ବିଜେପି ବିଧାୟକଙ୍କ ଦାମୀ କାର୍‌ ଜାଳିଦେଲେ ଯୁବକ

ଚଣ୍ଡିଗଡ: ବିଜେପି ବିଧାୟକଙ୍କ ଦାମୀ ଗାଡିରେ ଲାଗିଲା ନିଆଁ। ଜଳିଗଲା ତାଙ୍କ ‘ଫର୍ଚୁନର୍‌’ କାର୍‌। ହରିୟାଣା ପାନିପତ୍‌ର ବିଜେପି ବିଧାୟକ ପ୍ରମୋଦ ବିଜ୍‌ଙ୍କ ଫର୍ଚୁନର କାରରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ଚଣ୍ଡିଗଡ଼ର ବିଧାୟକ ହଷ୍ଟେଲରୁ ଆସିଛି।

କାରରେ ନିଆଁ ଲାଗିବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ଅନ୍ୟା କାର ମଧ୍ୟ ପାର୍କିଂ କରାଯାଇଥିଲା। ବିଧାୟକ ପ୍ରମୋଦ ବିଜ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ଅନ୍ୟ କାରଗୁଡିକ ମଧ୍ୟ ସେଠାରେ ପାର୍କିଂ କରାଯାଇଥିଲା କିନ୍ତୁ କେବଳ ମୋ ଗାଡିରେ ହିଁ କିଭଳି ନିଆଁ ଲାଗିଲା ବୋଲି ସେ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜରୁ ତାଙ୍କ ଗାଡିରେ ଜଣେ ଯୁବକ ନିଆଁ ଲଗାଉଥିବା ନଜର ଆସିଛନ୍ତି। ପ୍ରଥମେ ଯୁବକ ଜଣକ ଗାଡିର କାଚ ଭାଙ୍ଗିବା ପରେ କାର୍‌ରେ ନିଆଁ ଲଗାଇ ଦେଉଥିବା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି।

ମଙ୍ଗଳବାର ଦିନ ହରିୟାଣା କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ପାନିପାତ ସହରର ବିଧାୟକ ପ୍ରମୋଦ ବିଜ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଚଣ୍ଡିଗଡ଼ ଯାଇଥିଲେ। ତେବେ ରାତିରେ ହଠାତ୍ ତାଙ୍କ କାରରେ ନିଆଁ ଲାଗିଯାଇଥିବା ସୂଚନା ମିଳିଥିଲା। ଏହି ଘଟଣା ସମୟରେ ବିଧାୟକ ପଞ୍ଚକୁଲାରେ ଥିଲେ ଏବଂ ତାଙ୍କ ପିଏ୍‌ ଏବଂ ଅନ୍ୟ କର୍ମଚାରୀମାନେ ଚଣ୍ଡିଗଡ଼ ସ୍ଥିତ ବିଧାୟକ ହଷ୍ଟେଲରେ ଥିଲେ।

ନିଆଁ ଲାଗିବା ଖବର ପାଇ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏବେ ସିସିଟିଭି ଫୁଟେଜ ଆଧାରରେ ପୁଲିସ ମାମଲାର ତଦନ୍ତ କରୁଛି। ଚଣ୍ଡିଗଡ ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜରେ ନଜର ଆସିଥିବା ଉକ୍ତ ଯୁବକକୁ ଖୋଜିବା ଆରମ୍ଭ କରିଛି।

ସୂଚନା ମୁତାବକ, ହରିୟାଣା କ୍ୟାବିନେଟ୍‌ ସମ୍ପ୍ରସାରଣ ପରେ ବିଜେପିରେ ଅନ୍ତଃକନ୍ଦଳ ଆରମ୍ଭ ହୋଇଛି। ଅନେକ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଏହି କନ୍ଦଳ ଏବେ ଦିଲ୍ଲୀ ଦରବାରରେ ଯାଇ ପହଞ୍ଚିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।