମାନେ ଏହି କଳା ଗୁମର ସମ୍ପର୍କରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି।

Related story