ଦେଶରେ ବଢ଼ିଲା, ଓଡ଼ିଶାରେ ବଢ଼ିଲେନି ବାଘ

ନୂଆଦିଲ୍ଲୀ: ଦେଶରେ ମୋଟ କେତେ ବାଘ ରହିଛନ୍ତି, ତା’ର ତାଲିକା ଆଜି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ୨୦୧୮ ବାଘ ଗଣନା ରିପୋର୍ଟକୁ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସାର୍ବଜନୀନ କରିଛନ୍ତି। ରିପୋର୍ଟ ଅନୁସାରେ ୨୦୧୪ ତୁଳନାରେ ୨୦୧୮ରେ ଦେଶରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୪ରେ ଦେଶରେ ମୋଟ ବାଘଙ୍କ ସଂଖ୍ୟା ୨୨୨୬ ଥିବା ବେଳେ ୨୦୧୮ରେ ଏହା ୨୯୬୭ ହୋଇଛି। ଅର୍ଥାତ ୪ ବର୍ଷ ମଧ୍ୟରେ ଦେଶରେ ୭୪୧ଟି […]

t

Hemant Lenka
  • Published: Tuesday, 28 July 2020
  • , Updated: 28 July 2020, 03:45 PM IST

ନୂଆଦିଲ୍ଲୀ: ଦେଶରେ ମୋଟ କେତେ ବାଘ ରହିଛନ୍ତି, ତା’ର ତାଲିକା ଆଜି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ୨୦୧୮ ବାଘ ଗଣନା ରିପୋର୍ଟକୁ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସାର୍ବଜନୀନ କରିଛନ୍ତି। ରିପୋର୍ଟ ଅନୁସାରେ ୨୦୧୪ ତୁଳନାରେ ୨୦୧୮ରେ ଦେଶରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଛି।

୨୦୧୪ରେ ଦେଶରେ ମୋଟ ବାଘଙ୍କ ସଂଖ୍ୟା ୨୨୨୬ ଥିବା ବେଳେ ୨୦୧୮ରେ ଏହା ୨୯୬୭ ହୋଇଛି। ଅର୍ଥାତ ୪ ବର୍ଷ ମଧ୍ୟରେ ଦେଶରେ ୭୪୧ଟି ଅଧିକ ବାଘ ରହିଛନ୍ତି।

ଦେଶରେ ବାଘଙ୍କ ସଂଖ୍ୟା ବଢ଼ିଥିଲେ ହେଁ ଓଡ଼ିଶାରେ ବାଘଙ୍କ ସଂଖ୍ୟା ବଢ଼ିନାହିଁ। ୨୦୧୪ରେ ଓଡ଼ିଶାରେ ୨୮ଟି ବାଘ ଥିବା ବେଳେ ୨୦୧୮ରେ ସେହି ୨୮ଟି ବାଘ ରହିଛନ୍ତି।

ଓଡ଼ିଶାର ସାତକୋଶିଆ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ବାଘଙ୍କ ସଂଖ୍ୟା ଆଶାତୀତ ହ୍ରାସ ପାଇଛି। ଶିମିଳିପାଳରେ ଏବେ ୮ଟି ବାଘ ଥିବା ଦର୍ଶାଯାଇଥିବାବେଳେ ସାତକୋଶିଆରେ ଗୋଟିଏ ବାଘ ଥିବା ଗଣନା କରାଯାଇଛି। ବାଘଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଶିମିଳି ପାଳରେ ୧୪୧ଟି କ୍ୟାମେରା ଲାଗିଥିବା ବେଳେ ମାତ୍ର ୮ଟି ବାଘଙ୍କ ଗତିବିଧିକୁ ରେକର୍ଡ କରାଯାଇଛି। ସାତକୋଶିଆରେ ୮ଟି କ୍ୟାମେରା ଲାଗିଥିବା ବେଳେ ଗୋଟିଏ ବାଘ ଏଠାରେ ଠାବ ହୋଇଛି। ଦେବ୍ରୀଗଡ଼ ବନ୍ୟଜନ୍ତୁ ଅଭ୍ୟାରଣରେ ଗୋଟିଏ ବାଘ ଚିହ୍ନଟ ହୋଇଛି।

୨୦୧୪ରେ ୨୮ଟି ବାଘ ଓଡ଼ିଶାରେ ଥିବା ବେଳେ ନୂଆ କରି ଜନ୍ମ ହୋଇଥିବା ବାଘମାନେ ଗଲେ କୁଆଡ଼େ? ବାଘ ଗଣନାରେ ଏକ ବର୍ଷରୁ କମ ବୟସ୍କ ବାଘଙ୍କୁ ତାଲିକାରେ ସାମିଲ କରାଯାଇ ନାହିଁ। ୨୦୦୨ରେ ଓଡ଼ିଶାରେ ୧୯୨ ବଣୁଆ ବାଘ ରହିଥିଲେ। ଏହା ମଧ୍ୟରେ ୬୦ଟି ବର୍ଷରୁ କମୟ ବୟସ୍କ ବାଘ ମଧ୍ୟ ରହିଥିଲେ।

ଯଦି ଛୁଆମାନଙ୍କୁ ବାଦ ଦିଆଯାଏ, ତା’ହେଲେ ଏହି ସଂଖ୍ୟା ୧୩୨ ହେବ। ହେଲେ ୨୦୧୮ରେ ଏହା କେମିତି ୨୮ ହେଲା ବୋଲି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଯଦି ଏବେ ୨୮ଟି ବାଘ ରାଜ୍ୟରେ ଅଛନ୍ତି, ତା’ହେଲେ ଆମେ ୧୬ ବର୍ଷ ମଧ୍ୟରେ ୧୦୪ଟି ବାଘକୁ ହରାଇ ସାରିଲେଣି।

ରାଜ୍ୟ ସରକାର ବାଘର ସଂରକ୍ଷଣ ପାଇଁ ୬୦ କୋଟି ଟଙ୍କା ଖର୍ଚ୍ଚ କରିଥିବା କହିଥିଲେ ହେଁ ଏବେ ବାଘଙ୍କ ସଂଖ୍ୟା ବୃଦ୍ଧି କରିବାରେ ସହାୟକ ହୋଇନାହିଁ। ରାଜ୍ୟ ସରକାରଙ୍କ ଗଣନା ଅନୁଯାୟୀ, ୨୦୦୬ ଓ ୨୦୧୬ ସଂଖ୍ୟାକୁ ଦେଖିଲେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ୭୫ଟି ବାଘଙ୍କ ମୃତ୍ୟୁ ଘଟିଛି। ସେହିପରି ସାତକୋଶିଆରେ ଦୁଇଟି ବାଘ ରହିଥିଲେ। ଗୋଟିଏକୁ ଶିକାରୀମାନେ ମାରି ଦେଇଥିବା ବେଳେ ଆଉ ଗୋଟିଏ ବାଘକୁ ବନ୍ଦୀ କରାଯାଇଥିଲା।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶ, କର୍ଣ୍ଣାଟକା, ମହାରାଷ୍ଟ୍ର ଓ କେରଳରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୪ରେ ମଧ୍ୟପ୍ରଦେଶରେ ୩୦୮ ବାଘ ରହିଥିବା ବେଳେ ୨୦୧୮ରେ ଏହା ୫୨୬ ହୋଇଛି। ସେହିପରି କର୍ଣ୍ଣାଟକରେ ୨୦୧୪ରେ ୪୦୬ ବାଘ ରହିଥିବା ବେଳେ ୨୦୧୮ରେ ୫୨୪, ମହାରାଷ୍ଟ୍ରରେ ୧୯୦ରୁ ବୃଦ୍ଧି ପାଇ ୩୧୨ ଓ କେରଳରେ ୧୩୬ରୁ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯୦ରେ ପହଞ୍ଚିଛି। ଛତିଶଗଡ଼ ଓ ମିଜୋରାମରେ ମଧ୍ୟ ବାଘଙ୍କ ସଂଖ୍ୟା ହ୍ରାସ ପାଇଛି।

Related story