ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସାମ୍ବାଦିକ ହେବା ଆଜିକାଲି ବହୁତ ମହଙ୍ଗା ପଡ଼ୁଛି। ଏପରିକି ଜୀବନ ଚାଲି ଯିବାର ଭୟ ରହିଛି। କିଛି ବର୍ଷ ମଧ୍ୟରେ କ୍ରମାଗତ ଭାବେ ସାରା ବିଶ୍ୱରେ ସାମ୍ବାଦିକଙ୍କ ଉପରେ ହେଉଛି ମରଣାନ୍ତକ ଆକ୍ରମଣ। ନ୍ୟୁଜ୍ ପେପର୍ ଅଫିସରେ ପଶି ଜଣେ ଆତତାୟୀର ଆଖିବୁଜା ଗୁଳି ଚାଳନାରେ ପ୍ରାଣ ହରାଇଛନ୍ତି ୫ ଜଣ ସାମ୍ବାଦିକ। ଏହି ଘଟଣା ଘଟିଛି ଆମେରିକା ମେରିଲ୍ୟାଣ୍ଡର କ୍ୟାପିଟାଲ ଗ୍ୟାଜେଟ୍ ଖବର କାଗଜ ଅଫିସରେ।
“୨୯ ମେ, ୨୦୧୮ , ସମୟ ୧୨ ଟା ସମୟରେ ଜଣେ ବନ୍ଧୁକଧାରୀ ପଶି ଆଖିବୁଜା ଗୁଳି ଚଲାଇବା ଫଳରେ କିଛି ଲୋକ ମରି ବି ଗଲେଣି, ଦୟାକରି ଆମକୁ ସାହାଯ୍ୟ କରନ୍ତୁ”। ଏଭଳି ଏକ ଟ୍ୱିଟ୍ ଆମେରିକାର ପୋଲିସର ନିଦ ହଜାଇ ଦେଇଥିଲା। ଏହି ଟ୍ୱିଟ୍ ଆସିଥିଲା ଆମେରିକାର ମେରିଲ୍ୟାଣ୍ଡ ସହରରେ ଥିବା କ୍ୟାପିଟାଲ ଗ୍ୟାଜେଟ୍ ନ୍ୟୁଜରୁମରୁ। ପ୍ରାଣରକ୍ଷା ପାଇଁ ପୋଲିସକୁ ଆକୁଳ ହୋଇ ସାହାଯ୍ୟ ମାଗୁଥିଲେ ସାମ୍ବାଦିକମାନେ। ଆଉ ଏହା ହିଁ ବୟାନ କରୁଛି କେତେ ଭୟଙ୍କର ଥିଲା କ୍ୟାପିଟାଲ ଗ୍ୟାଜେଟର ନ୍ୟୁୟଜରୁମର ପରିସ୍ଥିତି। ଗୁଳିକାଣ୍ଡରେ କ୍ୟାପିଟାଲ ଗ୍ୟାଜେଟର ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ସାମ୍ବାଦିକମାନେ କାମ କରୁଥିବା ବେଳେ କେହି କିଛି ବୁଝିବା ଆଗରୁ ବନ୍ଧୁକ ଧରି ମାଡି ଆସିଥିଲା ଦୁର୍ବୁତ୍ତ ଓ ନ୍ୟୁଜରୁମର ଝରକା ବାଟେ ଆଖିବୁଜା ଗୁଳି ଚଳାଇଥିଲା।
ଖବର ମିଳିବା ମାତ୍ରେ ଆକ୍ସନକୁ ଆସିଯାଇଥିଲା କାଉଣ୍ଟି ପୋଲିସ। ଘଟଣା ସ୍ଥଳକୁ ପୁରା ସିଲ ପରେ ସାମ୍ବାଦିକଙ୍କୁ ଉଦ୍ଧାର କରାଯାଇଥିଲା। ସେହି ସମୟରେ ଟେବୁଲ ତଳେ ଲୁଚି ରହିଥିବା ଅବସ୍ଥାରେ ଧରାପଡିଥିଲା ଆତତାୟୀ। ପ୍ରାଥମିକ ତଦନ୍ତରୁ ଜଣାପଡିଛି, କ୍ୟାପିଟାଲ ଗ୍ୟାଜେଟର ସାମ୍ବାଦିକଙ୍କ ସହିତ ଆତତାୟୀ ଜାରେଡ ଓ୍ୱାରେନ ରାମୋସର ଶତ୍ରୁତା ଥିଲା। କୋର୍ଟରେ ମାନହାନୀ ମକଦ୍ଦମା ମଧ୍ୟ ଚାଲିଛି। ବୋଧହୁଏ ପ୍ରତିଶୋଧ ନେବାକୁ ଏଭଳି ଜଘନ୍ୟକାଣ୍ଡ କରିଛି ରାମୋସ୍।
ଏହି ଘଟଣା ପରେ ମୃତ୍ୟୁବରଣ କରିଥିବା ନିର୍ଭିକ ସାମ୍ବାଦିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଦିନକୁ ଦିନ ବିଶ୍ୱରେ ଗଣମାଧ୍ୟମ ଉପରେ ବଢୁଛି ଆକ୍ରମଣ। କେବଳ ବିଦେଶ ନୁହେଁ, ଭାରତରେ ଗୌରୀ ଲଙ୍କେଶ ଓ ସୁଜାତ ବୁଖାରୀଙ୍କ ପରି ନିର୍ଭୀକ ସାମ୍ବାଦିକମାନେ ସତ୍ୟ ପାଇଁ ଜୀବନ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।