ନୂଆଦିଲ୍ଲୀ: ଦିଲ୍ଲୀର କ୍ୟାଣ୍ଟ ଅଞ୍ଚଳରେ ସେନାର ଜଣେ ମେଜରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣାରେ ପୋଲିସ୍ ଆଉ ଜଣେ ମେଜରଙ୍କୁ ଗିରଫ କରିଛି। ଗିରଫ ମେଜରଙ୍କ ନାଁ ନିଖିଲ ହାଣ୍ଡା। ପଚରାଉଚରା ବେଳେ ଜଣାପଡ଼ିଛି ଯେ ପ୍ରେମ ଜନିତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି।
ପୋଲିସ୍ କହିଛି, ମେଜର ନିଖିଲ ହାଣ୍ଡା ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜାଙ୍କୁ ପ୍ରେମ କରୁଥିଲେ। ସେ ତାଙ୍କୁ ବାହା ହେବାକୁ ଚାହୁଁଥିଲେ। କିନ୍ତୁ ଶୈଳଜା ଏଥିରେ ରାଜି ହୋଇ ନଥିଲେ। ତେଣୁ ନିଖିଲ ରାଗି ଯାଇ ତାଙ୍କୁ ଛୁରୀରେ ଗଳା କାଟି ହତ୍ୟା କରିଥିଲେ।
ତିନି ବର୍ଷ ହେଲା ଥିଲା ସଂପର୍କ
ମେଜର ନିଖିଲ ଓ ମେଜର ଅମିତଙ୍କ ପରିବାର ମଧ୍ୟରେ ଗତ ତିନି ବର୍ଷ ହେବ ଭଲ ସଂପର୍କ ଥିଲା। ଦୀମାପୁରରେ ପୋଷ୍ଟିଂ ବେଳେ ଦୁଇ ମେଜରଙ୍କ ପରିବାର ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା। ଏହି ମଧ୍ୟରେ ଶୈଳଜାଙ୍କ ପ୍ରେମରେ ପଡ଼ି ଯାଇଥିଲେ ନିଖିଲ। ମେଜର ଅମିତ ଦ୍ୱିବେଦୀ ମଧ୍ୟ ତାଙ୍କ ପତ୍ନୀ ଓ ମେଜ ନିଖିଲଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ଜାଣିଥିଲେ।
ମୋବାଇଲ୍ ଫୋନ୍ କଲ୍ରୁ ସନ୍ଦେହ କଲା ପୋଲିସ୍
ମୃତ ଶୈଳଜାଙ୍କ ମୋବାଇଲ୍ କଲ୍ ଡିଟେଲ୍ ଯାଞ୍ଚ ବେଳେ ଜଣାପଡ଼ିଲା ଯେ ମେଜର ନିଖିଲ ତାଙ୍କୁ ବହୁତ ଥର କଲ୍ କରିଥିଲେ। ସେଥିପାଇଁ ନିଖିଲଙ୍କ ଉପରେ ପୋଲିସ୍ର ସନ୍ଦେହ ହେଲା। ନିଖିଲଙ୍କୁ ପୋଲିସ୍ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା। ତେବେ ଯୋଗାଯୋଗ ହୋଇ ନପାରିବାରୁ ସେ ଫେରାର ହୋଇଯିବା ଚକ୍କରରେ ଥିବା ପୋଲିସ୍ ଜାଣିବାକୁ ପାଇଥିଲା। ତେଣୁ ତାଙ୍କ ଉପରେ ପୋଲିସ୍ର ସନ୍ଦେହ ବଢ଼ିଥିଲା।
ଦୁର୍ଘଟଣାର ରୂପ ଦେବାକୁ ହୋଇଥିଲା ପ୍ରୟାସ
ସୂଚନା ଅନୁୟାୟୀ, ଗତକାଲି ଦିଲ୍ଲୀର ବ୍ରାର୍ ସ୍କୋୟାରରୁ ମେଜର ଅମିତ ଦ୍ୱିବେଦୀଙ୍କ ପତ୍ନୀ ଶୈଳଜାଙ୍କ ମୃତଦେହ ମିଳିଥିଲା। ପ୍ରଥମେ ଏହା ଏକ ଦୁର୍ଘଟଣା ପରି ଲାଗୁଥିଲା। କିନ୍ତୁ ଶବ ବ୍ୟବଚ୍ଛେଦ ପରେ ଶୈଳଜାଙ୍କର ତଣ୍ଟି କାଟି ହତ୍ୟା କରାଯାଇଥିବା ଜଣାପଡ଼ିଲା। କିନ୍ତୁ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଅଭିଯୁକ୍ତ ଶୈଳଜାଙ୍କ ଉପରେ ବାରମ୍ବାର ଗାଡ଼ି ଚଢାଇଥିବା ପୋଲିସ କହିଛି।
ମଡେଲିଂ ପ୍ରତି ରୁଚି ଥିଲା
ଶୈଳଜା ଅର୍ବାନ ପ୍ଲାନିଙ୍ଗରେ ଏମ୍ଟେକ୍ କରିଥିଲେ। ବାହା ହେବା ପୂର୍ବରୁ ସେ ପଞ୍ଜାବର ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ। ବାହାଘର ପରେ ମଡେଲିଂ ପ୍ରତି ତାଙ୍କର ରୁଚି ବଢ଼ିଥିଲା। ସେ ମିସେସ୍ ଇଣ୍ଡିଆ ଆର୍ଥ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।