କୋଲକାତା: "ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ନାଟକ। ନିର୍ବାଚନ କମିଶନ ଆଚରଣ ବିଧି ଲାଗୁ ରହିଥିବାରୁ ସେ କ୍ଷମତାହୀନ ହୋଇଯାଇଥିଲେ। ତେଣୁ ସେ ଲୋକଙ୍କ ଆଗରେ ନିଜ ଇସ୍ତଫା ଦେବା କଥା କହି ଅନୁକମ୍ପା ସାଉଁଟିବାକୁ ଚେଷ୍ଟା କରୁଛନ୍ତି।" ପଶ୍ଚିମବଙ୍ଗ ବିଜେପି ନେତା ମୁକୁଲ ରୟ ଆଜି ସାମ୍ୱାଦିକ ସମ୍ମିଳନୀ କରି ଏହା କହିଛନ୍ତି।
ମମତା କେବେ ଇସ୍ତଫା ଦେବେ ନାହିଁ, କାରଣ ସେ କ୍ଷମତାର ସ୍ୱାଦ ଚାଖିସାରିଛନ୍ତି। ବିନା କ୍ଷମତାରେ ସେ ରହିପାରିବେନି ବୋଲି କହି ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଏକଦା ମମତାଙ୍କର ନିକଟତମ ସହଯୋଗୀ ଥିବା ଏହି ନେତା।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ଫଳାଫଳ ଆସିବା ପରେ ମମତା ବାନାର୍ଜୀ ଗତକାଲି ତାଙ୍କର ପ୍ରଥମ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ଲୋକସଭା ନିର୍ବାଚନରେ ବିଜେପିର ଅଭୂତପୂର୍ବ ବିଜୟରେ ରୋକ ଲଗାଇବାରେ ବିଫଳ ହେବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ବୋଲି କହିଥିଲେ। ତେବେ ଦଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିନଥିବା ମମତା କହିଥିଲେ।