ପୁଣେ (ଓଡ଼ିଶା ରିପୋର୍ଟର୍): ଭୁଲ୍ ତାଙ୍କର ଥିଲା, ଏହାକୁ ନେଇ ଗାର୍ଲ୍ଫ୍ରେଣ୍ଡ୍ଙ୍କ ସହ ଝଗଡ଼ା ହୋଇଥିଲା। ତେବେ ଗାର୍ଲ୍ଫ୍ରେଣ୍ଡ୍ ଏମିତି ବିଗିଡ଼ି ଯାଇଥିଲେ ଯେ ଆଉ କଥାବର୍ତ୍ତାର ନାଁ ଗନ୍ଧ ବି ଧରୁନଥିଲେ। କିନ୍ତୁ ପ୍ରେମିକାଙ୍କୁ ମିସ୍ କରିବା ମୁଡ୍ରେ ନଥିଲେ ପ୍ରେମିକ। ଖାସ୍ ଗାର୍ଲ୍ଫ୍ରେଣ୍ଡ୍ଙ୍କ ମାନଭଞ୍ଜନ ପାଇଁ ତାଙ୍କ ଆସିବା ରାସ୍ତାର ପ୍ରମୁଖ ଟ୍ରାଫିକ୍ ପୋଷ୍ଟ୍ ପାଖରେ ବଡ଼ ବଡ଼ ହୋର୍ଡିଂ ଓ ପୋଷ୍ଟର୍ ମାରି ନିଜ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।
ଶୁକ୍ରବାର ସକାଳୁ ସହରର ବିଭିନ୍ନ ସ୍ଥାନରେ ଏପରି ନିଆରା ହୋର୍ଡିଂ ଓ ପୋଷ୍ଟର୍ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହୋର୍ଡିଂ ଓ ପୋଷ୍ଟର୍ରେ ଲେଖାଥିଲା ," (ଲାଲ୍ ରଙ୍ଗର ଏକ ହାର୍ଟ ଚିତ୍ର ସହ ଝିଅର ନାଁ), ଆଇ ଆମ୍ ସରି"।
ଏବେ ଆପଣ ଭାବୁଥିବେ, ଘଟଣାଟି କେଉଁଠାର ?
ପୁଣେର ପିମ୍ପ୍ରି ଚିଞ୍ଚ୍ୱାଡ୍ ସହରର ଏକ ମାର୍କେଟ୍ ଅଞ୍ଚଳରେ ଏପରି ଘଟିଛି। ସେଠାରେ ରହୁଥିବା ଜଣେ ୨୫ ବର୍ଷୀୟ ଯୁବ ବ୍ୟବସାୟୀ, ନିଲେଶ୍ ଖେଡେକର୍ ନିଜ ଗାର୍ଲ୍ଫ୍ରେଣ୍ଡ୍ଙ୍କୁ ମନାଇବା ପାଇଁ ସେହି ଅଞ୍ଚଳର ପ୍ରମୁଖ ଟ୍ରାଫିକ୍ ପୋଷ୍ଟ୍ ନିକଟରେ " (ଲାଲ୍ ରଙ୍ଗର ଏକ ହାର୍ଟ ଚିତ୍ର ସହ ଝିଅର ନାଁ), ଆଇ ଆମ୍ ସରି" ଲେଖାଥିବା ପ୍ରାୟ ୩୦୦ ହୋର୍ଡିଂ ଓ ପୋଷ୍ଟର୍ ମାରିଥିଲେ।
ତେବେ ସ୍ଥାନୀୟ ଲୋକେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ପୁଲିସ୍ର ଦୃଷ୍ଟି ଆକର୍ଷଣ କରିଥିଲେ।
ତେବେ ପୁଲିସ୍ ପାଇଁ ଅଡ଼ୁଆ ସୃଷ୍ଟି କରିଥିବା ନିଲେଶ୍ଙ୍କ ଏପରି ଅଭିନବ ଢଙ୍ଗ ଏବେ ସୋଶାଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି।