ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ୭ ଦିନର ଡେଡ୍‌ଲାଇନ!

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ଆଇନର ଗଳାବାଟ ସହ ଖେଳୁଥିବାରୁ ଚିହିଁକି ଉଠିଛନ୍ତି କେନ୍ଦ୍ର ସରକାର। ଏଯାଏ ଚୁପ୍‌ ବସିଥିବା କେନ୍ଦ୍ର ସରକାର ଆଜି ହଠାତ୍‌ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଫାଶୀ ଦଣ୍ଡ ପାଉଥିବା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ୭ ଦିନର ଡେଡ୍‌ଲାଇନ୍‌ର ବ୍ୟବସ୍ଥା କରିବାକୁ ଆଜି କେନ୍ଦ୍ର ସରକାର ଆବେଦନ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ଏଭଳି ଆବେଦନ କରାଯାଇଛି। ନିର୍ଭୟା […]

ed

Hemant Lenka
  • Published: Wednesday, 22 January 2020
  • , Updated: 22 January 2020, 09:01 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନେ ଆଇନର ଗଳାବାଟ ସହ ଖେଳୁଥିବାରୁ ଚିହିଁକି ଉଠିଛନ୍ତି କେନ୍ଦ୍ର ସରକାର। ଏଯାଏ ଚୁପ୍‌ ବସିଥିବା କେନ୍ଦ୍ର ସରକାର ଆଜି ହଠାତ୍‌ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଫାଶୀ ଦଣ୍ଡ ପାଉଥିବା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ୭ ଦିନର ଡେଡ୍‌ଲାଇନ୍‌ର ବ୍ୟବସ୍ଥା କରିବାକୁ ଆଜି କେନ୍ଦ୍ର ସରକାର ଆବେଦନ କରିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ଏଭଳି ଆବେଦନ କରାଯାଇଛି। ନିର୍ଭୟା ଦୋଷୀମାନେ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ଜରିଆରେ ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରି ଚାଲିଛନ୍ତି। ପ୍ରଥମେ ସମସ୍ତ ୪ ନିର୍ଭୟା ଦୋଷୀଙ୍କୁ ୨୨ ତାରିଖ ସକାଳ ୭ଟାରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି ହୋଇଥିଲା।

ତେବେ ଏହାପରେ ୪ ଦୋଷୀଙ୍କ ମଧ୍ୟରୁ ୨ ଜଣ କ୍ୟୁରେଟିଭ ପିଟିସନ ଓ ଜଣେ ରାଜକ୍ଷମା ଆବେଦନ କରିଥିଲେ। ଏହି କାରଣରୁ ଡେଥ ୱାରେଣ୍ଟ ତାରିଖ ବଦଳା ଯାଇଛି। ଏବେ ଫେବୃଆରୀ ୧ରେ ସମସ୍ତଙ୍କୁ ଫାଶୀ ହେବ ବୋଲି ନିର୍ଦ୍ଦେଶ ମିଳିଛି।

ହେଲେ ଆଉ ଦୁଇ ଜଣ ଯଦି କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ କରନ୍ତି, ତା’ହେଲେ ପୁଣି ଫାଶୀ ତାରିଖ ବଦଳିବାର ଆଶଙ୍କା ରହିଛି। ଏସବୁ ଆଇନର ଗଳବାଟକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆବେଦନରେ କୁହାଯାଇଛି ଯେ ଫାଶୀ ଦଣ୍ଡ ପାଇଥିବା ଦୋଷୀର ରିଭ୍ୟୁ ପିଟିସନ ଖାରଜ ହେବା ପରେ କ୍ୟୁରେଟିଭ ପିଟିସନର ଆବେଦନ ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରାଯିବା ଦରକାର। ଏହି ସମୟସୀମା ମଧ୍ୟରେ ହିଁ ଦୋଷୀମାନେ ନିଜର ଶେଷ ଆଇନଗତ ଲଢ଼େଇର ସୁଯୋଗ ଆପଣାଇ ପାରିବେ।

କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ସଂପୃକ୍ତ କୋର୍ଟ ଡେଥ ୱାରେଣ୍ଟ ଜାରି କରିବେ। ଡେଥ ୱାରେଣ୍ଟ ଜାରି ହେବାର ୭ ଦିନ ମଧ୍ୟରେ ଜଣେ ଦୋଷୀ ଚାହିଁଲେ ରାଜକ୍ଷମା ଆବେଦନ କରିପାରିବ ବୋଲି କୋର୍ଟ ସମୟସୀମା ଧାର୍ଯ୍ୟ କରନ୍ତୁ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଆହୁରି କହିଛି ଯେ କ୍ଷମା ଆବେଦନ ଖାରଜ ହେବାର ୭ ଦିନ ମଧ୍ୟରେ ଡେଥ ୱାରେଣ୍ଟ ଜାରି କରିବା ଓ ଏହାର ୭ ଦିନ ମଧ୍ୟରେ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ସୁପ୍ରିମକୋର୍ଟ ସବୁ ଅଦାଲତ, ରାଜ୍ୟ ସରକାର, ଜେଲ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ଦରକାର।

