ନୂଆଦିଲ୍ଲୀ: ୨୦୦୮ ମହାରାଷ୍ଟ୍ର ମାଲେଗାଁଓ ବିସ୍ଫୋରଣ ଘଟଣାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତଙ୍କୁ ଜାମିନ୍ ମିଳିଛି। ମୁମ୍ବାଇ ହାଇକୋର୍ଟଙ୍କ ରାୟ ଉପରେ ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ ଆଜି ପୁରୋହିତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଶ୍ରୀକାନ୍ତ ମାଲେଗାଁଓ ବିସ୍ଫୋରଣର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା।
ଏହା ପୂର୍ବରୁ ୨୫ ଏପ୍ରିଲରେ ମୁମ୍ବାଇ ହାଇକୋର୍ଟ, କର୍ଣ୍ଣେଲ ପୁରୋହିତଙ୍କ ଜାମିନ ଆବେଦନକୁ ରଦ୍ଦ କରିଦେଇଥିଲେ। ପରେ ସେ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଏପ୍ରିଲ ମାସରେ ଏହି ମାମଲାରେ ହାଇକୋର୍ଟ ଅନ୍ୟ ଜଣେ ଅଭିଯୁକ୍ତ ସାଧ୍ବୀ ପ୍ରଜ୍ଞା ସିଂହଙ୍କୁ ଜାମିନ ପ୍ରଦାନ କରିଥିଲେ।
ପ୍ରଥମେ ଏହି ମାମଲାର ତଦନ୍ତ ଆଣ୍ଟି ଟେରୋରିଜିମ୍ ସ୍କ୍ୱାର୍ଡ (ଏଟିଏସ) କରୁଥିଲା। ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ମାମଲାର ତଦନ୍ତ କରିବା ପାଇଁ ଦିଆଯାଇଥିଲା। ଏନ୍ଆଇଏ ପକ୍ଷରୁ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଥିଲେ ବି କର୍ଣ୍ଣେଲ ପୁରୋହିତଙ୍କ ଜାମିନକୁ ବିରୋଧ କରାଯାଇଥିଲା। ଏନ୍ଆଇଏ ପକ୍ଷରୁ କୁହା ଯାଇଥିଲା, କର୍ଣ୍ଣେଲ ପୁରୋହିତଙ୍କୁ ଜାମିନ ମିଳିବାର ଏହା ଠିକ୍ ସମୟ ନୁହେଁ।
୨୦୦୮ ସେମ୍ବେର ୨୯ରେ ମେଲଗାଁଓରେ ଭୟାବହ ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣଙ୍କ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୭୯ ଜଣ ଲୋକ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ ୧୪ ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ କରା ଯାଇଥିଲା। ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର କରିବା ଓ ଆର୍.ଡି.ଏକ୍ସ. ଯୋଗାଇ ଦେବା ଅଭିଯୋଗରେ ସାଧ୍ୱୀ ପ୍ରଜ୍ଞା ସିଂହ ଓ କର୍ଣ୍ଣେଲ ପୁରୋହିତଙ୍କୁ ଗିରଫ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।