ପାକିସ୍ତାନ ପୁଣି ହେଲା ଲଜ୍ଜିତ, ଜାତିସଂଘ ସୁରକ୍ଷା ପରିଷଦରେ ମିଳିଲାନି ସମର୍ଥନ

ନୂଆଦିଲ୍ଲୀ:  ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପୂର୍ବରୁ ପାକିସ୍ତାନକୁ ଝଟକା। ଚାଇନାକୁ ଛାଡ଼ି ଅନ୍ୟ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରିବେ ନାହିଁ ବୋଲି ବୈଠକ ପୂର୍ବରୁ ଅନୁଷ୍ଠିତ ଏକ ଗୁପ୍ତ ବୈଠକରେ ଅନ୍ୟ ସଦସ୍ୟ ରାଷ୍ଟ୍ର ଗୁଡ଼ିକ କହିଛନ୍ତି। ଫଳରେ ପାକିସ୍ତାନକୁ ପୁଣି ଥରେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେବାକୁ ପଡ଼ିଛି। ପାକିସ୍ତାନ ପାଇଁ ତା’ର ମିତ୍ର ରାଷ୍ଟ୍ର ଚାଇନା ଏହି ଗୁପ୍ତ ଅନୌପଚାରିକ ବୈଠକର […]

IMRAN-KHAN

Subhransu Sekhar
  • Published: Friday, 16 August 2019
  • , Updated: 16 August 2019, 02:40 PM IST

ନୂଆଦିଲ୍ଲୀ:  ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ପୂର୍ବରୁ ପାକିସ୍ତାନକୁ ଝଟକା। ଚାଇନାକୁ ଛାଡ଼ି ଅନ୍ୟ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରିବେ ନାହିଁ ବୋଲି ବୈଠକ ପୂର୍ବରୁ ଅନୁଷ୍ଠିତ ଏକ ଗୁପ୍ତ ବୈଠକରେ ଅନ୍ୟ ସଦସ୍ୟ ରାଷ୍ଟ୍ର ଗୁଡ଼ିକ କହିଛନ୍ତି। ଫଳରେ ପାକିସ୍ତାନକୁ ପୁଣି ଥରେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେବାକୁ ପଡ଼ିଛି। ପାକିସ୍ତାନ ପାଇଁ ତା'ର ମିତ୍ର ରାଷ୍ଟ୍ର ଚାଇନା ଏହି ଗୁପ୍ତ ଅନୌପଚାରିକ ବୈଠକର ଆୟୋଜନ କରିଥିଲା।

ନିକଟରେ  ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଯାହାକୁ ନେଇ ପାକିସ୍ତାନ ଏବେ ବିଚଳିତ। ପ୍ରତ୍ୟେକ ଦିନ ଗୋଟିଏ ପରେ ଗୋଟିଏ ଦାବି ଖାରଜ ହେବା ପରେ ଶେଷରେ ଜାତିସଂଘ ସୁରକ୍ଷା ପରିଷଦର ସଭାପତିଙ୍କ ଶରଣରେ ପଶିଥିଲା ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ଜରୁରୀକାଳୀନ ବୈଠକ ଡ଼ାକିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦକୁ ନିବେଦନ କରିଥିଲା ପାକିସ୍ତାନ। ମଙ୍ଗଳବାର ରାତିରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଏହି ସୂଚନା ଦେଇଥିଲେ। ଜାତିସଂଘରେ ପାକିସ୍ତାନ ଦର୍ଶାଇଥିଲା ଯେ କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ଅସାମ୍ୱିଧାନିକ। ଭାରତର ଏଭଳି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ହୋଇଥିବା ଶିମଲା ଚୁକ୍ତିକୁ ଉଲ୍ଲଂଘନ କରୁଛି ବୋଲି ମଧ୍ୟ କହିଥିଲା।

ଏହାପରେ ଆଜି ଜାତିସଂଘରେ ଏ ସଂକ୍ରାନ୍ତ ବୈଠକ ବସିବା ପୂର୍ବରୁ ଚାଇନା ବିଭିନ୍ନ ଦେଶକୁ ନେଇ ବୈଠକ କରିଥିଲା। ଯେଉଁଥିରେ ସୁରକ୍ଷା ପରିଷଦରେ ସାମିଲ ଥିବା ୫ ସ୍ଥାୟୀ ଓ ୧୦ ଅସ୍ଥାୟୀ ଦେଶଙ୍କ ମଧ୍ୟରୁ ଚାଇନାକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି। ଯାହାକି ପାକିସ୍ତାନର କଟା ଘାରେ ଚୂନ ଲାଗିବା ସଦୃଶ ହୋଇଛି। ସେମାନେ ସ୍ପଷ୍ଟ କରିଛନ୍ତି କଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ଉଭୟ ଆପୋସ ଆଲୋଚନା କରି ବିବାଦର ସମାଧାନ କରିବା ଉଚିତ୍। ଏଥିରେ ତୃତୀୟ ପକ୍ଷ ସାମିଲ୍ ହେବା ଉଚିତ୍ ନୁହେଁ।

ଜାତିସଂଘରେ ଆଜି ଦ୍ୱିତୀୟ ଥର ପାଇଁ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ ୧୯୬୯-୭୧ରେ ଜାତିସଂଘ ସୁରକ୍ଷା ପରିଷଦରେ ଏ ସଂକ୍ରାନ୍ତ ବୈଠକ ହୋଇଥିଲା।

ସୂଚନାଯୋଗ୍ୟ, ଜାତିସଂଘ ସୁରକ୍ଷା ପରିଷଦରେ ୧୫ଟି ଦେଶ ସଦସ୍ୟ ରହିଛନ୍ତି। ଯେଉଁଥିରେ ୫ଟି ରାଷ୍ଟ୍ର ସ୍ଥାୟୀ ସଦସ୍ୟ ରହିଥିବା ବେଳେ ୧୦ ଜଣ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ସ୍ଥାୟୀ ସଦସ୍ୟ ଗୁଡ଼ିକ ହେଲେ ଆମେରିକା, ଋଷିଆ. ଚାଇନା, ବ୍ରିଟେନ୍ ଏବଂ ଫ୍ରାନ୍ସ। ଅସ୍ଥାୟୀ ସଦସ୍ୟ ହେଲେ ବେଲଜିୟମ, କୋଟ ଡିବୋଏର, ଡୋମିନିକ ରିପବ୍ଲିକ୍, ଗାଏନୀ, ଜର୍ମାନୀ, ଇଣ୍ଡୋନେସିଆ, କୁଏତ୍, ପେରୁ, ପୋଲାଣ୍ଡ ଏବଂ ସାଉଥ ଆଫ୍ରିକା।

ତେବେ ଚାଇନା ପାକିସ୍ତାନକୁ ସମର୍ଥନ କରିବା ପଛରେ ତାର ନିଜସ୍ୱ ସ୍ୱାର୍ଥ ରହିଛି ବୋଲି ଏବେ ଆଲୋଚନା ହେଉଛି। ପାକିସ୍ତାନରୁ ଚାଇନା ବେଲ୍ଟ ରୋଡ ଇନିଶିଏଟିଭ୍(ବିଆରଓ) କରୁଛି। ଯାହାକି ଚାଇନା ଓ ପାକିସ୍ତାନକୁ ସଡ଼କ ପଥ ମାଧ୍ୟମରେ ଯୋଡ଼ିବ। ଏଥିସହ ପାକିସ୍ତାନରେ ଚାଇନା ଅନେକ ବ୍ୟବସାୟିକ ପ୍ରକଳ୍ପରେ ପୁଞ୍ଜିନିବେଶ କରିଥିବାରୁ ଚାଇନା ନିଜ ସ୍ୱାର୍ଥ ରକ୍ଷା ନିମନ୍ତେ ପାକିସ୍ତାନକୁ ସମର୍ଥନ କରୁଛି ବୋଲି ଜଣାପଡ଼ିଛି।

Related story