ନୂଆଦିଲ୍ଲୀ: ଆଜି ବ୍ରିଟେନର ଏକ ତେଲ ଟ୍ୟାଙ୍କରକୁ ଇରାନ ଜବତ କରିଛି। ଇରାନର ସମୁଦ୍ର ସୁରକ୍ଷା ବଳ ବା ଇରାନ୍ ରିଭଲ୍ୟୁସନାରୀ ଗାର୍ଡସ ଅନ୍ତରାଷ୍ଟ୍ରୀୟ ସମୁଦ୍ର ନିୟମ ଅନୁସାରେ ସ୍ଟ୍ରେଟ ଅଫ ହୋର୍ମୁଜ ଠାରୁ ଏହି ଟ୍ୟାଙ୍କରକୁ ଜବତ କରିଛି। ଏହି ଟ୍ୟାଙ୍କର ଭିତରେ ୨୩ ଜଣ କର୍ମଚାରୀ ରହିଥିବାବେଳେ ସେମାନଙ୍କ ମଧ୍ୟରେ କିଛି ଭାରତୀୟ ମଧ୍ୟ ଅଛନ୍ତି। ତେବେ ଏଥିରେ ଭାରତୀୟଙ୍କ ସଂଖ୍ୟା କେତେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ବ୍ରିଟେନର ଏହି ଟ୍ୟାଙ୍କର ଅନ୍ତର୍ଜାତୀୟ ଜଳସୀମା ଦେଇ ଯାଉଥିବାବେଳେ ହଠାତ୍ ଏହା ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା। ପରେ ଜଣାପଡ଼ିଥିଲା ଯେ ଏହି ଟ୍ୟାଙ୍କରକୁ ଉତ୍ତର ଇରାନ ଆଡ଼କୁ ନିଆଯାଇଛି। ଏହି ଘଟଣାକୁ ବ୍ରିଟେନ ଗୁରୁତର ସହ ନେଇଛି। ବ୍ରିଟେନ କହିଛି, ଟ୍ୟାଙ୍କର ବାବଦରେ ଅନୁସନ୍ଧାନ ଚାଲିଛି। ଏହା ସାଉଦି ଆରବ ଯାଉଥିଲା ଓ ଷ୍ଟ୍ରେଟ ଅଫ ଗଲ୍ଫ ଆଡେ ମୁହାଁଇଥିଲା । ଟ୍ୟାଙ୍କରର କ୍ରୁ ମେମ୍ବରଙ୍କ ସହ ଯୋଗାଯୋଗ ହୋଇ ପାରୁନାହିଁ ।
ତେବେ ଇରାନର ମିଡିଆ ରିପୋର୍ଟ ଅନୁସାରେ ଟ୍ୟାଙ୍କରକୁ ବନ୍ଦରରେ ଅଟକ ରଖାଯାଇଛି କାରଣ ଏହା ରିଭଲ୍ୟୁସନାରୀ ଗାର୍ଡସଙ୍କ ଚେତାବନୀକୁ ଅଣଦେଖା କରି ଭୁଲ ଦିଗରେ ଗତି କରୁଥିଲା। କିନ୍ତୁ ଅନ୍ୟ ଏକ ଟ୍ୟାଙ୍କରକୁ କିଛି ସମୟ ଅଟକ ରଖି ଛାଡ଼ିଦିଆଯାଇ ଥିଲା ବୋଲି ଜଣାପଡ଼ିଛି।
ବ୍ରିଟେନ ବୈଦେଶିକ ସଚିବ ଜେରେମୀ ହଣ୍ଟ ଇରାନକୁ ଏହି ଅବସରରେ ଚେତାବନୀ ଦେଇଛନ୍ତି। ସେ ଇରାନକୁ କହିଛନ୍ତି, ଶୀଘ୍ର ଟ୍ୟାଙ୍କରକୁ ଛାଡ଼ି ଦିଅ। ନହେଲେ ପରିଣାମ ଜଟିଳ ହେବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।