ବର୍ତ୍ତମାନ ଯେଉଁ ଆଇନ ରହିଛି, ତା’ହା ଦୋଷୀଙ୍କୁ ସୁହାଉଛି। ତେଣୁ ଏହାକୁ ବଦଳାଇ ପୀଡ଼ିତାଙ୍କୁ ନ୍ୟାୟ ଦେବା ଭଳି ନିର୍ଦ୍ଦେଶ ମିଳିବା ଦରକାର। କେନ୍ଦ୍ର ସରକାର ୨୦୧୪ରେ ସୁପ୍ରିମକୋର୍ଟ ଶତୃଘ୍ନ ଚୌହାନ ମାମଲାରେ ଦେଇଥିବା ରାୟରେ ସଂଶୋଧନ କରିବାକୁ ମଧ୍ୟ ଦାବି କରିଛନ୍ତି। ୨୦୧୪ ଶତୃଘ୍ନ ଚୌହାନ ମାମଲାରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ରାଜକ୍ଷମା ଆବେଦନ ପରେ ଫାଶୀ ପାଇବାକୁ ଥିବା ଦୋଷୀକୁ ୧୪ ଦିନର ନୋଟିସ୍‌ ସମୟ ପରେ ହିଁ ଫାଶୀ ଖୁଣ୍ଟରେ ଝୁଲାଯିବ। ତିହାର ଜେଲ ମ୍ୟାନୁଆଲରେ ମଧ୍ୟ ରାଜକ୍ଷମା ପରେ ଜଣେ ଦୋଷୀଙ୍କୁ ୧୪ ଦିନର ସମୟ ଦେବାର ବ୍ୟବସ୍ଥା ରହିଛି।

କେନ୍ଦ୍ର ସରକାର କହିଛନ୍ତି, ବର୍ତ୍ତମାନ ଦେଶ ଏମିତି କିଛି ଅପରାଧର ସାମ୍ନାକୁ କରୁଛି, ଯେଉଁଥିରେ ଅପରାଧୀଙ୍କୁ କେବଳ ମୃତ୍ୟୁଦଣ୍ଡ ମିଳିବା ଦରକାର।
୨୦୧୨ ନିର୍ଭୟା ଘଟଣାରେ ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ କେବଳ ମୁକେଶ କୁମାର ସିଂହ ଓ ବିନୟ ଶର୍ମା କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ସେହିପରି କେବଳ ମୁକେଶ ହିଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରି ନିରାଶ ହୋଇଛି।

ଅନ୍ୟପକ୍ଷରେ ବିନୟ କୁମାରର ରାଜକ୍ଷମା ଆବେଦନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଗତବର୍ଷ ସେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିବା କୁହାଯାଉଛି। ହେଲେ ବିନୟ ନିଜେ ଏଭଳି କୌଣସି ଆବେଦନ କରି ନଥିଲା ଓ କେବଳ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲା ବୋଲି କହିଛି। ତେଣୁ ତା’ ପାଖରେ ରାଜକ୍ଷମା ଆବେଦନ ବିକଳ୍ପ ରହିଛି।

ଦୋଷୀ ପବନ ଗୁପ୍ତା ଓ ଅକ୍ଷୟ କୁମାର ସିଂହ ଏଯାଏ କ୍ୟୁରେଟିଭ ପିଟିସନ ଦାଖଲ କରି ନାହାନ୍ତି। ସେମାନେ ଫାଶୀରୁ ବଞ୍ଚିବା ପାଇଁ କ୍ୟୁରେଟିଭ ପିଟିସନ ଦାଖଲ କରିବେ ବୋଲି ଉଭୟଙ୍କ ଓକିଲ ସୂଚନା ଦେଇଛି। ଏପରି କି ସେମାନେ ପୃଥକ ପୃଥକ ଭାବେ ମଧ୍ୟ କ୍ୟୁରେଟିଭ ପିଟିସନ ଦାଖଲ କରି ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିପାରନ୍ତି। ତେଣୁ ଏଥିରେ ଉତକ୍ଷିପ୍ତ ହୋଇ କେନ୍ଦ୍ର ସରକାର ଶକ୍ତ ଆଇନ ପ୍ରଣୟନ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Related story