ନୂଆଦିଲ୍ଲୀ: ବଦଳିରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ବିଜୟା କେ. ତହିଲରମଣୀ। ନିକଟରେ ତାଙ୍କୁ ମାଡ୍ରାସ ହାଇକୋର୍ଟରୁ ମେଘାଳୟ ହାଇକୋର୍ଟକୁ ବଦଳି ହୋଇଥିଲା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ କଲେଜିୟମ ଦ୍ୱାରା ବିଜୟାଙ୍କ ବଦଳି ନିଷ୍ପତ୍ତି ନିଆଯାଇଥିଲା।
ଶୁକ୍ରବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଜୟା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଥିବା ସୂଚନା ରହିଛି। ଗତବର୍ଷ ଅଗଷ୍ଟ ୮ରେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ୍ ବିଜୟା କେ. ତହିଲରମଣୀ ନିଯୁକ୍ତ ହୋଇଥିଲେ।
ବଦଳି ନେଇ ଜଷ୍ଟିସ୍ ବିଜୟାଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା। ଏହାପରେ ସେ ଅଗଷ୍ଟ ୨୮ରେ ପୁନର୍ବିଚାର ପାଇଁ କଲେଜିୟମଙ୍କୁ ନିବେଦନ କରିଥିଲେ। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଥିବା ଗଠିତ ହୋଇଥିବା କଲେଜିୟମର ଅନ୍ୟ ସଦସ୍ୟମାନେ ହେଲେ ବିଚାରପତି ଜଷ୍ଟିସ୍ ଏସ.ଏ ବୋବଡେ, ଏନ୍.ବି. ରମନ୍ନା, ଅରୁଣ ମିଶ୍ର ଏବଂ ଆରଏଫ୍ ନରିମନ୍। କଲେଜିୟମ ଜଷ୍ଟିସ ତହିଲରମଣୀଙ୍କ ବଦଳିର ପୁନର୍ବିଚାର କରିନଥିଲେ।
ସୂଚନାଯୋଗ୍ୟ, ମେଘାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏକେ ମିତ୍ତଲଙ୍କୁ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି।