ଜମ୍ମୁ-କଶ୍ମୀରକୁ ଫେରିଲା ଫୋନ୍‌ ସେବା, ସୋମବାର ଖୋଲିବ ସ୍କୁଲ

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୧୨ ଦିନ ପରେ ଶନିବାର କିଛି ସ୍ଥାନରେ ଲ୍ୟାଣ୍ଡଫୋନ୍‌ ସେବା ଆରମ୍ଭ ହୋଇଛି। ଜମ୍ମୁର ୫ଟି ଜିଲ୍ଲାରେ ଟୁ-ଜି ଇଣ୍ଟରନେଟ୍‌ ସେବା ଆରମ୍ଭ କରାଯାଇଛି। ତେବେ କଶ୍ମୀରରେ ଇଣ୍ଟରନେଟ୍‌ ସେବା ପୁନର୍ବାହାଲ କରିବା ପାଇଁ ଆହୁରି କିଛି ଦିନ ଲାଗିବ ବୋଲି ଜଣାପଡ଼ିଛି। କଶ୍ମୀର ଉପତ୍ୟକା ଓ ଶ୍ରୀନଗରରେ ୧୦୦ରୁ ଅଧିକ ଟେଲିଫୋନ୍ ଏକ୍ସଚେଞ୍ଜ ରହିଥିବା ବେଳେ ସେଥିମଧ୍ୟରୁ ଆଜି ୧୭ଟି ଏକ୍ସଚେଞ୍ଜ ସକ୍ରିୟ ହୋଇଥିବାର ଖବର […]

kashmir

kashmir

Subrat Kumar Nayak
  • Published: Saturday, 17 August 2019
  • Updated: 17 August 2019, 10:13 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୧୨ ଦିନ ପରେ ଶନିବାର କିଛି ସ୍ଥାନରେ ଲ୍ୟାଣ୍ଡଫୋନ୍‌ ସେବା ଆରମ୍ଭ ହୋଇଛି। ଜମ୍ମୁର ୫ଟି ଜିଲ୍ଲାରେ ଟୁ-ଜି ଇଣ୍ଟରନେଟ୍‌ ସେବା ଆରମ୍ଭ କରାଯାଇଛି। ତେବେ କଶ୍ମୀରରେ ଇଣ୍ଟରନେଟ୍‌ ସେବା ପୁନର୍ବାହାଲ କରିବା ପାଇଁ ଆହୁରି କିଛି ଦିନ ଲାଗିବ ବୋଲି ଜଣାପଡ଼ିଛି। କଶ୍ମୀର ଉପତ୍ୟକା ଓ ଶ୍ରୀନଗରରେ ୧୦୦ରୁ ଅଧିକ ଟେଲିଫୋନ୍ ଏକ୍ସଚେଞ୍ଜ ରହିଥିବା ବେଳେ ସେଥିମଧ୍ୟରୁ ଆଜି ୧୭ଟି ଏକ୍ସଚେଞ୍ଜ ସକ୍ରିୟ ହୋଇଥିବାର ଖବର ମିଳିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ ୫୦ ହଜାର ଲ୍ୟାଣ୍ଡଫୋନ୍‌କୁ ଆଜିଠାରୁ ସଂଯୋଗ ମିଳିଛି।

ଜମ୍ମୁ, ସାଂବା, ରିୟାସି, କଠୁଆ, ଉଧମପୁରରେ ଟୁ-ଜି ସ୍ପୀଡରେ ଇଣ୍ଟରନେଟ୍ ରହିଛି। ରଜୌରୀ ଜିଲ୍ଲାରେ ରାତି ୯ରୁ ସକାଳ ୫ ଯାଏ ୧୪୪ ଧାରା ଜାରି ରହିବ ଅନ୍ୟ ସମୟରେ ଏଭଳି କଟକଣା ରହିବ ନାହିଁ ବୋଲି ସେଠାକାର ଜିଲ୍ଲାପାଳ କହିଛନ୍ତି।

ସରକାରଙ୍କ ମୁଖପାତ୍ର ରୋହିତ କନ୍‌ସାଲ କହିଛନ୍ତି, ରବିବାର ସନ୍ଧ୍ୟା ସୁଦ୍ଧା କଶ୍ମୀର ଉପତ୍ୟକାର ପ୍ରାୟ ସବୁ ଟେଲିଫୋନ୍‌ ଏକ୍ସଚେଞ୍ଜ ଚାଲୁ ହୋଇଯିବ। ଅନେକ ସ୍ଥାନରେ କଟକଣା ହଟାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି ବୋଲି ସେ କହିଛନ୍ତି।

ଜମ୍ମୁ କଶ୍ମୀରରେ ଅଗଷ୍ଟ ୫ ତାରିଖର ପୂର୍ବ ରାତିରୁ ଅର୍ଥାତ ୪ ଅଗଷ୍ଟ ରାତିରୁ ଫୋନ୍ ଓ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। କାରଣ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ହିଁ ସରକାର ଫୋନ୍ ଏବଂ ମୋବାଇଲ୍ ସେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଇତିମଧ୍ୟରେ କେତେକ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ହେଉଥିବା ଦେଖି ସୋମବାର ରାଜ୍ୟର ସମସ୍ତ ସ୍କୁଲ, କଲେଜ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାରଠାରୁ କିଛି ସରକାରୀ କାର୍ଯ୍ୟାଳୟ ଖୋଲିଥିବାର ସୂଚନା ରହିଛି।

ଆଜି ସରକାରଙ୍କ ମୁଖପାତ୍ର ଶ୍ରୀ କନ୍‌ସାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “୩୫ଟି ଥାନା ଅଧୀନରେ ଥିବା ଅଞ୍ଚଳରେ କଟକଣା କୋହଳ କରାଯାଇଛି। ପ୍ରଶାସନର ସମୀକ୍ଷା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି। କଶ୍ମୀର ଉପତ୍ୟକାରେ ଏଯାଏ କୌଣସି ହିଂସାତ୍ମକ ଘଟଣାର ଖବର ମିଳିନି। ରାସ୍ତାରେ ଯାନବାହନ ସ୍ୱାଭାବିକ ଭାବେ ଯାତାୟତ କରୁଥିବା ଏକ ଭଲ ସଙ୍କେତ ନିଶ୍ଚୟ।”

ସ୍କୁଲ ଖୋଲିବା ବାବଦରେ ଶ୍ରୀ କନ୍‌ସାଲ କହିଥିଲେ, ସବୁ ପ୍ରାଥମିକ ବିଦ୍ୟାଳୟ ସୋମବାରଠାରୁ ଖୋଲିବ। ସରକାରୀ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ସୋମବାରଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। କଶ୍ମୀର ଆଇଜିପି ସ୍ୱୟଂପ୍ରକାଶ ପାଣି କହିଛନ୍ତି, ପ୍ରଶାସନ ସ୍ଥିତି ପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି। କଟକଣା କିଭଳି ପର୍ଯ୍ୟାୟ କ୍ରମେ ଉଠାଯାଇପାରିବ ସେନେଇ ସମୀକ୍ଷା ଓ ପ୍ରୟାସ କରାଯାଉଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସୁପ୍ରିମକୋର୍ଟ କଶ୍ମୀର କଟକଣା ବାବଦରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଆଉ କିଛି ସମୟ ଦିଆଯିବା ଦରକାର ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos