ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଲାସୁବ୍ରମଣ୍ୟମଙ୍କ ପରଲୋକ
ଚେନ୍ନାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲାସୁବ୍ରମଣ୍ୟମଙ୍କର ଆଜି ପରଲୋକ ହୋଇଯାଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିବା ୭୪ ବର୍ଷୀୟ ବାଲାସୁବ୍ରମଣ୍ୟମ ଆଜି ଅପରାହ୍ନ ୧ଟା୪ ମିନିଟ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପୁଅ ଏସ୍ପି ଚରଣ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନାରେ ଆକ୍ରାନ୍ତ ହୋଇ ଅଗଷ୍ଟ ୫ରୁ ବାଲାସୁବ୍ରମଣ୍ୟମ ଚେନ୍ନାଇର ଏମ୍ଜିଏମ୍ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ। ସେପ୍ଟେମ୍ବର ୮ରୁ ସେ କରୋନା ମୁକ୍ତ ହୋଇ ସାରିଥିଲେ ମଧ୍ୟ ଫୁସଫୁସ୍ ସଂକ୍ରମଣ ହୋଇଥିବାରୁ ଭେଣ୍ଟିଲେଟରରେ ଥିଲେ।
ହେଲେ ଗତ ୨୪ ଘଣ୍ଟା ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମ୍ୟାକ୍ସିମମ୍ ଲାଇଫ୍ ସପୋର୍ଟରେ ରଖାଯାଇଥିବା ନେଇ ଚେନ୍ନାଇ ଏମ୍ଜିଏମ୍ ହସ୍ପିଟାଲ ପକ୍ଷରୁ ଜାରି ହେଲଥ୍ ବୁଲେଟିନରେ କୁହାଯାଇଥିଲା। ଏହାପରେ ଆଜି ଅପରାହ୍ନ ୧ଟା୦୪ ମିନିଟ୍ରେ ତାଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି।
ବାଲାସୁବ୍ରମଣ୍ୟମ ୧୬ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ୧୯୮୯ ମସିହାରେ ମେନେ ପ୍ୟାର୍ କିୟା ଫିଲ୍ମର ‘ମେରେ ରଙ୍ଗ ମେ’ ଗୀତ ତାଙ୍କୁ ହିନ୍ଦୀ ଫିଲ୍ମରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ଏହାବ୍ୟତୀତ ସଲମାନ ଖାନଙ୍କ ପାଇଁ ସେ ବହୁ ଫିଲ୍ମରେ କଣ୍ଠଦାନ କରିଥିଲେ। କଣ୍ଠଶିଳ୍ପୀ ଭାବେ ସେ ୬ଟି ଜାତୀୟ ପୁରସ୍କାର ପାଇଛନ୍ତି। ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣରେ ବି ସମ୍ମାନିତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।