ନୂଆଦିଲ୍ଲୀ: ଜଷ୍ଟିସ୍ ବିଏଚ୍ ଲୋୟାଙ୍କ ମୃତ୍ୟୁ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସବୋର୍ଚ୍ଚ ଅଦାଲତଙ୍କ ନିକଟରେ ଜଷ୍ଟିସ୍ ଲୋୟାଙ୍କ ମୃତଦେହ ବ୍ୟବଚ୍ଛେଦର ରିପୋର୍ଟ ଦାଖଲ ହୋଇଛି। ଏକ ବନ୍ଦ ଲଫାପାରେ କୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି ମହାରାଷ୍ଟ୍ର ସରକାର।
ଗତ ଥରର ଶୁଣାଣିରେ ମାମଲାକୁ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇବା ସହ ପୋଷ୍ଟମର୍ଟମ୍ ରିପୋର୍ଟ ମାଗିଥିଲେ କୋର୍ଟ। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମାମଲା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଲଢ଼ୁଛନ୍ତି । ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ୍ ଏମଏନ ସାନ୍ତାଗୌଦାର ଏହି ମାମଲାର ଶୁଣାଣି କରିଛନ୍ତି।
୨୦୧୪ରେ ଏକ ବିବାହ କାର୍ଯ୍ୟକ୍ରମ ପାଇଁ ନାଗପୁର ଯାଇଥିବା ଜଷ୍ଟିସ୍ ଲୋୟାଙ୍କ ମତ୍ୟୁ ହୃଦଘାତରେ ହୋଇଥିଲା। ତେବେ ଏଥିରେ ସନ୍ଦେହ ପ୍ରକଟ କରି ମାମଲାର ଯାଞ୍ଚ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ମାମଲାକୁ ପ୍ରଭାବିତ କରିବା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା। ସିବିଆଇ ଜଜ୍ ଜଷ୍ଟିସ୍ ବି.ଏଚ. ଲୋୟାଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ସବୋର୍ଚ୍ଚ ଅଦାଲତଙ୍କ ନିକଟରେ ଦାଖଲ ଜନସ୍ୱାର୍ଥ ମାମଲା ହୋଇଛି। ସେପଟେ ଜଷ୍ଟିସ ଲୋୟାଙ୍କ ମୃତ୍ୟୁକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।