ମୁମ୍ୱାଇ: ମହାରାଷ୍ଟ୍ରରେ ଆଜି ସକାଳୁ ବିଜେପି ସରକାର ଗଢ଼ିଛି। ମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡ଼ନାଭିସ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବରେ ଅଜିତ ପାଓ୍ୱାର ଶପଥ ନେଇଛନ୍ତି। ଆଜି କିନ୍ତୁ ଶିବସେନା-ଏନସିପି-କଂଗ୍ରେସ ନେତା ମିଶି ସରକାର ଗଢ଼ିବେ ବୋଲି ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କ ପାଖକୁ ଯାଇଥାନ୍ତେ। ରାତି ଅଧରେ ଯେଉଁ ରାଜନୀତିକ ସମୀକରଣ ଓଲଟ ପାଲଟ ହୋଇଛି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ରର ଅନ୍ୟତମ ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ‘ପୂର୍ବରୁ କହିଥିଲି କ୍ରିକେଟ ଓ ରାଜନୀତିରେ ସବୁକିଛି ସମ୍ଭବ। ଏବେ ମୋ କଥା ବୁଝିପାରୁଥିବେ’।
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ଦେବେନ୍ଦ୍ର ଫଡ଼ନାଭିସ କହିଥିଲେ, ରାଜ୍ୟରେ ସ୍ଥାୟୀ ସରକାରର ଆବଶ୍ୟକ ରହିଛି, ଖେଚୁଡି ସରକାର ନୁହେଁ। ସ୍ଥାୟୀ ସରକାର ଦେବାକୁ ଯାଇ ବିଜେପି ଏଭଳି ପଦକ୍ଷେପ ନେଇଛି ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଥିଲେ। ମେଣ୍ଟ ସରକାରକୁ ରାଜ୍ୟବାସୀ ଭୋଟ୍ ଦେଇଥିଲେ। ହେଲେ ଶିବସେନା ଜନାଦେଶକୁ ସମ୍ମାନ ନଦେବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ଫଡନାଭିସ୍ କହିଛନ୍ତି।
ସେହିପରି ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର କହିଛନ୍ତି, ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ସରକାର ଗଢ଼ିବା ନେଇ ଅସ୍ଥିରତା ଜାରି ରହିଥିଲା। ରାଜ୍ୟରେ ସ୍ଥାୟୀ ସରକାରର ଆବଶ୍ୟକତା ରହିଛି। ରାଜ୍ୟରେ ଚାଷୀଙ୍କ ସମସ୍ୟା ସବୁଠୁ ଗୁରୁତ୍ୱପୂର୍ଣ୍ଣ ତେଣୁ ଏହାକୁ ନଜରରେ ରଖି ବିଜେପିକୁ ସମର୍ଥନ କରିଛନ୍ତି ବୋଲି ସେ କହିଛନ୍ତି।