ବେଙ୍ଗାଲୁରୁ: କର୍ଣ୍ଣାଟକା ବାଚସ୍ପତି କେଆର୍ ରମେଶ କୁମାର ଆଜି ୧୧ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକ ଏବଂ ୩ ଜଣ ଜେଡିଏସ୍ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ଆସ୍ଥା ଭୋଟ୍ ପାଇଁ ବିଜେପିକୁ ସୁବିଧା ହୋଇଛି। ଗୃହରେ ମ୍ୟାଜିକ୍ ନମ୍ବର ହ୍ରାସ ପାଇଥିବାରୁ ସୁବିଧା ସ୍ଥିତିରେ ଥିବା କର୍ଣ୍ଣାଟକା ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ସୋମବାର ଫ୍ଲୋର ଟେଷ୍ଟ ପାଇଁ ଶତ ପ୍ରତିଶତ ପ୍ରସ୍ତୁତ ଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସେ କଂଗ୍ରେସ-ଜେଡିଏସ୍ ସରକାର ଦ୍ୱାରା ପ୍ରସ୍ତୁତ ଆର୍ଥିକ ବିଲ୍କୁ ବିନା କୌଣସି ପରିବର୍ତ୍ତନରେ ସୋମବାର ଗୃହରେ ଉପସ୍ଥାପନ କରିବେ।
ସେ ଆଜି ଗଣମାଧ୍ୟମକୁ କହିଥିଲେ, “ସୋମବାର ମୁଁ ଆର୍ଥିକ ବିଲ୍ ମଧ୍ୟ ଉପସ୍ଥାପନ କରିବି। ଏହା ଜରୁରୀକାଳୀନ ଭିତ୍ତିରେ ଉପସ୍ଥାପିତ ହେବାର ଆବଶ୍ୟକତା ରହିଛି। ଏହା ନହେଲେ ଆମେ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ଅର୍ଥ ଉଠାଇ ପାରିବୁନାହିଁ।” ସେ କହିଛନ୍ତି, ଆସନ୍ତାକାଲି ଆସ୍ଥା ଭୋଟ୍ ପରେ ଏହା ଆଗତ ହେବ। ତାଙ୍କ ସରକାର ଏହି ବିଲରେ କମା କିମ୍ବା ପୂର୍ଣ୍ଣଛେଦରେ ମଧ୍ୟ ପରିବର୍ତ୍ତନ କରିନଥିବା ସେ କହିଛନ୍ତି।
ଗୁରୁବାର ୩ ଜଣ ଏବଂ ଆଜି ୧୪ ଜଣ ବିଦ୍ରୋହୀ ବିଧାୟକଙ୍କ ନିଲମ୍ବନ ପରେ ଗୃହର ସଦସ୍ୟଙ୍କ ମୋଟ ସଂଖ୍ୟା ୨୦୮ ଏବଂ ମ୍ୟାଜିକ୍ ନମ୍ବର ୧୦୪କୁ ଖସିଆସିଛି। ବର୍ତ୍ତମାନ ବିଜେପିର ସଦସ୍ୟ ସଂଖ୍ୟା ୧୦୫ ଥିବାରୁ ବିନା କାହାର ସମର୍ଥନରେ ବିଜେପି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଖାଇବାରେ ସଫଳ ହେବ। ଜଣେ ସ୍ୱାଧୀନ ବିଧାୟକଙ୍କର ମଧ୍ୟ ବିଜେପି ପାଇଁ ସମର୍ଥନ ରହିଛି। ତେବେ ଏହି ସମସ୍ତ 'ଅଯୋଗ୍ୟ' ସଦସ୍ୟ ସେମାନଙ୍କ କାର୍ଯ୍ୟକାଳ ଶେଷ ଯାଏ ନିଲମ୍ବିତ ହୋଇଛନ୍ତି। ଅର୍ଥାତ ଏ ସମସ୍ତ ୧୭ ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବ।
ସୂଚନାଯୋଗ୍ୟ, ମଙ୍ଗଳବାର ଏଚ୍ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ ଗଠିତ ୧୪ ମାସର କଂଗ୍ରେସ-ଜେଡିଏସ୍ ସରକାର ଭାଙ୍ଗିଯାଇଥିଲା। ଏହା ପୂର୍ବରୁ ଭାଷଣ ଦେବା ବାହାନାରେ ଆସ୍ଥା ଭୋଟ୍କୁ ବିଳମ୍ବିତ କରି ଟାଳି ଦେବାର ପ୍ରୟାସ ସତ୍ତ୍ୱେ ମଙ୍ଗଳବାର ଦିନ ଆସ୍ଥା ଭୋଟ୍ ହୋଇଥିଲା ଏବଂ ଏଥିରେ ମେଣ୍ଟ ସରକାରର ପରାଜୟ ହୋଇଥିଲା। ଫଳରେ ଏହି ଦିନ ହିଁ ଗତ ୩ ସପ୍ତାହ ଧରି ଚାଲିଥିବା ନାଟକର ଅନ୍ତ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।