ନୂଆଦିଲ୍ଲୀ: ଦିଲ୍ଲୀରେ ହେଉଥିବା ବୈଦେଶିକ ସଚିବ ସ୍ତରୀୟ ବୈଠକରେ ପାକିସ୍ତାନ ପୁଣି ଭାରତ ସମ୍ମୁଖରେ କାଶ୍ମୀର ପ୍ରସଙ୍ଗ ଉଠାଇଛି। ପାକିସ୍ତାନ ବୈଦେଶିକ ସଚିବ ଏଜାଜ ଅହମଦ୍ ଚୌଧୁରୀ ବୈଠକରେ କହିଛନ୍ତି, “କାଶ୍ମୀର ହିଁ ଦୁଇ ଦେଶ ମଧ୍ୟରେ ପ୍ରମୁଖ ପ୍ରସଙ୍ଗ ରହିବ। ଏହାର ସମାଧାନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଓ କାଶ୍ମୀରବାସୀଙ୍କ ଇଚ୍ଛାକୁ ଆଧାର କରି ହେବା ଦରକାର।”
ସାଉଥ୍ ବ୍ଲକ୍ରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ବୈଦେଶିକ ସଚିବ ଏସ୍ ଜୟଶଙ୍କର, ତାଙ୍କ ପ୍ରତିପକ୍ଷ ପାକିସ୍ତାନ ସଚିବ ଏଜାଜ ଅହମଦ ଚୌଧୁରୀ ଓ ଭାରତରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନର ଅବଦୁଲ ବାସିତ ପ୍ରମୁଖ ଉପସ୍ଥିତ ଥିଲେ।
ପଠାନକୋଟ୍ ଏୟାରବେସ୍ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହା ପ୍ରଥମ ବୈଦେଶିକ ସଚିବ ସ୍ତରୀୟ ବୈଠକ ଥିଲା।