କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: ବିଜୁଳି ବେଗରେ କାହିଁକି ଇସିଙ୍କୁ ଦିଆଗଲା ନିଯୁକ୍ତି?

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପୁଣିଥରେ କେନ୍ଦ୍ରକୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବତନ ଆଇଏଏସ୍‌ ଅଧିକାରୀ ଅରୁଣ ଗୋଏଲଙ୍କୁ କାହିଁକି ତରବରିଆ ଓ ଆତୁର ଭାବେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଗଲା? ବିଜୁଳି ବେଗରେ ବା ୨୪ ଘଣ୍ଟା ଭିତରେ କେମିତି ଇସିଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହେଲା ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟର ୫ […]

EC

  • Published: Thursday, 24 November 2022
  • , Updated: 24 November 2022, 06:05 PM IST

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପୁଣିଥରେ କେନ୍ଦ୍ରକୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ସୁପ୍ରିମକୋର୍ଟ। ପୂର୍ବତନ ଆଇଏଏସ୍‌ ଅଧିକାରୀ ଅରୁଣ ଗୋଏଲଙ୍କୁ କାହିଁକି ତରବରିଆ ଓ ଆତୁର ଭାବେ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଗଲା? ବିଜୁଳି ବେଗରେ ବା ୨୪ ଘଣ୍ଟା ଭିତରେ କେମିତି ଇସିଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହେଲା ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ।

ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ କମିଶନ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ଆଜି ଶୁଣାଣି ବେଳେ ମଧ୍ୟ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କ କୌଣସି ବିରୋଧକୁ ଗ୍ରହଣ କରି ନଥିଲେ। ଗତକାଲି ଅରୁଣ ଗୋଏଲଙ୍କ ନିଯୁକ୍ତି ସଂକ୍ରାନ୍ତ ଫାଇଲ ମାଗିଥିବା ବେଳେ ଆଜି ସିଧାସଳଖ ଏହାକୁ ଆଧାର କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି।

ଜଷ୍ଟିସ କେଏମ ଯୋଶେଫ, ଜଷ୍ଟିସ ଅଜୟ ରସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷିକେଶ ରୟ ଓ ଜଷ୍ଟିସ ସିଟି ରବିକୁମାରଙ୍କ ଖଣ୍ଡପୀଠ ନିର୍ବାଚନ କମିଶନର ନିଯୁକ୍ତି ପ୍ରକ୍ରିୟା ବିରୋଧରେ ହୋଇଥିବା ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ସବୁ ପକ୍ଷଙ୍କୁ ୫ ଦିନ ଭିତରେ ଲିଖିତ ଭାବେ ପକ୍ଷ ରଖିବାକୁ କହିଛନ୍ତି।

ବିଚାରପତିଙ୍କ ନିଯୁକ୍ତି ଭଳି ନିର୍ବାଚନ କମିଶନର ନିଯୁକ୍ତି ପାଇଁ କଲେଜିୟମ କିମ୍ବା ଅନ୍ୟ କୌଣସି ନିରପେକ୍ଷ ବ୍ୟବସ୍ଥା କରିବାକୁ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ହୋଇଛି। ସବୁ ପକ୍ଷ ଲିଖିତ ଭାବେ ନିଜର ମତ ଦେବା ପରେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଗୋଟିଏ ନିରପେକ୍ଷ ପ୍ୟାନେଲ ଗଠନ କରାଯିବା ଉଚିତ କି ନୁହେଁ, ତା’ର ନିଷ୍ପତ୍ତି ସୁପ୍ରିମକୋର୍ଟ ନେବେ।

ଆଜି ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ଖଣ୍ଡଠପୀଠ ପ୍ରଶ୍ନ କରିଛନ୍ତି, “ବିଜୁଳି ବେଗରେ ନିର୍ବାଚନ କମିଶନରଙ୍କ ନିଯୁକ୍ତି କାହିଁକି ହେଲା? ମାତ୍ର ୨୪ ଘଣ୍ଟା ମଧ୍ୟରେ ନିଯୁକ୍ତର ସବୁ ପ୍ରକ୍ରିୟା କେମିତି ଶେଷ ହୋଇଗଲା? କେଉଁ ଆଧାରରେ ଆଇନ ମନ୍ତ୍ରୀ ୪ ଜଣଙ୍କ ନାଁ ସମ୍ଭାବ୍ୟ ଇସି ଭାବେ ଚୟନ କଲେ?”

