କାହାର ହେବ ଉତ୍ତରପ୍ରଦେଶ ?

ଲକ୍ଷ୍ନୌ: ରାଜନୈତିକ ଦୃଷ୍ଟିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା । ଏଠାରେ କ୍ଷମତା ବଜାୟ ରଖିପାରିବ କି ବିଜେପି? ନିର୍ବାଚନ ତାରିଖ ଘୋଷଣା ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ରାଜ୍ୟରେ ଗୋଟିକ ପରେ ଗୋଟିଏ ମେଗା ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଡବଲ-ଇଞ୍ଜିନ ସରକାରକୁ କ୍ଷମତାରେ ବଜାୟ ରଖିବା ଲାଗି ଅପିଲ କରୁଛନ୍ତି । ସେପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ  କ୍ଷମତା ଫେରି ପାଇବାକୁ ଜୋରଦାର ପ୍ରୟାସ […]

yogi-priyanka-gandhi

Tapas Behera
  • Published: Tuesday, 04 January 2022
  • , Updated: 04 January 2022, 08:57 PM IST

ଲକ୍ଷ୍ନୌ: ରାଜନୈତିକ ଦୃଷ୍ଟିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା । ଏଠାରେ କ୍ଷମତା ବଜାୟ ରଖିପାରିବ କି ବିଜେପି? ନିର୍ବାଚନ ତାରିଖ ଘୋଷଣା ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ରାଜ୍ୟରେ ଗୋଟିକ ପରେ ଗୋଟିଏ ମେଗା ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଡବଲ-ଇଞ୍ଜିନ ସରକାରକୁ କ୍ଷମତାରେ ବଜାୟ ରଖିବା ଲାଗି ଅପିଲ କରୁଛନ୍ତି । ସେପଟେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ  କ୍ଷମତା ଫେରି ପାଇବାକୁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ୟୁପିରେ ଡେରା ପକାଇ ରାଜ୍ୟରେ ଦଳକୁ ପୁନର୍ଜୀବିତ କରିବା ଚେଷ୍ଟାରେ ଅଛନ୍ତି। ତେବେ ୟୁପି ରାଜନୈତିକ ଦୃଶ୍ୟପଟରୁ ମାୟାବତୀ ଅନ୍ତର୍ଦ୍ଧାନ ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଉତ୍ତରପ୍ରଦେଶରେ ଗୋଟିକ ପରେ ଗୋଟିଏ ମେଗା ପ୍ରକଳ୍ପର ଉଦ୍‌ଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶକୁ ଦେଶର ସବୁଠୁ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ଯୋଗୀ ଆଦିତ୍ୟନାଥ ସରକାର ଚଳାଇଥିବା ପ୍ରୟାସରେ ସହଯୋଗ ଲାଗି ୟୁପିବାସୀଙ୍କୁ ଆହ୍ୱାନ ଦେଉଛନ୍ତି ପ୍ରଧାନମନ୍ତ୍ରୀ । ବିକାଶ ଯୋଜନା ଆଧାରରେ ବିଜେପି ପୁଣି ଥରେ ରାଜ୍ୟରେ ଶାସନ କ୍ଷମତାକୁ ଫେରିବା ଲାଗି  ପୂର୍ଣ୍ଣ ଆତ୍ମ ବିଶ୍ୱାସ ରଖିଛି। ଏମିତିକି ଗତଥର ଠାରୁ ବି ଦଳ ଏଥର ଆହୁରି ଭଲ କରିବା ଆଶାରେ ରହିଛି । ତେବେ ମୋଦି-ଯୋଗୀ ଯୋଡିକୁ ପୁଣି ଥରେ ସୁଯୋଗ ଦେବେ କି ଉତ୍ତରପ୍ରଦେଶ ଜନତା? ରାଜ୍ୟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ହୋଇଛି ରାଜ୍ୟରେ ରାଜନୈତିକ ପାଣିପାଗ । ବଢିଚାଲିଛି ଆରୋପ ପ୍ରତ୍ୟାରୋପ ।  ପରିବାରବାଦ ଓ ଉତ୍ତରପ୍ରଦେଶରେ ମାଫିଆ ରାଜ୍ କଥା ଉଠାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରୁଛନ୍ତି ଉଭୟ ମୋଦି ଓ ଯୋଗୀ।

