ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୭ ତାରିଖରେ ଦିନିକିଆ ଜମ୍ମୁ-କାଶ୍ମୀର ଗସ୍ତରେ ଯିବେ। ଏନେଇ ସୋମବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱର୍ଗତ କଂଗ୍ରେସ ନେତା ଗିରିଧାରୀ ଲାଲ୍ ଡେଗାରାଙ୍କ ଜନ୍ମ ଉତ୍ସବରେ ମୋଦି ସାମିଲ ହେବାକୁ ସେଠାକୁ ଯାଉଛନ୍ତି।
ମୋଦି ଏହି ଅବସରରେ ଜମ୍ମୁ ଓ କାଶ୍ମୀର ପାଇଁ ୭୦ ହଜାର କୋଟି ଟଙ୍କାର ବିକାଶ ଯୋଜନା ଘୋଷଣା କରିପାରନ୍ତି। ଯଦି ମୋଦି ଏହି ବିକାଶ ଯୋଜନା ଘୋଷଣା କରନ୍ତି ତେବେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରକୁ ଯୋଗାଇ ଦିଆଯାଇଥିବା ଅନୁଦାନ ମଧ୍ୟରେ ସର୍ବାଧିକ ହେବ।
ପୂର୍ବରୁ କୁହାଯାଉଥିଲା ଯେ, ମୋଦି ଏହି ଗସ୍ତ ସମୟରେ ଶ୍ରୀନଗରରେ ମୁସଲମାନଙ୍କ ସହିତ ଇଦ୍ ପାଳିବେ ଓ ଏକ ଇଫତାର୍ ପାର୍ଟି ଡାକିବେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସେଭଳି କିଛି ସୂଚନା ଦିଆଯାଇନାହିଁ।