ଦିଲ୍ଲୀ ଆସୁଛନ୍ତି ମମତା, ମୋଦିଙ୍କୁ ଚିଠି ଲେଖି କ’ଣ କହିଲେ ବରୁଣ ଗାନ୍ଧୀ?

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଦିଲ୍ଲୀ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ। ଏହି ସମୟରେ ବିଜେପି ସାଂସଦ ତଥା ଦଳରେ କୋଣଠେସା ହୋଇ ରହିଥିବା ବରୁଣ ଗାନ୍ଧୀଙ୍କୁ ମମତା ଭେଟିବେ ବୋଲି ସୂଚନା ରହିଛି। ଦଳ ଭିତରେ ରହି ବିଭିନ୍ନ ପ୍ରସଙ୍ଗରେ ନିଜ ସରକାରକୁ ସମାଲୋଚନା କରୁଥିବା ବରୁଣ ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଯାହାକି ଆନ୍ଦୋଳନରତ କୃଷକଙ୍କ ଦାବି ରହିଛି।

ତିନି କୃଷି ଆଇନ ରଦ୍ଦ ଘୋଷଣା ହେବାର ଗୋଟିଏ ଦିନ ପରେ ସେ ଏମଏସପି ଏବଂ ଲଖିମପୁର ଖେରୀ ଘଟଣାକୁ ନେଇ ମୋଦିଙ୍କୁ ଚିଠି ଲେଖିଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏହି ଚିଠି ଲେଖିଛନ୍ତି। ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ‘ଟେନିଙ୍କ’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ପୂର୍ବରୁ ଯଦି ଏହି ନିଷ୍ପତ୍ତି ପ୍ରତ୍ୟାହାର ହୋଇଥାନ୍ତା ତାହେଲେ ୭୦୦ ରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇନଥାନ୍ତା ବୋଲି ବରୁଣ କହିଛନ୍ତି। ଉତ୍ତରପ୍ରଦେଶର ପିଲିବିଟ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବରୁଣ ଗାନ୍ଧୀ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ସମ୍ପର୍କୀୟଙ୍କୁ ପ୍ରତ୍ୟେକଙ୍କୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ତିନି କୃଷି ଆଇନକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି। ଏହା ସହିତ ସେ ଏମଏସପିକୁ ପ୍ରଭାବଶାଳୀ ଏବଂ ସ୍ୱଚ୍ଛ କରିବା ପାଇଁ ଏକ କମିଟି ଗଠନ କରିବାକୁ ମଧ୍ୟ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଆଇନ ରଦ୍ଦ କରିଥିବାରୁ ବରୁଣ ଗାନ୍ଧୀ ତାଙ୍କୁ ବଡ ହୃଦୟର ସହିତ ଧନ୍ୟବାଦ ଜଣାଇଛନ୍ତି ଏବଂ ଆଶା କରିଛନ୍ତି ଯେ, ସେ ଚାଷୀଙ୍କ ଅନ୍ୟାନ୍ୟ ଦାବି ଉପରେ ମଧ୍ୟ ସରକାର ଏକ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେବେ।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ପତ୍ରରେ ସେ ଏମଏସପିକୁ ଆଇନଗତ ମାନ୍ୟତା ଦେବା ପାଇଁ ଚାଷୀଙ୍କ ଦାବି ବିଷୟରେ ଉଲ୍ଲେଖ କରିଛନ୍ତି। ଏବଂ କହିଛନ୍ତି ଯେ ଦେଶରେ ୮୫ ପ୍ରତିଶତରୁ ଅଧିକ କ୍ଷୁଦ୍ର ଚାଷୀ ଅଛନ୍ତି ଏବଂ ସେମାନଙ୍କର ସଶକ୍ତିକରଣ ପାଇଁ ସରକାରକୁ ସୁନିଶ୍ଚିତ କରିବାକୁ ପଡ଼ିବ। ସେ କହିଛନ୍ତି ଯେ ଏହି ଦାବିର ସମାଧାନ ବିନା ଏହି ଆନ୍ଦୋଳନ ସମାପ୍ତ ହେବ ନାହିଁ।  ଚାଷୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହେବ। ତେଣୁ ଚାଷୀଙ୍କ ପାଇଁ ଫସଲର ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦେବା ଅତ୍ୟନ୍ତ ଆବଶ୍ୟକ। ଜାତିର ସ୍ୱାର୍ଥରେ ସରକାର ତୁରନ୍ତ ଏହି ଦାବି ଗ୍ରହଣ କରିବା ଉଚିତ। ଏହା ସହିତ କୃଷକମାନେ ଏକ ବୃହତ ଅର୍ଥନୀତିକ ସୁରକ୍ଷା ପାଇବେ ଏବଂ ସେମାନଙ୍କର ଅବସ୍ଥାରେ ସ୍ୱଚ୍ଛଳ ଆସିବ । ସେ କହିଛନ୍ତି ଯେ କୃଷି ମୂଲ୍ୟ ଆୟୋଗର ‘C2 + 50 ପ୍ରତିଶତ ସୂତ୍ର’ ଆଧାରରେ ଏମଏସପି ସ୍ଥିର କରାଯିବା ଉଚିତ।

ସୂଚନାଯୋଗ୍ୟ, ବରୁଣ ଦଳରେ କୋଣଠେସା ହୋଇ ରହିଛନ୍ତି। ଏକଦା ୟୁପିର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚର୍ଚ୍ଚା ହେଉଥିବା ଏହି ନେତା ମନ୍ତ୍ରୀ ପଦ କିମ୍ବା ଦଳର କୋର ଗ୍ରୁପରେ ସାମିଲ ନଥିବାରୁ ବିଭିନ୍ନ ସମୟରେ ଦଳକୁ ଅନେକ ପ୍ରସଙ୍ଗରେ ଘେରିଛନ୍ତି। ଅନ୍ୟପଟେ ମମତାଙ୍କ ଦଳ ଟିଏମସି ସାରା ଦେଶରେ ପାଦ ରଖିବାକୁ ଯାଇ ବିଭିନ୍ନ ଦଳରେ ଅସନ୍ତୁଷ୍ଚ ଥିବା ନେତାଙ୍କୁ ଆମଦାନୀ କରୁଛି। ତେଣୁ ମମତାଙ୍କ ସହିତ ଭେଟଘାଟ ପୂର୍ବରୁ ଦଳରେ ରହି ବରୁଣ ବାଣ ମାରୁଥିବା କୁହାଯାଉଛି।

ୟୁପିରେ ଟିଏମସି ବିଧାନସଭା ନିର୍ବାଚନ ଲଢିବାକୁ ଯୋଜନା କରିଛି। ଏଥିପାଇଁ ଅନ୍ୟ ଦଳରୁ କୌଣସି ପ୍ରମୁଖ ନେତାଙ୍କୁ ଦଳରେ ସାମିଲ କରିବାକୁ ଯୋଜନା କରୁଥିବା ସୂଚନା ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।