ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଦୀର୍ଘ ୯ ବର୍ଷ ପରେ ଆଜି ଜେଲରୁ ମୁକୁଳିଲେ ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତ। ସୋମବାର ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। କିନ୍ତୁ କାଗଜପତ୍ର କାମରେ ବିଳମ୍ବ ଯୋଗୁଁ ଜେଲରୁ ବାହାରିବା ବିଳମ୍ବ ହୋଇଥିଲା ଫଳରେ ଆଜି ସେ ଜେଲରୁ ବାହାରିଛନ୍ତି। ଜେଲରୁ ବାହାରିବା ପରେ ପୁରୋହିତ ସେନାକୁ ରିପୋର୍ଟ କରିଛନ୍ତି। ୨୦୦୮ ମାଲେଗାଓଁ ବିସ୍ଫୋରଣରେ ସଂପୃକ୍ତି ଅଭିଯୋଗରେ କର୍ଣ୍ଣେଲ ପୁରୋହିତଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଏତେବର୍ଷ ପରେ ବି ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇନାହିଁ। ଏନେଇ ପୁରୋହିତ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ବମ୍ବେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ କର୍ଣ୍ଣେଲ ପୁରୋହିତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ସର୍ତ୍ତରଖି ପୁରୋହିତଙ୍କୁ ଜାମିନ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁସାରେ କୋର୍ଟଙ୍କ ବିନା ଅନୁମତିରେ ପୁରୋହିତ ବିଦେଶ ଯାତ୍ରା କରିପାରିବେ ନାହିଁ। ପୂର୍ବରୁ ଏହି ଘଟଣାର ଅନ୍ୟଜଣେ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହଙ୍କୁ ଜାମିନ ମିଳିସାରିଛି। ଆପଣଙ୍କୁ ଜଣାଇଦେଉଛୁ ଯେ ୨୦୦୮ ମସିହାରେ ହୋଇଥିବା ମାଲେଗାଓଁ ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।