ଅନ୍ୟପଟେ ବିଜେପିର ମୂଳୋତ୍ପାଟନ କରି ପୁଣି ଥରେ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ ବିଜୟ ଯାତ୍ରା କରୁଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଗତଥର କଂଗ୍ରେସ ସହ ମେଣ୍ଟ ଫେଲ୍ ମାରିବା ପରେ ବିଜେପିକୁ ପରାସ୍ତ କରିବା ଲାଗି ଏଥର ଏକାକୀ ଅଣ୍ଟା ଭିଡ଼ିଛନ୍ତି ଅଖିଳେଶ । ତାଙ୍କ ସଭାଗୁଡିକରେ ପ୍ରବଳ ଜନସମାଗମକୁ ଦେଖି ଅଖିଳେଶ ବିଜେପିକୁ ଦୃଢ଼ ଚ୍ୟାଲେଞ୍ଜ ଦେବେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବିକାଶ ନାଁରେ ଭେଳିକି ଦେଖାଉଥିବା ଅଭିଯୋଗ ଆଣି ସେ ବିଜେପିକୁ ଟାର୍ଗେଟ କରୁଛନ୍ତି । ଚାଷୀ ଆନ୍ଦୋଳନ, ଲଖିମପୁର ଖେରି ଘଟଣା, ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ  ଯୋଗୀ ସରକାରକୁ ସମାଲୋଚନା କରିବା ସହ ରାଜ୍ୟବାସୀଙ୍କ ସମର୍ଥନ ପାଇବାକୁ ପ୍ରୟାସ ଚଳାଇଛନ୍ତି । ତେବେ ବିଜେପିଠାରୁ କ୍ଷମତା ଛଡାଇବାରେ ଅଖିଳେଶ କେତେ ସଫଳ ହେଉଛନ୍ତି କେବଳ ନିର୍ବାଚନ ଫଳାଫଳରୁ ହିଁ ତାହା ସ୍ପଷ୍ଟ ହେବ।

ଅନ୍ୟପକ୍ଷରେ ରାଜ୍ୟରେ କଂଗ୍ରେସକୁ ପୁନର୍ଜୀବିତ କରିବା ଲାଗି ଉତ୍ତରପ୍ରଦେଶରେ ଦଳର ମଙ୍ଗ ଧରିଛନ୍ତି ପ୍ରିୟଙ୍କା ଗାନ୍ଧୀ   ଡେରା ପକାଇ ରହିବା ସହ ପ୍ରିୟଙ୍କା ନିୟମିତ ସଭାସମିତି କରି ମୋଦି ଓ ଯୋଗୀଙ୍କୁ ଟାର୍ଗେଟ କରି ଜନ ସମର୍ଥନ ଜୁଟାଇବା ଲାଗି ଚେଷ୍ଟା କରୁଛନ୍ତି । ତେବେ ନିଜ ପ୍ରୟାସରେ ସେ କେତେ ସଫଳ ହେଉଛନ୍ତି ତାହା ସମୟ ହିଁ କହିବ। ସେପଟେ ଉତ୍ତରପ୍ରଦେଶ ରାଜନୀତିର ଜଣେ ପ୍ରମୁଖ ଦାବିଦାର ତଥା ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ରାଜନୈତିକ ଦୃଶ୍ୟପଟରୁ ଉଭାନ ହୋଇଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ରାଜନୈତିକ ହାଓ୍ୱା ଜୋରଦାର ବେଗରେ ବୋହୁଥିବା ବେଳେ ମାୟାବତୀଙ୍କୁ ଦେଖିବାକୁ ବି ମିଳୁନାହିଁ।

Related story