ନୂଆଦିଲ୍ଲୀ: ଏସିଆର ବିଭିନ୍ନ ଦେଶରେ ନିଜର ସ୍ଥିତି ଦୃଢ଼ କରିବାକୁ ଚୀନ୍ ଚଲାଥିବା ଚାଲ୍ ଧୀରେ ଧୀରେ ସଫଳ ହେବାରେ ଲାଗିଛି। ପାକିସ୍ତାନ ପରେ ଏବେ ଚୀନ୍ ଜାଲରେ ଫସିଛି ଶ୍ରୀଲଙ୍କା ପରି ମାଛ। ବିକାଶ ଓ ଆର୍ଥିକ ସହାୟତା ପାଇଁ ଚୀନ୍ର ସହାୟତା ନେଉଥିବା ଏହି ଦେଶଗୁଡିକ ଏବେ ସମସ୍ୟାରେ ଫସିବାରେ ଲାଗିଛନ୍ତି। ଶ୍ରୀଲଙ୍କାରେ ଚୀନ୍ କରିଥିବା ହମ୍ବବୋଲ୍ଡ ବନ୍ଦର ଏବେ ଶ୍ରୀଲଙ୍କା ପାଇଁ ସମସ୍ୟାର କାରଣ ପାଲଟିଛି।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ଶ୍ରୀଲଙ୍କାରେ ଚୀନ୍ ସହାୟତାରେ ନିର୍ମାଣ ହେଇଥିବା ହମ୍ବବୋଲ୍ଡ ବନ୍ଦର ଚୁକ୍ତି ଲାଭ ବଦଳରେ କ୍ଷତି ଆଡକୁ ଯାଉଛି। କାମ ଆରମ୍ଭ ପରେ ଏହାର ଅଟକଳ ବଢ଼ିବାରେ ଲାଗିଛି। ଫିଜିବିଲିଟି ରିପୋର୍ଟରେ ମଧ୍ୟ ଏହି ବନ୍ଦର କାମ କରିବ ନାହିଁ ବୋଲି କୁହାଯାଉଛି। ଏପରିକି ଭାରତ ପରି ଦେଶ ଏଠାରେ ଜାହାଜ ଲଗାଇବାକୁ ମନା କରିସାରିଛନ୍ତି।
ଏବେ ସ୍ଥିତି ଏମିତି ଯେ, ହମ୍ବବୋଲ୍ଡ ବନ୍ଦରର ଡେଭଲପମେଣ୍ଟ ପ୍ରୋଜେକ୍ଟକୁ ବିଫଳ ଘୋଷଣା କରାସରିଛି। ଅନ୍ୟ ସିପିଂ ଲେନ୍ସ ଯେଉଁଠୁ ବର୍ଷକୁ ହଜାର ହଜାର ଜାହାଜ ବାହାରୁଛି, ହମ୍ବବୋଲ୍ଡ ବନ୍ଦରରୁ ୨୦୧୨ରେ ମାତ୍ର ୩୪ଟି ଜାହାଜ ବାହାରିଥିଲା। ଋଣ ଏତେ ହୋଇସାରିଛି ଯେ, ଏବେ ଏହି ବନ୍ଦର ଚୀନ୍ର ହୋଇସାରିଛି। ତତ୍କାଳୀନ ଶ୍ରୀଲଙ୍କା ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ସମୟରେ ଏହି କାମ ବହୁତ ଆଗେଇଥିଲା। ଯାହାର ପରିମାଣ ଏବେକାର ସରକାରଙ୍କୁ ସହିବାକୁ ପଢ଼ୁଛି। ୨୦୧୫ରେ ମହେନ୍ଦ୍ର କ୍ଷମତାଚୂତ ହେବା ପରେ ଏବେର ସରକାରଙ୍କୁ ଚୀନ୍ ଋଣ ପରିଶୋଧ କରିବାକୁ ନାକେଦମ ହେବାକୁ ପଡ଼ୁଛି।
ଭାରତ ପାଇଁ ସମସ୍ୟା
ସୂଚନାଯୋଗ୍ୟ, ଚୀନ୍ ବାରମ୍ବାର ଚାପ ପକାଇବା ପରେ ଶ୍ରୀଲଙ୍କା ସରକାର ୧୫,୦୦୦ ଏକର ଜମି ୯୯ ବର୍ଷ ପାଇଁ ଲିଜ୍ରେ ଦେଇଛନ୍ତି। ଗତବର୍ଷ ଏହି ଚୁକ୍ତି ହୋଇଥିଲା। ଏହି ପ୍ରକାର ଚୀନ୍ ଶ୍ରୀଲଙ୍କର ଜଳଭାଗରେ ନିଜର ଉପସ୍ଥିତି ଜାହିର କରିସାରିଛି। ଏହାଦ୍ୱାରା ଜଳପଥରେ ଭାରତକୁ ଘେରିବାକୁ ଚୀନ୍ର ଯୋଜନା ଏଠାରେ ସଫଳ ହୋଇଛି। ଏହି ବନ୍ଦରଟି ଭାରତଠାରୁ ମାତ୍ର ଶହେ ମିଲ୍ ଦୂରରେ ରହିଛି। ଭବିଷ୍ୟତରେ ଯଦି ଚୀନ୍ ଓ ଭାରତ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜେ, ଚୀନ୍ ସୈନିକଙ୍କୁ ଭାରତରେ ପ୍ରବେଶ କରିବାକୁ ବହୁତ କମ ସମୟ ଲାଗିବ। ଅନ୍ୟପକ୍ଷରେ ଚୀନ୍ ନିଜ ଆର୍ଥିକ ଓ ସୈନ୍ୟ ସ୍ଥିତି ଦୃଢ଼ କରିବାକୁ ନେପାଳ, ବାଂଲାଦେଶ, ପାକିସ୍ତାନ ସମେତ ଭାରତର ଅନ୍ୟ ପଡ଼ୋଶୀ ଦେଶରେ ଏପରି ଯୋଜନା ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।