ଓ୍ୱାଶିଂଟନ: ନିକଟରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ପ୍ରମୁଖ ଅବୁ ବକ୍ର ଅଲ୍ ବାଗଦାଦି ନିହତ ହୋଇଥିଲା। ଏହାପରେ ସୋମବାର ବାଗଦାଦିର ଭଉଣୀ ରସମିୟା ଅୱାଦ୍ (୬୫)କୁ ଅଟକ ରଖିଛି ତୁର୍କୀ ସେନା। ତୁର୍କୀ ଅଧିନରେ ସିରିଆର ଅଜଜ ସହର ରହିଛି। ସେହି ସ୍ଥାନରେ ବାଗଦାଦିର ଭଉଣୀ ରହିଛି ବୋଲି ତୁର୍କୀ ସେନା ସୂଚନା ପାଇବା ପରେ ରେଡ୍ କରିଥିଲା। ଏହାପରେ ରସମିୟା, ତାଙ୍କ ସ୍ୱାମୀ, ବୋହୂଙ୍କ ସହିତ ୫ ଛୁଆଙ୍କୁ ଅଟକ ରଖିଛି ତୁର୍କୀ।
ଏବେ ରସମିୟା, ତାଙ୍କ ସ୍ୱାମୀ ଓ ବୋହୂକୁ ପଚରାଉଚରା କରୁଛି ତୁର୍କୀ। ଆଇଏସଆଇଏସର ଉଦ୍ଦେଶ୍ୟ ଓ ଆଗାମୀ ରଣନୀତି ବାବଦରେ ରସମିୟାଙ୍କ ପାଖରୁ କିଛି ସୂଚନା ମିଳିପାରିବ ବୋଲି ତୁର୍କୀ ଆଶା ରଖିଛି। ବାଗଦାଦିର ଭଉଣୀ ବାବଦରେ ସେମିତି କିଛି ତଥ୍ୟ ପୂର୍ବରୁ ପ୍ରକାଶ ପାଇନି। ତେଣୁ ସେ ଆଇଏସଆଇଏସ ସଂପୃକ୍ତିରେ ଅଛି କି ନାହିଁ ତାହା ଏବେ କହିବା ଠିକ୍ ହେବ ନି ବୋଲି ଖବରସରବରାହ ସଂସ୍ଥା ରଏଟର୍ସ କହିଛି।
ଗତମାସରେ ଆମେରିକା ସେନା ସିରିଆରେ ଥିବା ବାଗଦାଦିର ଗୁମ୍ଫା ଉପରେ ଆକ୍ରମଣ କରିଥିଲା। ଏହାପରେ ସେ ନିଜକୁ ଆତ୍ମଘାତୀ ବୋମାରେ ଉଡ଼ାଇ ଦେଇଥିଲା। ଏ ନେଇ ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ। ଏହାପରେ ଆଇଏସଆଇଏସ ମଧ୍ୟ ଇଣ୍ଟରନେଟରେ ଏକ ବାର୍ତ୍ତା ଜରିଆରେ ସ୍ପଷ୍ଟ କରିଥିଲା ଯେ, ତାଙ୍କ ନେତା ବାଗଦାଦିର ମୃତ୍ୟୁ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।