ନୂଆଦିଲ୍ଲୀ: ବସ ଏବଂ ମାଲ ବୋଝେଇ ଯାନବାହନର ଉଚ୍ଚତା ଏବଂ ଦୌର୍ଘ୍ୟ ବଢ଼ିବ। ଏ ନେଇ ପରିବହନ ମନ୍ତ୍ରାଳୟ ଅନୁମତି ଦେଇଛି। ରାସ୍ତାରେ ସାମଗ୍ରୀ ପରିବହନକାରୀଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ପରିବହନ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ରହିଛି।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାଖାପାଖି ଦୁଇ ବର୍ଷ ଧରି ପରିବହନ ମନ୍ତ୍ରାଳୟ ଏ ବାବଦରେ ବିଚାର କରିବା ପରେ ଏହି ନିଷ୍ପତ୍ତି ନେଇଛି। ମାଲ ପରିବହନ ଯାନଗୁଡ଼ିକର ଏକ୍ସେଲ ଲୋଡ୍ ୨୫% ବୃଦ୍ଧି କରିବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି, ଯାହା ଟ୍ରକ ଗୁଡ଼ିକୁ ଅଧିକ ଓଜନ ବହନ କରିବାକୁ ଅନୁମତି ଦେବ।
ମନ୍ତ୍ରାଳୟର ନିଷ୍ପତ୍ତି ଅନୁଯାୟୀ, ବସର ଲମ୍ବା ୧୨ ମିଟରରୁ ବଢ଼ି ୧୩.୫ ମିଟର ପର୍ଯ୍ୟନ୍ତ ହେବ। ଏହାଦ୍ୱାରା ବସରେ ବସିବା କ୍ଷମତା ୧୦-୧୫% ବୃଦ୍ଧି ହେବ। ମୁଖ୍ୟତଃ ଆନ୍ତଃ ରାଜ୍ୟ ଯାତ୍ରୀଙ୍କୁ ଏହା ଲାଭ ହେବ।
ସେହିପରି ଏକ ଆଇଏସଓ ସିରିଜର ମାଲବାହୀ ଗାଡ଼ିର ଉଚ୍ଚତା ୪.୫୨ ମିଟର ପର୍ଯ୍ୟନ୍ତ ହୋଇପାରେ ଢ ସେହିପରି ଭାରୀ ଟ୍ରକର ଉଚ୍ଚତା ୪ ମିଟରରେ ରଖାଯାଇଛି, ପୂର୍ବରୁ ଏହା ୩.୮ ମିଟର ଥିଲା। ସେହିଭଳି ଟ୍ରକ୍ ଏବଂ ଟ୍ରାକ୍ଟର ଓ ଟ୍ରଲର ପାଇଁ ମନ୍ତ୍ରାଳୟ ସମାନ ଉଚ୍ଚତାକୁ ଅନୁମତି ଦେଇଥିବା ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଛି।