ମୁମ୍ବାଇ: ଖବରକାଗଜରେ ଛପିସାରିଥିଲା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ଉଭୟ କଂଗ୍ରେସ ଏବଂ ଏନ୍ସିପି ଏଥିପାଇଁ ଆଗ୍ରହ ପ୍ରକାଶ କରିଥିଲେ ଏବଂ ଉଦ୍ଧବ ମଧ୍ୟ ସହମତି ପ୍ରକାଶ କରିସାରିଥିଲେ। କିନ୍ତୁ ସକାଳୁ ଶପଥ ନେଲେ ବିଜେପିର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍। ଉପମୁଖ୍ୟମନ୍ତ୍ରୀ ଭାବ ଶପଥ ନେଲେ ଏ ନାଟକରେ ନୂଆ ମୋଡ଼ ଆଣିଥିବା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର।
ଶପଥ ନେବାପରେ ଦେବେନ୍ଦ୍ର କହିଛନ୍ତି, “ଲୋକେ ଆମ ସମର୍ଥନରେ ଜନାଦେଶ ଦେଇଥିଲେ, କିନ୍ତୁ ରେଜଲ୍ଟ ପରେ ଶିବସେନା ଅନ୍ୟ ଦଳଙ୍କ ସହ ମେଣ୍ଟ କରିବାକୁ ପ୍ରୟାସ କରିଥିଲା। ଏହାପରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲେ। ତେବେ ମହାରାଷ୍ଟ୍ର ଏକ ସ୍ଥିର ସରକାର ଚାହୁଁଛି, ଖେଚୁଡ଼ି ସରକାର ନୁହେଁ।” ଚାଲନ୍ତୁ ଜାଣିବା ଦେବେନ୍ଦ୍ର-ଅଜିତ ଯୋଡ଼ି ସମସ୍ତଙ୍କ ଅଲକ୍ଷ୍ୟରେ କେମିତି ବଦଳାଇଲେ ରାଜନୀତିର ମୋଡ଼।
ନଭେମ୍ବର ୨୨
୧୧.୪୫- ଅଜିତ ପାୱାର ଏବଂ ବିଜେପି ମଧ୍ୟରେ ସରକାର ଗଠନ ପାଇଁ ଡିଲ୍ ଫାଇନାଲ ହେଲା।
୧୧.୫୫- ଫଡ଼ନାଭିସ୍ ଦଳ ସହ କଥା ହେଲେ। ଏନ୍ସିପି-କଂଗ୍ରେସ ଜାଣିବା ଆଗରୁ ଏବଂ ସରକାର ଗଠନ ଦାବି କରିବା ଆଗରୁ ଶପଥ ଗ୍ରହଣ ଆୟୋଜନ କରିବାକୁ ଅନୁରୋଧ କଲେ।
ନଭେମ୍ବର ୨୩
୧୨.୩୦- ରାଜ୍ୟପାଳ ଦିଲ୍ଲୀ ଗସ୍ତ ବାତିଲ କଲେ।
୨.୧୦- ରାଜ୍ୟପାଳଙ୍କ ସଚିବଙ୍କୁ ୫.୪୭ରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାକୁ କୁହାଗଲା। ୬.୩୦ ସୁଦ୍ଧା ଶପଥ ଗ୍ରହଣ ଆୟୋଜନ ହେବ ବୋଲି ମଧ୍ୟ କୁହାଗଲା।
୨.୩୦- ସଚିବ କହିଲେ ସେ ୨ ଘଣ୍ଟାରେ ଫାଇଲ ପ୍ରସ୍ତୁତ କରିବେ, ସକାଳ ୭.୩୦ରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିବାକୁ ପରାମର୍ଶ ଦେଲେ।
୫.୩୦- ଅଜିତ ଏବଂ ଫଡ଼ନାଭିସ୍ ରାଜଭବନ ପହଞ୍ଚିଲେ।
୫.୪୭- ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଗଲା, ଯଦିଓ ଏହା ୯ଟାରେ ଘୋଷଣା ହେଲା।
୭.୫୦- ରାଜ୍ୟପାଳ ବିଏସ୍ କୋଶିଆରୀ ଶପଥ ଗ୍ରହଣ ଉତ୍ସବ ଆରମ୍ଭ କଲେ।
୮.୦୧- ଦେବେନ୍ଦ୍ର ଫଡ଼ନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନେଇ ଖବର ଆସିଲା।
୮.୧୬- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।