ମୁମ୍ୱାଇ: ମହାରାଷ୍ଟ୍ରରେ ବିଜେପି ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ପୁତୁରା ଅଜିତ ପାଓ୍ୱାରଙ୍କୁ ନେଇ ଆଜି ସରକାର ଗଢ଼ିଛି। ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ହେଲେ ଗୃହରେ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ କେମିତି ବହୁମତ ସାବ୍ୟସ୍ତ କରିବେ ତାହା ଏବେ ପ୍ରଶ୍ନବାଚୀ? କାରଣ ଏନସିପି ଏହି ସରକାରକୁ ସମର୍ଥନ କରୁନାହିଁ ବୋଲି ଦଳର ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି। ଅଜିତ ପାଓ୍ୱାରଙ୍କର ଏହା ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଶରଦ କହିଛନ୍ତି। ଅନ୍ୟପଟେ ଫଡ଼ନଭାସ୍ ସରକାରକୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇ ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ରହିଛି। ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ ଓ ଅନ୍ୟାନ୍ୟ ୨୯ ବିଧାୟକ ବିଜୟୀ ହୋଇଛନ୍ତି। ସରକାର ଗଢ଼ିବା ପାଇଁ ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି।
ବିଜେପି ଏବେ ଏନସିପି ନେତା ଅଜିତ ପାଓ୍ୱାରଙ୍କୁ ନେଇ ସରକାର ଗଢ଼ିଛି। ଏନସିପି ଏହି ସରକାରକୁ ସମର୍ଥନ କରୁନାହିଁ ବୋଲି ଶରଦ କହିଛନ୍ତି। ହେଲେ ଅଜିତ ପାଓ୍ୱାରଙ୍କ ପାଖରେ ଏବେ ୨୨ ଦଳୀୟ ବିଧାୟକଙ୍କ ସମର୍ଥନ ରହିଥିବା ସୂଚନା ରହିଛି। ଅର୍ଥାତ୍ ବିଜେପି ପାଖରେ ମୋଟ୍ ୧୨୭ ବିଧାୟକଙ୍କ ସମର୍ଥନ ରହିଛି। ଯାହାକି, ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ଠାରୁ ୧୮ ବିଧାୟକ କମ୍। ତେଣୁ ବିଧାନସଭାରେ ଫଡ଼ନାଭିସ ସରକାର କେମିତି ବହୁମତ ସାବ୍ୟସ୍ତ କରିବେ ତାହା ଏବେ ପ୍ରଶ୍ନବାଚୀ?