ଗାଁକୁ ରାସ୍ତା ନ ହେବା ଯାଏ ବାହା ହେବେନି କହିଲେ ଯୁବତୀ, ତା’ପରେ ଘଟିଲା ଏମିତି ଘଟଣା

ବେଙ୍ଗାଲୁରୁ: ଭାରତର ବିଭିନ୍ନ ପ୍ରାନ୍ତରେ ଖରାପ ରାସ୍ତା ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି। ବିଶେଷ କରି ଗ୍ରାମାଞ୍ଚଳଗୁଡ଼ିକରେ ଥିବା ରାସ୍ତା ଅତ୍ୟନ୍ତ ଖରାପ। ନିଜ ଅଞ୍ଚଳକୁ ରାସ୍ତା ଖଣ୍ଡେ ପାଇଁ ଲୋକମାନେ ଅଭିନବ ଉପାୟରେ ଅନେକ ସମୟରେ ବିକ୍ଷୋଭ କରୁଥିବା ଆପଣ ଦେଖିଥିବେ। ହେଲେ ଏବେ ଜଣେ ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଗାଁକୁ ରାସ୍ତାଟିଏ ନିର୍ମାଣ କରିବାକୁ ଯେଉଁଭଳି ଭାବେ ଦାବି ଜଣାଇଛନ୍ତି, ତାହା ହୁଏତ ଆପଣମାନେ କେବେ ଶୁଣି […]

Karnataka

Hemant Lenka
  • Published: Friday, 17 September 2021
  • , Updated: 17 September 2021, 04:30 PM IST

ବେଙ୍ଗାଲୁରୁ: ଭାରତର ବିଭିନ୍ନ ପ୍ରାନ୍ତରେ ଖରାପ ରାସ୍ତା ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି। ବିଶେଷ କରି ଗ୍ରାମାଞ୍ଚଳଗୁଡ଼ିକରେ ଥିବା ରାସ୍ତା ଅତ୍ୟନ୍ତ ଖରାପ। ନିଜ ଅଞ୍ଚଳକୁ ରାସ୍ତା ଖଣ୍ଡେ ପାଇଁ ଲୋକମାନେ ଅଭିନବ ଉପାୟରେ ଅନେକ ସମୟରେ ବିକ୍ଷୋଭ କରୁଥିବା ଆପଣ ଦେଖିଥିବେ।

ହେଲେ ଏବେ ଜଣେ ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଗାଁକୁ ରାସ୍ତାଟିଏ ନିର୍ମାଣ କରିବାକୁ ଯେଉଁଭଳି ଭାବେ ଦାବି ଜଣାଇଛନ୍ତି, ତାହା ହୁଏତ ଆପଣମାନେ କେବେ ଶୁଣି ନଥିବେ। କର୍ଣ୍ଣାଟକାର ଜଣେ ଯୁବତୀ ତାଙ୍କ ଗାଁକୁ ଭଲ ରାସ୍ତା ନ ହେବା ଯାଏ ବାହା ହେବେନାହିଁ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କୁ ଚିଠି ଲେଖିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯୁବତୀଙ୍କ ଏପରି ଅଭିନବ ପ୍ରତିବାଦ ପରେ ପ୍ରଶାସନ ପକ୍ଷରୁ ରାସ୍ତାକାମ ପାଇଁ ତତ୍ପରତା ପ୍ରକାଶ ପାଇଛି। ରାସ୍ତା ପାଇଁ ପ୍ରତିବାଦ କରିଥିବା ଯୁବତୀ ଜଣଙ୍କ ହେଲେ ୨୬ ବର୍ଷୀୟ ବିନ୍ଦୁ। ସେ ଜଣେ ସ୍କୁଲ ଶିକ୍ଷୟିତ୍ରୀ। କର୍ଣ୍ଣାଟକାର ଦାଭାଙ୍ଗେର ଜିଲ୍ଲା ଅନ୍ତର୍ଗତ ଏଚ୍‌ ରାମପୁରା ଗାଁକୁ ରାସ୍ତା ନଥିବାରୁ ଏଠାରେ ଲୋକମାନେ ଅବିବାହିତ ରହୁଥିବା ବିନ୍ଦୁ ଅଭିଯୋଗ କରିଛନ୍ତି।

ସେ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ଲେଖିଥିବା ଚିଠିରେ ଖରାପ ରାସ୍ତା ପାଇଁ ଗାଁର ଲୋକମାନେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେକଥା ଉଲ୍ଲେଖ କରିଥିଲେ। ଏଥିସହ ଯଥାଶୀଘ୍ର ରାସ୍ତା କାମ କରିବାକୁ ଦାବି କରିଥିଲେ। ବିନ୍ଦୁ କହିଛନ୍ତି, “ଆମ ଗାଁକୁ ଯୋଗାଯୋଗ ପାଇଁ କୌଣସି ଭଲ ମାଧ୍ୟମ ନାହିଁ।

ଏହା ଏବେ ବି ପଛୁଆ ହୋଇ ରହିଛି। ଆମ ମାନଙ୍କ ମଧ୍ୟରୁ ଅନେକ ବିବାହ ପ୍ରସ୍ତାବ ପାଉନାହାନ୍ତି। କାରଣ ଗାଁ ବାହାରର ଲୋକମାନେ ଖରାପ ରାସ୍ତା ପାଇଁ ସେମାନଙ୍କ ପିଲାମାନଙ୍କୁ ଗାଁରେ ଉପଯୁକ୍ତ ଶିକ୍ଷା ମିଳିବ ନାହିଁ ବୋଲି ଆଶଙ୍କା କରୁଛନ୍ତି। ତେଣୁ ଯେଉଁ ଯାଏ ଗାଁକୁ ଉପଯୁକ୍ତ ରାସ୍ତା ହୋଇନି ସେ ଯାଏ ମୁଁ ବିବାହ କରିବି ନାହିଁ।”

ବିନ୍ଦୁଙ୍କ ଚିଠି ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ସେମାନେ ତୁରନ୍ତ ଦାବିଗୁଡ଼ିକ ସମାଧାନ ହେବ ବୋଲି କହିଛନ୍ତି। ଏଥିସହ ସିଏମଓ ପକ୍ଷରୁ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତ ରାଜ ବିଭାଗର ଅଧିକାରୀମାନଙ୍କୁ ତୁରନ୍ତ ଗାଁର ରାସ୍ତାକାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମାୟାକୋଣ୍ଡାର ପଞ୍ଚାୟତ ଅଫିସର ଏମଆର ସିଦ୍ଦପ୍ପା କହିଛନ୍ତି, “ଗାଁର ରାସ୍ତା ପାଇଁ ଆମେ ଲକ୍ଷେରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଛୁ। କିନ୍ତୁ ଏହା ରାସ୍ତା ପାଇଁ ଯଥେଷ୍ଟ ନୁହେଁ। ସଂପୂର୍ଣ୍ଣ ରାସ୍ତା କାମ ପାଇଁ ଆମକୁ ୫୦ ଲକ୍ଷରୁ ୧ କୋଟି ଟଙ୍କା ଦରକାର। ଆମେ ସରକାର ଓ ସ୍ଥାନୀୟ ବିଧାୟକଙ୍କୁ ଟଙ୍କା ମଞ୍ଜୁର କରିବାକୁ ନିବେଦନ କରିଛୁ।”

Related story