ଲକ୍ଷ୍ନୌ: ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ୍ ରାୱତଙ୍କ ସହ ୱିଙ୍ଗ କମାଣ୍ଡର ପୃଥ୍ୱୀ ସିଂହ ଚୌହାନ ମଧ୍ୟ ସହିଦ ହୋଇଛନ୍ତି। ଆଜି ତାଙ୍କୁ ଶେଷ ବିଦାୟ ଦିଆଯିବ। ଏଥିପାଇଁ ତାଙ୍କ ପାର୍ଥୀବ ଶରୀରକୁ ତାଙ୍କ ପୌତୃକ ଗାଁକୁ ଅଣାଯାଇଛି। ଉତ୍ତରପ୍ରଦେଶର ଆଗ୍ରାରେ ଅନ୍ତିମ ବିଦାୟ ପାଇଁ ଚାଲିଛି ପ୍ରସ୍ତୁତି। ତେବେ ଏହାରି ଭିତରେ ପୃଥ୍ୱୀ ସିଂହଙ୍କ ଘରକୁ ଯାଉଥିବା ରାସ୍ତାଟିକୁ ରାତାରାତି ମରାମତି କରାଯାଇଛି। ୧୦ ବର୍ଷର ଅପେକ୍ଷା ମାତ୍ର ଅଢ଼େଇ ଘଣ୍ଟାରେ ଶେଷ ହୋଇଛି। ତଆରି ହୋଇଛି ନୂଆ ରାସ୍ତା।
ପଡ଼ୋଶୀଙ୍କ କହିବାନୁସାରେ, ଶୁକ୍ରବାର ରାତି ୧୦ଟାରୁ କାମ ଆରମ୍ଭ ହୋଇଥିଲା ଏବଂ ଅଢ଼େଇ ଘଣ୍ଟା ମଧ୍ୟରେ ପକ୍କା ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତାଟି ୧୨ ବର୍ଷ ପୂର୍ବେ ତିଆରି ହୋଇଥିଲା, କିନ୍ତୁ ଏବେ ଏଠାରେ ପିଚୁ ଏବଂ ଗୋଡି ପଡିଛି।
ପଡୋଶୀ ଭରତ କୁମାରଙ୍କ କହିବା ମୁତାବକ, ଗତ ୧୦ ବର୍ଷ ହେଲା ଏହି ରାସ୍ତାଟି ତିଆରି ହୋଇପାରୁନଥିଲା। ରାସ୍ତା ସାରା ଖାଲ ଢ଼ିପ ଭର୍ତ୍ତି ଥିଲା। ଏବେ ଏହାକୁ ମରାମତି କରାଯାଇଛି। ଏକ ଦଶନ୍ଧି ପରେ ରାସ୍ତାର ଉନ୍ନତି ହୋଇଛି, କିନ୍ତୁ କାମ ଏଯାଏଁ ସମ୍ପୂର୍ଣ୍ଣ ହୋଇନାହିଁ। ସେ ୱିଙ୍ଗ କମାଣ୍ଡର ପୃଥ୍ୱୀ ସିଂହ ଚୌହାନଙ୍କୁ ପିଲାଦିନରୁ ଜାଣିଥିଲେ। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅବସରରେ ୱିଙ୍ଗ୍ କମାଣ୍ଡର ଏଠାକୁ ଆସିଥିଲେ। ସେତେବେଳେ ତାଙ୍କ ସହ ସାକ୍ଷାତ କରିଥିଲେ ଏବଂ କଥାବାର୍ତ୍ତା ମଧ୍ୟ କରିଥିଲେ ବୋଲି ତାଙ୍କ ପଡୋଶୀ କହିଛନ୍ତି।
ଶନିବାର ଦିନ ପୃଥ୍ୱୀ ସିଂହଙ୍କ ପାର୍ଥୀବ ଶରୀରକୁ ବିମାନ ଯୋଗେ ଆଗ୍ରାସ୍ଥିତ ତାଙ୍କ ବାସଭବନ ସରନ ନାଗରକୁ ଅଣାଯିବ। ଏହା ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଶନିବାର ଦିନ ତାଜଗଞ୍ଜର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ୱିଙ୍ଗ କମାଣ୍ଡରଙ୍କ ପରିବାର ସଦସ୍ୟ କହିଛନ୍ତି।
ବାୟୁସେନାରେ ଯୋଗଦେବା ପରେ ପୃଥ୍ୱୀଙ୍କ ପ୍ରଥମ ପୋଷ୍ଟିଂ ହାଇଦ୍ରାବାଦରେ ହୋଇଥିଲା। ଏହା ପରେ ତାଙ୍କୁ ଗୋରଖପୁର, ଗୁଆହାଟି, ଉଧମସିଂ ନାଗର, ଜାମନଗର, ଆଣ୍ଡାମାନ ଏବଂ ନିକୋବର ସମେତ ଅନ୍ୟ ବାୟୁସେନା ଷ୍ଟେସନରେ ପୋଷ୍ଟିଂ ମିଳିଥିଲା। ତାଙ୍କୁ ଏକ ବର୍ଷର ସ୍ୱତନ୍ତ୍ର ତାଲିମ ପାଇଁ ସୁଡାନ ମଧ୍ୟ ପଠାଯାଇଥିଲା। MI-17 ହେଲିକପ୍ଟର ଉଡ଼ାଇବାରେ ୱିଙ୍ଗ କମାଣ୍ଡର ପୃଥ୍ୱୀ ସିଂହ ଚୌହାନଙ୍କ ପ୍ରବଳ ଦକ୍ଷତା ଥିଲେ, ଏଥିପାଇଁ ବାୟୁସେନା ଅଧିକାରୀମାନେ ମଧ୍ୟ ତାଙ୍କୁ ଆଖିବନ୍ଦ କରି ବିଶ୍ୱା କରୁଥିଲେ।। ସୁଡାନରେ ସ୍ୱତନ୍ତ୍ର ତାଲିମ ନେବା ପରେ ପୃଥ୍ୱୀଙ୍କୁ ବାୟୁସେନାର ସାହସୀ ଯୁଦ୍ଧ ପାଇଲଟଙ୍କ ମଧ୍ୟରେ ଗଣାଯାଉଥିଲା।
ସୂଚନା ମୁତାବକ, ତାମିଲନାଡୁର କୁନ୍ନୁରରେ MI-17 ସେନା ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣ ସାହସୀ ପୁଅ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ବେଳେ ପୃଥ୍ୱୀ ସିଂହ ଚୌହାନ ଏହି ସେନା ହେଲିକପ୍ଟରକୁ ଉଡାଉଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।