ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମା’ର ଲୁହ ତରଲାଇ ଦେଇଛି ଆତଙ୍କବାଦୀ ପୁଅର ହୃଦୟ। ମୁଖ୍ୟ ସ୍ରୋତକୁ ଫେରିଛନ୍ତି ମାଜିଦ୍ ଖାନ୍। ସେନା ଆଗରେ ଆତ୍ମସମର୍ପଣ କରିଛନ୍ତି। ଆଉ ଏଥର, ଏକେ ୪୭ ନୁହଁ ବରଂ ଫୁଟବଲ ହିଁ ହେବ ମାଜିଦଙ୍କ ପରିଚୟ। ଜାମ୍ମୁ ଓ କାଶ୍ମୀର ଅନନ୍ତନାଗର ଜଣେ ଜଣାଶୁଣା ଫୁଟବଲର ଭାବେ ପରିଚିତ ମାଜିଦ କେଉଁ ପରିସ୍ଥିତିରେ ଆତଙ୍କୀ ରାସ୍ତା ଆପଣେଇଥିଲେ ଓ ସେଠାରୁ କିପରି ମୁଖ୍ୟ ସ୍ରୋତକୁ ଫେରିଲେ ଆସନ୍ତୁ ଜାଣିବା।
ମା’ର ନିବେଦନରେ ଶେଷରେ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଛନ୍ତି ଜାମ୍ମୁ ଓ କାଶ୍ମୀରର ୨୦ ବର୍ଷୀୟ ଯୁବକ ମାଜିଦ୍ ଖାନ। ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ସଂକଳ୍ପ ନେଇଛନ୍ତି। ମାଜିଦ ଜଣେ ମେଧାବୀ ଛାତ୍ର ସହ ଅନନ୍ତନାଗବାସୀଙ୍କ ପାଇଁ ଥିଲା ଜଣେ ଜଣାଶୁଣା ଫୁଟବଲ ଖେଳାଳି। ଗତ ସପ୍ତାହରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ତାଙ୍କ ବାଲ୍ୟବନ୍ଧୁ ନିହତ ହେବା ପରେ ଆତଙ୍କୀ ରାସ୍ତା ଆପଣେଇ ନେଇଥିଲେ ମାଜିଦ। ଲସ୍କର-ଏ-ତୋଏବା ଗ୍ରୁପରେ ସାମିଲ୍ ହୋଇ ଯାଇଥିଲେ। ସେହି ଦିନଠାରୁ ମାଜିଦଙ୍କ କୌଣସି ଖୋଜ ଖବର ଘର ଲୋକଙ୍କ ପାଖରେ ବି ନଥିଲା। ନିକଟରେ ଏକେ ୪୭ ସହ ମାଜିଦଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ସାମ୍ନାକୁ ଆସିଥିଲା ମାଜିଦ।
ପୂର୍ବରୁ ଆତଙ୍କୀ ସଂଗଠନରେ ପୁଅ ସାମିଲ୍ ହେବା ପରେ ଖିଆପିଆ ଛାଡ଼ି ଦେଇଥିଲେ ଆଶିୟା ବେଗମ। ମାଜିଦଙ୍କ ମା ଗଣମାଧ୍ୟମ ଆଗରେ ପୁଅକୁ ଫେରି ଆସିବା ପାଇଁ ଅନୁରୋଧ କରିଥିଲେ। ଯାହାକୁ ଦେଖି ଘରମୁହାଁ ହେବା ପାଇଁ ଆଉ ନିଜକୁ ରୋକି ପାରି ନଥିଲେ ମାଜିଦ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।