ଏହି ପ୍ରଶ୍ନଗୁଡ଼ିକ ଶୁଣି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି କହିଛନ୍ତି, “ପ୍ରଚଳିତ ନିୟମ ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ମୁଁ ଏହି କୋର୍ଟକୁ ମନେ ପକାଇବା ଦେବାକୁ ଚାହୁଁଛି ଯେ ଆମେ ଏହା ଉପରେ(ଅରୁଣ ଗୋଏଲଙ୍କ ନିଯୁକ୍ତି) ମିନି ଟ୍ରାଏଲ କରୁନାହୁଁ।”

ଏହି ଶୁଣି ଜଷ୍ଟିସ ଯୋଶେଫ କହିଛନ୍ତି,“ ନା,ନା, ଆମେ ବୁଝିପାରୁଛୁ।” ଏହାପରେ ଆଟର୍ଣ୍ଣି ଜେନେରାଲ ପୂରା ନିଯୁକ୍ତି ପ୍ରକ୍ରିୟା ଉପରେ ଖଣ୍ଡପୀଠଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ନିଜେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଥାଏ। ସେମାନଙ୍କ ମଧ୍ୟରୁ ସବୁଠାରୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରାଯାଏ। ଏଥିରେ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଭୂମିକା ରହିଛି।”

ଏହାଶୁଣି ସୁପ୍ରିମକୋର୍ଟ ପୁଣି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ଖଣ୍ଡପୀଠ କହିଥିଲେ, “ନିର୍ବାଚନ କମିଶନରଙ୍କ ନିଯୁକ୍ତିରେ ଏତେ ଆତୁରତା କ’ଣ ପାଇଁ? ବିଜୁଳି ବେଗରେ ଓ ତରବରିଆ ଭାବେ କାହିଁକି ନିଯୁକ୍ତି ଦିଆଗଲା?” ଜଷ୍ଟିସ ଯୋଶେଫ କହିଛନ୍ତି, ‘’୧୮ ତାରିଖରେ ଆମେ ଏ ସଂକ୍ରାନ୍ତ ମାମଲାର ଶୁଣାଣି ଆରମ୍ଭ କରିଥିଲୁ। ସେହିଦିନ ହିଁ ଆପଣ ଇସିଙ୍କୁ ନିଯୁକ୍ତି ପାଇଁ ଫାଇଲ ପଠାଇଥିଲେ।

ସେହିଦିନ ପ୍ରାର୍ଥୀ ଚୟନ ହେଲା। ଏପରି କି ପ୍ରଧାନମନ୍ତ୍ରୀ ସେହିଦିନ ନାଁ ସୁପାରିଶ କରିଦେଲେ। ଏତେ ତରବର କାହିଁକି? ଆମେ ଆପଣଙ୍କୁ ଜେରା କରୁନାହୁଁ। କିନ୍ତୁ କ’ଣ ଏସବୁ ବିଜୁଳି ବେଗରେ ହୋଇନାହିଁ?”

ଜଷ୍ଟିସ ଅଜୟ ରସ୍ତୋଗୀ କହିଛନ୍ତି ଯେ “ଇସି ପଦବୀ ମେ’ ୧୫ରୁ ଖାଲି ପଡ଼ିଥିଲା। କିନ୍ତୁ ଆପଣ ହଠାତ୍‌ ସବୁ କିଛି କରିଦେଲେ। ମେ’ ମାସରୁ ନଭେମ୍ବର ମଧ୍ୟରେ ସରକାର କେଉଁ ସବୁ କାମ ସୁପରଫାଷ୍ଟରେ କରିଛନ୍ତି? ଯେଉଁ ଦିନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲା, ସେହିଦିନ ସରିଲା। ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ପ୍ରକ୍ରିୟା ଶେଷ କରାଗଲା ଓ ବିଜ୍ଞପ୍ତି ପ୍ରକାଶ ପାଇଲା।

ଆପଣ କେଉଁ ପ୍ରକାରର ସମୀକ୍ଷା କରିଥିଲେ? ଆମେ ଏଠାରେ ମେରିଟ ଉପରେ କିମ୍ବା ଅରୁଣ ଗୋଏଲଙ୍କ ଦକ୍ଷତା ଉପରେ ପ୍ରଶ୍ନ କରୁନୁ। କିନ୍ତୁ ପ୍ରକ୍ରିୟା କଥା କହୁଛୁ।”

ଜଷ୍ଟିସ ଯୋଶେଫ କହିଛନ୍ତି, “ଆମେ ପ୍ରକୃତରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଚିନ୍ତିତ। ପ୍ରଚଳିତ ଆଇନ ଅନୁସାରେ ଆଇନ ମନ୍ତ୍ରୀ ୪ଟି ନାଁ ଚୟନ କଲେ। କିନ୍ତୁ ସେ ଏତେ ସଂଖ୍ୟକ ଅଧିକାରୀଙ୍କ ବିଶାଳ ଭଣ୍ଡାର ମଧ୍ୟରୁ କେଉଁ ମାନଦଣ୍ଡ ଆଧାରରେ ୪ ଜଣଙ୍କ ନାଁ ଚୟନ କଲେ?”

ଠିକ ଏହି ସମୟରେ ଜଷ୍ଟିସ ବୋଷ କହିଥିଲେ ଯେ ଏହି ସ୍ପିଡ ହଇରାଣ କଲା ଭଳି।” ଏହାପରେ କୋର୍ଟ ସବୁ ପକ୍ଷଙ୍କୁ ୫ ଦିନ ସମୟ ଦେଇଛନ୍ତି।

Related story