ଇସଲାମାବାଦ: ପାକିସ୍ତାନ ରାଜନୀତିରେ ହଟଚମଟ। ଦୀର୍ଘ ୨ ମାସ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ସେନା ପ୍ରମୁଖ ଜେନେରାଲ କମର ଜାଭେଦ ବାଜଓ୍ୱାଙ୍କ ମଧ୍ୟରେ ଭେଟଘାଟ ପରେ ହଠାତ୍ ଦୁଇ ଦିନିଆ ଛୁଟିରେ ଯାଇଛନ୍ତି ଇମ୍ରାନ୍ ଖାନ୍। ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ଅନେକ ଚର୍ଚ୍ଚା। ଦୀର୍ଘ ଦିନ ପରେ ଇମ୍ରାନ୍ ଓ ବାଜଓ୍ୱାଙ୍କ ମଧ୍ୟରେ ଭେଟଘାଟ ହୋଇଥିଲେ ମଧ୍ୟ ପରସ୍ପରର ମୁହଁରେ ହସ ବଦଳରେ ଗମ୍ଭୀରତା ଅଧିକ ଥିଲା ବୋଲି ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶ ପାଇଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ହଠାତ୍ ୨ ଦିନିଆ ଛୁଟିରେ ଯିବାରୁ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ମଧ୍ୟ ଆଶ୍ଟର୍ଯ୍ୟ ପ୍ରକାଶ କରିଛନ୍ତି। ତେଣୁ ୨ ଦିନ ପାଇଁ ସମସ୍ତ କାମରେ ରୋକ୍ ଲାଗିଛି। ପ୍ରଧାନମନ୍ତ୍ରୀ ଭାବରେ ଇମ୍ରାନ୍ ଖାନ୍ ଦାୟିତ୍ୱ ଗ୍ରହଣ କରିବା ପରେ କେବେ ଛୁଟି ନେଇନଥିଲେ। ପ୍ରଥମ ଥର ପାଇଁ ୨ ଦିନିଆ ଛୁଟିରେ ଯାଇଥିବାରୁ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ଦେଖୁଛନ୍ତି ପାକିସ୍ତାନବାସୀ।
ସୋଶାଲ ମିଡିଆରେ କିଛି ଲୋକ କହିଛନ୍ତି, ‘ପରିବାର ସହିତ ସମୟ ବିତାଇବା ପାଇଁ ଇମ୍ରାନଙ୍କୁ ଏବେ ସମୟ ମିଳିଲା’। ସେହିଭଳି ଇମ୍ରାନଙ୍କ ରାଜନୀତିକ ବିରୋଧୀ ଦଳମାନେ କହିଛନ୍ତି ‘ପ୍ରଧାନମନ୍ତ୍ରୀ ଏହି ଦୁଇ ଦିନ ଛୁଟିରେ ନିଷ୍ପତ୍ତି ନେବା ଦରକାର, ଆଗାମୀ ଦିନରେ ଲମ୍ୱା ଛୁଟିରେ ଗଲେ କେଉଁଠି ସମୟ କାଟିବେ’।
ସୂଚନାଯୋଗ୍ୟ, ପାକିସ୍ତାନର ଅର୍ଥନୀତି ଏବେ ବହୁତ ଖରାପ ରହିଛି। ଏବେ ପାକିସ୍ତାନର ଅନେକ ଜିନିଷର ଦରଦାମ ଆକାଶ ଛୁଆଁ ରହିଛି। ଏହାକୁ ନେଇ ପାକିସ୍ତାନବାସୀ ଇମ୍ରାନ ସରକାରଙ୍କ ବିରୋଧରେ ଅସନ୍ତୁଷ୍ଟ ରହିଛନ୍ତି। ସେହିଭଳି ଗତମାସ ଶେଷରେ ପାକିସ୍ତାନର ଦକ୍ଷିଣ ପନ୍ଥୀ ସଂଗଠନ ଜାମିଅତ୍ ଉଲେମା ଇ ଇସ୍ଲାମ ଫଜଲ ମୁଖ୍ୟ ମୌଲାନା ଫଜଲୁର ରେହମାନ ଇମ୍ରାନ ସରକାରଙ୍କ ବିରୋଧରେ ‘ଆଜାଦି ଶୋଭାଯାତ୍ରା’ ନାମରେ ଆନ୍ଦୋଳନ କରିଥିଲା। ଏହି ଆନ୍ଦୋଳନକୁ ବିରୋଧୀ ମୁସଲିମ୍ ଲିଗ୍-ନୱାଜ୍ (ପିଏମ୍ଏଲ୍-ଏନ୍) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଜାମିଅତ୍ ଉଲେମା ଇ ଇସ୍ଲାମ ଫଜଲକୁ ସମର୍ଥନ କରିଥିଲେ। ଉଭୟ ମିଶି ଇମ୍ରାନଙ୍କ ଇସ୍ତଫା ଦାବି କରିଥିଲେ। ସରକାର ସମାଧାନ ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଫଳପ୍ରଦ ହୋଇପାରିନଥିଲା।
‘ଆଜାଦି ଶୋଭାଯାତ୍ରା’ ପ୍ରସଙ୍ଗରେ ସମାଧାନ ପାଇଁ ସରକାର ସେନାର ହସ୍ତକ୍ଷେପ ଲୋଡ଼ିଥିଲେ। ହେଲେ ସହଯୋଗ କରିବ ନାହିଁ ବୋଲି ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଅସିଫ୍ ଗଫୁର କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।