ପଶ୍ଚିମବଙ୍ଗ ଉପନିର୍ବାଚନ ବେଳେ ହିଂସା, ବିଜେପି ପ୍ରାର୍ଥୀଙ୍କୁ ପଥରମାଡ
କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ବେଳେ ପୁଣି ହିଂସା। ପୁଣି ରାସ୍ତାକୁ ଓହ୍ଲାଇରେ କର୍ମୀ। ମାରପିଟ୍ ସହ ପ୍ରାର୍ଥୀଙ୍କ ଉପରକୁ ହୋଇଛି ପଥରମାଡ। ଆଜି ପଶ୍ଚିମବଙ୍ଗର ଗୋଟିଏ ଲୋକସଭା ଆସନ ଓ ୪ଟି ବିଧାନସଭା ସିଟ୍ରେ ଉପନିର୍ବାଚନ ହେଉଛି। ଏଥିରେ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନ ମଧ୍ୟ ସାମିଲ ଅଛି। ସକାଳୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଆସନସୋଲରେ ହିଂସା ଦେଖିବାକୁ ମିଳିଛି।
ଏହି ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ଅଗ୍ନିମିତ୍ରା ପଲ୍ଙ୍କ ଉପରେ ତୃଣମୂଳ କଂଗ୍ରେସର କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ କାର୍କେଡ୍ ଉପରକୁ ପଥର ମାଡ ହୋଇଥିବା ସେ ନିଜେ ଅଭିଯୋଗ ଆଣିଛନ୍ତି। ଏଥିରେ ତାଙ୍କର ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଟଏମ୍ସି ସମର୍ଥକମାନେ ଲୋକଙ୍କୁ ଭୋଟ୍ ଦେବାରେ ବାଧା ଦେଉଛନ୍ତି। ପୁଲିସ ମଧ୍ୟ ଏଠି ମୁକ ପାଲଟିଥିବା ନେଇ ବିଜେପି ପ୍ରାର୍ଥୀ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ନିର୍ବାଚନ କମିଶନ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି।
#WATCH | West Bengal: Violence breaks out in Asansol where bypoll voting to Lok Sabha seat is underway. Agnimitra Paul, who is BJP candidate for the seat alleges, "TMC people attacked us, hurled stones at our convoy. Police doing nothing… " pic.twitter.com/pdQGZWF57h
— ANI (@ANI) April 12, 2022
ରିପୋର୍ଟ ମୁତାବକ, ବିଜେପି ପ୍ରାର୍ଥୀ ଅଗ୍ନିମିତ୍ରା ପଲ୍ ଆସନସୋଲ ଲୋକସଭା ଆସନର ବାରାବନି ଅଞ୍ଚଳରେ ପହଞ୍ଚିଥିଲେ। ଏହି ସମୟରେ ଟିଏମ୍ସି ସମର୍ଥକମାନେ ତାଙ୍କ ଗାଡି ଉପରକୁ ଆକ୍ରମଣ କରିଥିଲେ। ଏଥିସହ ତାଙ୍କ ବିରୋଧରେ ନାରାବାଜି ମଧ୍ୟ କରିଥିଲେ।
ପଶ୍ଚିମବଙ୍ଗର ଏହି ଆସନସୋଲ ଆସନରେ ପୂର୍ବରୁ ବିଜେପି ଟିକେଟ୍ରେ ନିର୍ବାଚନ ଜିତିଥିଲେ ବାବୁଲ ସୁପ୍ରିୟୋ। ପରେ ସେ ଟିଏମ୍ସିରେ ମିଶିବା ପରେ ଏହି ଆସନ ଖାଲିପଡିଥିଲା। ଏହାପରେ ଟିଏମ୍ସି ସୁପ୍ରିମୋ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଏହି ଆସନରୁ ଲଢ଼ିବା ପାଇଁ ଟିକେଟ୍ ଦେଇଥିଲେ। ଶତ୍ରୁଘ୍ନଙ୍କୁ ଟକ୍କର ଦେବା ପାଇଁ ବିଜେପି ଅଗ୍ନିମିତ୍ରା ପଲ୍ଙ୍କୁ ଏଠାରେ ପ୍ରାର୍ଥୀ କରିଛି।
ସୂଚନା ମୁତାବକ, ଆସନସୋଲର ୨୦୧୨ଟି ମତଦାନ କେନ୍ଦ୍ର ମଧ୍ୟରୁ ୬୮୦ ଓ ବାଲିଗଞ୍ଜର ସମସ୍ତ ୩୦୦ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।