ଜମ୍ମୁ କଶ୍ମୀରରେ ବିକାଶକୁ ଡରୁଛି ପାକିସ୍ତାନ:ଭାରତ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦୋହରାଇବା ସହ ଜମ୍ମୁକଶ୍ମୀରକୁ ନେଇ ପାକିସ୍ତାନ ଏତେ ପ୍ରତିକ୍ରିୟାଶୀଳ ହେବାର କାରଣ ବିଷୟରେ ଖୁଲାସା କରିଛଇ ଭାରତ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ଜମ୍ମୁକଶ୍ମୀରରେ ବିକାଶ ହେଲେ ସେଠାକାର ଲୋକଙ୍କୁ ମିଛ କଥା କହି ଭୂତାଇବା କଷ୍ଟକର ହେବ। ତେଣୁ ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନର ଚିନ୍ତା ବଢ଼ିଯାଇଛି ବୋଲି ସେ କହିଛନ୍ତି। ଏଥିରେ ଭୟଭୀତ ହୋଇ ପାକିସ୍ତାନ ବିଶ୍ୱସ୍ତରରେ ଜମ୍ମୁକଶ୍ମୀର […]

raveesh-kumar

Subrat Kumar Nayak
  • Published: Friday, 09 August 2019
  • , Updated: 09 August 2019, 06:03 PM IST

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦୋହରାଇବା ସହ ଜମ୍ମୁକଶ୍ମୀରକୁ ନେଇ ପାକିସ୍ତାନ ଏତେ ପ୍ରତିକ୍ରିୟାଶୀଳ ହେବାର କାରଣ ବିଷୟରେ ଖୁଲାସା କରିଛଇ ଭାରତ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି, ଜମ୍ମୁକଶ୍ମୀରରେ ବିକାଶ ହେଲେ ସେଠାକାର ଲୋକଙ୍କୁ ମିଛ କଥା କହି ଭୂତାଇବା କଷ୍ଟକର ହେବ। ତେଣୁ ୩୭୦ ଧାରା ଉଚ୍ଛେଦ ହେବା ପରେ ପାକିସ୍ତାନର ଚିନ୍ତା ବଢ଼ିଯାଇଛି ବୋଲି ସେ କହିଛନ୍ତି। ଏଥିରେ ଭୟଭୀତ ହୋଇ ପାକିସ୍ତାନ ବିଶ୍ୱସ୍ତରରେ ଜମ୍ମୁକଶ୍ମୀର ବାବଦରେ ଅପପ୍ରଚାରରେ ଲାଗିଛି ବୋଲି ଭାରତ ପକ୍ଷରୁ କୁହାଯାଇଛି।

ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି, ଜମ୍ମୁକଶ୍ମୀରରେ ଏକ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିବାରୁ ପାକ୍ ବିରତ ରହୁ। ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଭାରତ ସହ ଦ୍ୱିପାକ୍ଷିକ କୂଟନୈତିକ ସମ୍ପର୍କ କାଟିବା ସହ ‘ସମଝୌତା ଏକ୍ସପ୍ରେସ’ ଏବଂ ‘ଥର୍‌ ଏକ୍ସପ୍ରେସ’ ଆଦିର ଚଳାଚଳ ବନ୍ଦ କରିସାରିଛି। ପାକିସ୍ତାନର ଏସବୁ ପଦକ୍ଷେପ ସବୁ ସମ୍ପୂର୍ଣ୍ଣ ଏକପାଖିଆ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ରବୀଶ କୁମାର କହିଛନ୍ତି, ଆମେ ଲକ୍ଷ୍ୟ କରୁଛୁ ପାକିସ୍ତାନ ଦେଖାଇବାକୁ ଚାହୁଁଛି ଯେ ଭାରତ ସହ ତା'ର ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହୋଇଛି। ପାକିସ୍ତାନ ଦେଖାଇବାକୁ ଚାହୁଁଛି ସତେ ଯେମିତି ଭାରତ ପକ୍ଷରୁ କିଛି ବଡ଼ ଘଟଣା ଘଟିବାକୁ ଯାଉଛି। କିନ୍ତୁ ସେମିତି କିଛି ହେବାର ନାହିଁ ବୋଲି ରବୀଶ କହିଛନ୍ତି।

ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ବାବଦରେ ସେ କହିଛନ୍ତି, ଆମେ ୩୭୦ ଉଚ୍ଛେଦର ଲାଭ ବାବଦରେ ସବୁକଥା ଉଲ୍ଲେଖ କରିସାରିଛୁ। ଏହା ସମସ୍ତ ଜମ୍ମୁକଶ୍ମୀର ଲୋକଙ୍କ ସୁଶାସନ, ସ୍ୱାସ୍ଥ୍ୟସେବା, ଜୀବନଜୀବୀକା ସମୃଦ୍ଧ କରିବ।

ରବୀଶ କହିଛନ୍ତି, “ପାକିସ୍ତାନର ବିଭିନ୍ନ ପଦକ୍ଷେପରୁ ଏହାର ହତାଶା ଭାବ ପରିଲକ୍ଷିତ ହେଉଛି। ଆମେ ଅନେକ ବିଦେଶୀ ସରକାର ଏବଂ ବିଦେଶୀ ସଂସ୍ଥାଙ୍କୁ ସ୍ପଷ୍ଟ କରି ସାରିଛୁ ୩୭୦ ଉଚ୍ଛେଦ ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଏହା ଆମ ସମ୍ବିଧାନର ସୀମା ଭିତରେ ହୋଇଛି। ପାକିସ୍ତାନ ଯେଉଁ ଚିତ୍ର ଦେଖାଇବାକୁ ଚାହୁଁଛି ପ୍ରକୃତରେ ତାହାର ଓଲଟା ହେବ। ୩୭୦ ଉଚ୍ଛେଦ ଜମ୍ମୁକଶ୍ମୀରକୁ ବିକାଶର ମାର୍ଗ ଉନ୍ମୁକ୍ତ କରିବ।”

ଜମ୍ମୁକଶ୍ମୀରବାସୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ଓ ସମୃଦ୍ଧ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ପାକିସ୍ତାନ ଏହି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇବାର ପ୍ରୟାସ କଲେ ଭାରତ ମଧ୍ୟ ତା'ର ଦୃଢ଼ ଜବାବ ଦେବାକୁ ପ୍ରସ୍ତୁତ ହୋଇ ସାରିଥିବା ରବୀଶ ସୂଚନା ଦେଇଛନ୍ତି।

ମୋବାଇଲ ଏବଂ ଇଣ୍ଟରନେଟ୍‌ କଟକଣା ବାବଦରେ ସେ କହିଥିଲେ, କିଛି ଅଘଟଣର ଆଶଙ୍କା ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା। ସ୍ଥିତି ଶାନ୍ତ ରହିଛି ଏବଂ କିଛି ଅଘଟଣ ଘଟିଥିବାର ପ୍ରମାଣ ଏଯାଏ ହସ୍ତଗତ ହୋଇନି। ଲୋକେ ଗୁଜବରେ ବିଶ୍ବାସ ନ କରିବାକୁ ସେ ଅନୁରୋଧ କରିଛନ୍ତି। ଶେଷରେ ରବୀଶ କୁମାର କହିଛନ୍ତି, "ପାକିସ୍ତାନ ବାସ୍ତବ ସ୍ଥିତିକୁ ବୁଝୁ, ଭାରତର ଅନ୍ତରୀଣ ମାମଲାରେ ମୁଣ୍ଡ ଖେଳାଇବା ବନ୍ଦ କରୁ।"

Related story