କ’ଣ ଭାରତୀୟଙ୍କୁ କରୋନା ଟିକାର ବୁଷ୍ଟର ଡୋଜ୍‌ ଦରକାର? ଜବାବ ରଖିଲେ ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣି ବ୍ୟାପିବାରୁ ସେଠାକାର ସରକାରମାନେ ବୁଷ୍ଟର ଡୋଜ୍‌ ବା ତୃତୀୟ ଡୋଜ୍‌ ଲୋକଙ୍କୁ ଦେବାକୁ ଯୋଜନା ଆରମ୍ଭ କରିଛନ୍ତି। ଭାରତରେ ମଧ୍ୟ ଲୋକଙ୍କୁ ତୃତୀୟ ଡୋଜ୍‌ ବା ବୁଷ୍ଟର ଡୋଜ୍‌ର ଆବଶ୍ୟକ ରହିଛି କି? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇଛି।

ଏସବୁ ଭିତରେ ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ ଏହାର ଜବାବ ରଖିଛନ୍ତି। ଭାରତରେ ବୁଷ୍ଟର ଡୋଜ୍‌ର ଆବଶ୍ୟକ ରହିଛି ବୋଲି ଏଯାଏ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ। ତେଣୁ ଏହା ଉପରେ ଏବେ କିଛି ବି କହିହେବ ନାହିଁ ବୋଲି ସେ କହିଛନ୍ତି।

ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଇସ୍ରାଏଲ ଭଳି ଅନେକ ଦେଶ କରୋନା ଟିକାର ବୁଷ୍ଟର ଡୋଜ୍‌ ଲୋକଙ୍କୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୁଷ୍ଟର ଡୋଜ୍‌ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ପୂର୍ବାପେକ୍ଷା କରୋନାରୁ ଅଧିକ ସୁରକ୍ଷା ଦେଉଥିବା ସେମାନେ ବିଭିନ୍ନ ପରୀକ୍ଷାରୁ ଜାଣିବାକୁ କହିଛନ୍ତି। ହେଲେ ଡା ଗୁଲେରିଆ ବର୍ତ୍ତମାନ ସ୍ଥିତିରେ ଭାରତରେ ବୁଷ୍ଟର ଡୋଜ୍‌ର ଆବଶ୍ୟକ ନାହିଁ ବୋଲି କହିଛନ୍ତି।

ସେ କହିଛନ୍ତି, ଆମକୁ ବୁଷ୍ଟର ଡୋଜ୍‌ ଏବେ ଦରକାର ବୋଲି କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ। ଏପରି କି ସଂକ୍ରମଣ ଆଶଙ୍କା ଥିବା ଲୋକ କିମ୍ବା ବୟସ୍କଙ୍କ ପାଇଁ ମଧ୍ୟ ବୁଷ୍ଟର ଡୋଜ୍‌ ଦରକାର କି ନାହିଁ, ତା’ର ତଥ୍ୟ ମିଳିନି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମକୁ ବୁଷ୍ଟର ଡୋଜ୍‌ କେତେ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି, ତା’ର ତଥ୍ୟ ହାସଲ କରିବାକୁ ପଡ଼ିବ।

ଏହା ଉପରେ ଗବେଷଣା ଆବଶ୍ୟକ ଓ ଆମକୁ କିଛି ମାସ ଅପେକ୍ଷା ମଧ୍ୟ କରିବାକୁ ହେବ। ବୁଷ୍ଟର ଡୋଜ୍‌ ସମ୍ପର୍କରେ ଧୀରେଧୀରେ ତଥ୍ୟ ଆସୁଛି। ସମ୍ଭବତଃ ଆସନ୍ତା ବର୍ଷ ଆରମ୍ଭ ବେଳକୁ ଆମ ପାଖରେ ଉପଯୁକ୍ତ ତଥ୍ୟ ପହଞ୍ଚି ସାରିଥିବ। ଏହାପରେ ଆମକୁ କେଉଁ ପ୍ରକାରର ବୁଷ୍ଟର ଡୋଜ୍‌ ଦରକାର ଓ କେଉଁମାନେ ଏହାକୁ ନେବା ଉଚିତ୍, ସେକଥା ଆମେ ସମସ୍ତେ ଜାଣିପାରିବା।

ବର୍ତ୍ତମାନ ଯଦି ଆମେ ବିଶ୍ୱର ସ୍ଥିତିକୁ ଆକଳନ କରିବା, ତା’ହେଲେ ଟିକା ନେଇଥିବା ଲୋକମାନେ ଗୁରୁତର ହେଉନାହାନ୍ତି। ସେହିପରି ଟିକା ନେଇଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ହାର ସେତେ ଅଧିକ ନୁହେଁ। ଭାରତରେ ମଧ୍ୟ ସମାନ ସ୍ଥିତି ରହିଛି। ବ୍ରିଟେନରେ ସଂକ୍ରମଣ ଦ୍ରୁତିଗତିରେ ବଢ଼ିଛି। ହେଲେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିନି ବୋଲି ସେ କହିଛନ୍ତି।

ଡା ଗୁଲେରିଆ ଆହୁରି କହିଛନ୍ତି, ବୁଷ୍ଟର ଡୋଜ୍ କଥା ଚିନ୍ତା କରିବା ପୂର୍ବରୁ ଆମକୁ ଅନେକ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ। ଆମକୁ ଉପଲବ୍ଧ ଥିବା ଟିକାର ବୁଷ୍ଟର ଡୋଜ୍‌ ବ୍ୟବହାର କରିବାକୁ ପଡ଼ିବ କି? ଆମକୁ କୌଣସି ନୂଆ ଟିକାର ଆବଶ୍ୟକ ରହିଛି କି? କ’ଣ ଆମେ ମିକ୍ସିଡ ଟିକା ବ୍ୟବହାର କରିପାରିବା? ଏସବୁର ତଥ୍ୟ ଧୀରେଧୀରେ ଆସିବା ପରେ ଆମେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।