ସ୍ୱାମୀ ଦ୍ୱିତୀୟ ବିବାହ କରିବାରୁ ନିଆଁ ଲଗେଇଦେଲେ ମହିଳା

ପାଟନା: ପ୍ରାୟ ୧୦ ବର୍ଷ ପୂର୍ବେ ଯାହା ହାତ ଧରିଥିଲେ, ଯାହା ସହ ସଂସାର ଗଢ଼ିଥିଲେ , ସେ ଆଉ କାହା ହାତ ଧରିବାରୁ ବରଦାସ୍ତ କରିପାରିଲେନି ପତ୍ନୀ।  ସ୍ୱାମୀଙ୍କ ଦ୍ୱିତୀୟ ବିବାହକୁ ଜୋରଦାର ବିରୋଧ କରିବା ସତ୍ତ୍ୱେ କିଛି ଫଳ ମିଳିଲାନି। ପ୍ରତିଶୋଧ ନିଆଁରେ ଜଳୁଥିବା ପ୍ରଥମ ପତ୍ନୀ ଆଜି ସକାଳେ ଘଟାଇଲେ ଅଭାବନୀୟ କାଣ୍ଡ। ପେଟ୍ରୋଲ ଢାଳି ନିଜ ସମେତ ପରିବାରର ଅନ୍ୟ ୩ ଜଣଙ୍କ ଦେହରେ ବି ନିଆଁ ଲଗାଇ ଦେଲେ। ଏହି ନିଆଁରେ ନିଜେ ମହିଳା ଓ ତାଙ୍କ ଶାଶୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ସ୍ୱାମୀ ଓ ସଉତୁଣୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ବିହାରରେ ହୋଇଛି। ମୃତକଦ୍ୱୟ ହେଲେ ବିବି ପରବୀନ ଓ ତାଙ୍କ ଶାଶୁ ରୁଫେଦା ଖାତୁନ।

ସୂଚନା ଅନୁଯାୟୀ, ଶେଖପୁରା ଅଞ୍ଚଳରେ ରହୁଥିବା ପାଣି ପାଇପ୍‌ ମିସ୍ତ୍ରୀ ଖୁର୍ସିଦ ଆଲମ ୧୦ ବର୍ଷ ପୂର୍ବେ ନିଜ ଗାଁର ବିବି ପରବିନଙ୍କୁ ବିବାହ କରିଥିଲେ। ହେଲେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସନ୍ତାନ ନ ହେବାରୁ ଉଭୟଙ୍କ ବୈବାହିକ ଜୀବନରେ ଦେଖାଦେଲା ଝଡ଼। ଏହାପରେ ୨ ବର୍ଷ ପୂର୍ବେ ଖୁର୍ସିଦ ଆଲମ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଏହାର ପରିଣାମ ଭୟଙ୍କର ହେବ ବୋଲି ବିବି ପରବିନ ନିଜ ସ୍ୱାମୀଙ୍କୁ ପୂର୍ବରୁ ବହୁ ଥର ଧମକ ଦେଇଥିଲେ। କିନ୍ତୁ ତାଙ୍କ କଥା ସ୍ୱାମୀ ମାନି ନଥିଲେ।

ଆଜି ସକାଳେ ସମସ୍ତେ ଶୋଇଥିବା ବେଳେ ପରବିନ ନିଜ ସମେତ ଘରର ଅନ୍ୟମାନଙ୍କ ଉପରେ ବି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରେ ହିଁ ପରବିନ ଓ ତାଙ୍କ ଶାଶୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଏହି ନିଆଁରେ ତାଙ୍କ ସ୍ୱାମୀ ଓ ସଉତୁଣୀଙ୍କ ଶରୀରର ବହୁ ମାତ୍ରାରେ ପୋଡ଼ି ହୋଇ ଯାଇଥିବା ବେଳେ ଉଭୟ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।