ନଛୋଡ଼ବନ୍ଦା ବରୁଣ, ଏଥର ଶେଆର କଲେ ବାଜପେୟୀଙ୍କ ଭିଡିଓ

ନୂଆଦିଲ୍ଲୀ: ଲାଗୁଛି ପଛ ଘୁଞ୍ଚା ଦେବାକୁ ରାଜି ନୁହନ୍ତି ବିଜେପି ସାଂସଦ ବରୁଣ ଗାନ୍ଧି। ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷ ଭାବେ ସେ କୃଷକଙ୍କ ସପକ୍ଷରେ ଏମିତି ବାହାରୁଛନ୍ତି, ଯାହା ତାଙ୍କ ଦଳ ଓ ସରକାରଙ୍କୁ ଅକଳରେ ପକାଉଛି। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ସମର୍ଥନ କରୁଥିବା ବରୁଣ ଉତ୍ତର ପ୍ରଦେଶର ଲଖିମପୁର ଖେରୀ ଘଟଣାରେ ମୃତ ଚାଷୀଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ବି ଖୋଲାଖୋଲି ଦାବି କରିଥିଲେ। […]

Varun Gandhi

Varun Gandhi

Jitendra Garnayak
  • Published: Thursday, 14 October 2021
  • Updated: 14 October 2021, 02:19 PM IST

Sports

Latest News

ନୂଆଦିଲ୍ଲୀ: ଲାଗୁଛି ପଛ ଘୁଞ୍ଚା ଦେବାକୁ ରାଜି ନୁହନ୍ତି ବିଜେପି ସାଂସଦ ବରୁଣ ଗାନ୍ଧି। ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷ ଭାବେ ସେ କୃଷକଙ୍କ ସପକ୍ଷରେ ଏମିତି ବାହାରୁଛନ୍ତି, ଯାହା ତାଙ୍କ ଦଳ ଓ ସରକାରଙ୍କୁ ଅକଳରେ ପକାଉଛି।

କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ସମର୍ଥନ କରୁଥିବା ବରୁଣ ଉତ୍ତର ପ୍ରଦେଶର ଲଖିମପୁର ଖେରୀ ଘଟଣାରେ ମୃତ ଚାଷୀଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ବି ଖୋଲାଖୋଲି ଦାବି କରିଥିଲେ।

ଲଖିମପୁର ଖେରୀରେ ଚାଷୀଙ୍କ ପରେ ଗାଡ଼ି ଚଢ଼ାଇ ଦିଆଯିବାର ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ କରି ନିଜ ଦଳ ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଅଶ୍ୱସ୍ତିକର ସ୍ଥିତିରେ ପକାଇଥିବା ବରୁଣ ଆଜି ଆଉ ଏକ ଭିଡିଓ ଶେଆର କରିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ଭିଡିଓଟି ମଧ୍ୟ ତାଙ୍କ ଦଳୀୟ ନେତାଙ୍କୁ ଅସହଜ ଅନୁଭବ କରାଇବ।

ଏହି ଭିଡିଓରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅଛନ୍ତି। ତେବେ ଏହା ସେ ପ୍ରଧାନମନ୍ତ୍ରୀ ହେବାର ବହୁ ପୂର୍ବର ଭିଡିଓ। ଏକ ନ୍ୟୁଜ୍ ଏଜେନ୍ସୀରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଭିଡିଓଟି ୧୯୮୦ ମସିହାର। ଭିଡିଓରେ ବାଜେପୟୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସରକାର କୃଷକ ଦମନ ନୀତି ଧରିଲେ ଦୃଢ଼ ଜବାବ ଦିଆଯିବ ବୋଲି ବାଜପେୟୀ ଏଥିରେ କହିଛନ୍ତି।

ଏହି ଭିଡିଓରେ ବାଜପେୟୀ କହିଛନ୍ତି, ମୁଁ ସରକାରଙ୍କୁ ଚେତାବନୀ ଦେବାକୁ ଚାହୁଁଛି ଯେ ଦମନ କରିବା ଛାଡ଼ି ଦିଅନ୍ତୁ। ଡରାଇବାକୁ ଚେଷ୍ଟା କରନ୍ତୁ ନାହିଁ। କୃଷକମାନେ କାହାକୁ ଡରିବେ ନାହିଁ। ଆମେ ଚାଷୀଙ୍କ ଆନ୍ଦୋଳନକୁ ଦଳୀୟ ରାଜନୀତିକ ଫାଇଦା ପାଇଁ ବ୍ୟବହାର କରୁ ନାହୁଁ। ଆମେ କେବଳ ସେମାନଙ୍କର ଯଥାର୍ଥ ଦାବିକୁ ସମର୍ଥନ କରୁଛୁ। କିନ୍ତୁ ସରକାର ଯଦି ସେମାନଙ୍କୁ ଦମନ କରିବେ, ଆଇନର ଦୁରୁପଯୋଗ କରିବେ, ଶାନ୍ତିପୂର୍ଣ୍ଣ ଢଙ୍ଗରେ ଚାଲିଥିବା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ପ୍ରୟାସ କରିବେ, ତା’ହେଲେ ଆମେ ସେମାନଙ୍କ ସହିତ ମିଶି ଆନ୍ଦୋଳନ କରିବାକୁ ସଙ୍କୋଚ କରିବୁ ନାହିଁ। ସେମାନଙ୍କ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହେବୁ।’

ବରୁଣ ଗାନ୍ଧି ହେଉଛନ୍ତି ଏକ ମାତ୍ର ବିଜେପି ନେତା ଯିଏ ଲଖିମପୁର ଖେରି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଏହି ଘଟଣାରେ ୪ ଜଣ କୃଷକଙ୍କର ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଅଭିଯୁକ୍ତ ଅଛନ୍ତି। ତାଙ୍କୁ ପୁଲିସ୍ ଗିରଫ କରିଛି।

ବରୁଣ ଏହି ପ୍ରସଙ୍ଗରେ ପରୋକ୍ଷରେ ଅଜୟ ମିଶ୍ରଙ୍କୁ ଟାର୍ଗେଟ୍ କରିବା ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ଘଟଣାର ସିବିଆଇ ତଦନ୍ତ କରାବାକୁ ଦାବି କରିଥିଲେ। ଏହା ସହିତ ମୃତ କୃଷକଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ।

ସୂଚନାଯୋଗ୍ୟ, ନିକଟରେ ବିଜେପି ଜାତୀୟ କାର୍ଯ୍ୟକାରିଣୀର ପୁନଃଗଠନ କରାଯାଇଥିବା ବେଳେ ଏଥିରୁ ବରୁଣ ଗାନ୍ଧି ଓ ତାଙ୍କ ମା’ ମେନକା ଗାନ୍ଧିଙ୍କୁ ବାଦ୍ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos