ବଦଳିଲା ଏସ୍‌ଡିଆରଏଫ୍‌ ନିୟମ, ନିରାଶ୍ରୟଙ୍କ ପାଇଁ ରାଜ୍ୟସବୁ ଖର୍ଚ୍ଚ କରିବେ ବିପର୍ଯ୍ୟୟ ଫଣ୍ଡ

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଷ୍ଟେଟ୍‌ ଡିଜାଷ୍ଟର ରିଲିଫ୍‌ ଫଣ୍ଡ (ଏସ୍‌ଡିଆରଏଫ୍‌) ନିୟମ ପରିବର୍ତ୍ତନ କରିଛନ୍ତି। ଏସ୍‌ଡିଆରଏଫ୍‌ ଅଧୀନରେ ଦିଆଯାଉଥିବା ସହାୟତା ରାଷି କେଉଁ ବାବଦରେ ଖର୍ଚ୍ଚ କରାଯିବ, ସେନେଇ ରହିଥିବା ପୂର୍ବର ନିୟମରେ ଏବେ ପରିବର୍ତ୍ତନ ଆସିଛି। ଏଣିକି ରାଜ୍ୟଗୁଡ଼ିକ ଏହି ଫଣ୍ଡରୁ ନିରାଶ୍ରୟଙ୍କ ପାଇଁ ଖାଦ୍ୟ ଓ ଅସ୍ଥାୟୀ ବାସସ୍ଥାନ ଆଦି ବ୍ୟବସ୍ଥା କରାଇବେ। ଏତଦ୍‌ବ୍ୟତୀତ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ବର୍ତ୍ତମାନର ଲକ୍‌ଡାଉନ୍‌ ସମୟରେ ଏହି ଅର୍ଥରୁ ସହାୟତା ଦିଆଯାଇପାରିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ […]

mass-exodus

Subrat Kumar Nayak
  • Published: Saturday, 28 March 2020
  • , Updated: 28 March 2020, 06:23 PM IST

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଷ୍ଟେଟ୍‌ ଡିଜାଷ୍ଟର ରିଲିଫ୍‌ ଫଣ୍ଡ (ଏସ୍‌ଡିଆରଏଫ୍‌) ନିୟମ ପରିବର୍ତ୍ତନ କରିଛନ୍ତି। ଏସ୍‌ଡିଆରଏଫ୍‌ ଅଧୀନରେ ଦିଆଯାଉଥିବା ସହାୟତା ରାଷି କେଉଁ ବାବଦରେ ଖର୍ଚ୍ଚ କରାଯିବ, ସେନେଇ ରହିଥିବା ପୂର୍ବର ନିୟମରେ ଏବେ ପରିବର୍ତ୍ତନ ଆସିଛି। ଏଣିକି ରାଜ୍ୟଗୁଡ଼ିକ ଏହି ଫଣ୍ଡରୁ ନିରାଶ୍ରୟଙ୍କ ପାଇଁ ଖାଦ୍ୟ ଓ ଅସ୍ଥାୟୀ ବାସସ୍ଥାନ ଆଦି ବ୍ୟବସ୍ଥା କରାଇବେ। ଏତଦ୍‌ବ୍ୟତୀତ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ବର୍ତ୍ତମାନର ଲକ୍‌ଡାଉନ୍‌ ସମୟରେ ଏହି ଅର୍ଥରୁ ସହାୟତା ଦିଆଯାଇପାରିବ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା କିଛି ଦିନ ଅର୍ଥାତ ଲକ୍‌ଡାଉନ୍‌ ସରିବା ଯାଏ ସମସ୍ୟାରେ ପଡ଼ିବାକୁ ଥିବା ଶ୍ରମିକଙ୍କ କଥା ଚିନ୍ତା କରି ଏହି ପଦକ୍ଷେପ ନିଆଯାଉଛି।

ଏସ୍‌ଡିଆରଏଫ୍‌ର ନୂଆ ନିୟମରେ କୁହାଯାଇଛି, “ପ୍ରବାସୀ ଶ୍ରମିକଙ୍କ ସମେତ ନିରାଶ୍ରୟଙ୍କ ପାଇଁ ଅସ୍ଥାୟୀ ରହିବା ବ୍ୟବସ୍ଥା, ଖାଦ୍ୟ, ପୋଷାକ ଏବଂ ଚିକିତ୍ସା ବ୍ୟବସ୍ଥା ଆଦି କରାଯିବ। ଏମାନେ ଲକ୍‌ଡାଉନ୍‌ ପଦକ୍ଷେପ କାରଣରୁ ବିଭିନ୍ନ ରିଲିଫ୍‌ କ୍ୟାମ୍ପ ଏବଂ ଅନ୍ୟ ସ୍ଥାନମାନଙ୍କରେ ଅଟକି ରହିଛନ୍ତି।”

ସୂଚନାଯୋଗ୍ୟ ଯେ, ବିଭିନ୍ନ ବଡ଼ ବଡ଼ ସହରରେ ଏହି ଶ୍ରମିକମାନେ ଭୟଙ୍କର ସ୍ଥିତିରେ ଅଛନ୍ତି। ସରକାର ପଦକ୍ଷେପ ନେବାକୁ ସେମାନେଆ ଭିଡିଓ ଜରିଆରେ ଆବେଦନ କରିବା ଆରମ୍ଭ କରିଛନ୍ତି। ଏପରିକି ଲୋକେ ନିଜ ଗାଁରେ ପହଞ୍ଚିବା ପାଇଁ ପାଦରେ ଚାଲିବା ଆରମ୍ଭ କରିଛନ୍ତି। କିନ୍ତୁ ବହୁ ଦୂରରୁ ଯାଇଥିବା ଲୋକେ ନିଜ ରାଜ୍ୟକୁ ଫେରିବା ଅସମ୍ଭବ ହୋଇପଡ଼ିଛି। ବସ୍‌ ଓ ଟ୍ରେନ୍‌ ଆଦିର ଚଳାଚଳ ବନ୍ଦ ରହିଥିବାରୁ ସେମାନଙ୍କ ଗମନାଗମନ ଚିନ୍ତାଜନକ ହୋଇପଡ଼ିଛି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ମାର୍ଚ୍ଚ ୨୪ ତାରିଖରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ଗତ ଶୁକ୍ରବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ, କାର୍ଯ୍ୟକ୍ଷେତ୍ରରୁ ନିଜ ନିଜ ସହରକୁ ବହୁ ସଂଖ୍ୟାରେ ଯିବାରେ ରୋକ୍‌ ଲଗାଯାଉ। ଏନେଇ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ପ୍ରବାସୀ କୃଷି ଶ୍ରମିକ, ଶିଳ୍ପ ଶ୍ରମିକ ଏବଂ ଅଣସଂଗଠିତ କ୍ଷେତ୍ରର କର୍ମଚାରୀ ଏଭଳି ବହୁ ସଂଖ୍ୟାରେ ନିଜ ରାଜ୍ୟକୁ ଫେରିବାକୁ ଆରମ୍ଭ କରିଥିବାରୁ ଏଥିରେ ରୋକ ଲଗାଯାଉ। ଏମାନଙ୍କ ରହିବା ଖାଇବା ଆଦି ବ୍ୟବସ୍ଥା କରିବାକୁ ବର୍ତ୍ତମାନ ନିର୍ଦ୍ଦେଶ ଆସିଛି।

Related story