ନୂଆଦିଲ୍ଲୀ: ବାଜି ସାରିଲାଣି ବିଗୁଲ । ପାଖେଇ ଆସିଲାଣି ନିର୍ବାଚନ। ଖୁବ୍ ଶୀଘ୍ର ୫ ରାଜ୍ୟରେ ବିଧାନସଭା ପାଇଁ ପଡ଼ିବ ଭୋଟ। ଏହା ପୂର୍ବରୁ ଜୋର ଧରିଲାଣି ନେତାଙ୍କ ଦଳ ଡିଆଁ କାର୍ଯ୍ୟକ୍ରମ। ନେତା ତଥା କର୍ମୀ ଭୋଟରଙ୍କ ସମସ୍ୟା ବୁଝିବେ କ’ଣ ନିଜକୁ ସୁହାଇଲା ପରି ପାର୍ଟିକୁ ଡେଇଁ ଟିକେଟ ଖଣ୍ଡେ ହାତେଇବାରେ ବ୍ୟସ୍ତ।
ଏପରି ଜଣେ ନେତାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ନେତା ଜଣକ ୪୬ ଦିନ ମଧ୍ୟରେ ୩ ଥର ବଦଳାଇ ସାରିଲେଣି ପାର୍ଟି। ଡିସେମ୍ବରରେ ବିଜେପି, ଜାନୁଆରୀରେ କଂଗ୍ରେସ ତ ପୁଣି ଫେବୃଆରୀରେ ଘର ବାହୁଡ଼ା କରି ଭାଜପାକୁ ଫେରିଛନ୍ତି ପଞ୍ଜାବର କଂଗ୍ରେସ ବିଧାୟକ ବଳବିନ୍ଦର ଲଡ୍ଡି ସିଂ ।
ଗତ ନିର୍ବାଚନରେ ବଳବିନ୍ଦର କଂଗ୍ରେସ ଟିକେଟରୁ ନିର୍ବାଚନ ଜିତିଥିଲେ। ଏହାପରେ ଡିସେମ୍ବର ୨୮ରେ କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହେଲେ। ଭାଜପା ସଦସ୍ୟତା ନେଇଥିବା ବେଳେ ଟିକେଟ ଖଣ୍ଡେ ପାଇବେ ବୋଲି ଆଶା ରଖିଥିଲେ। ହେଲେ ତାହା ଫ୍ରଳପ୍ରଦ ହେଲା ନାହିଁ। ଏହାପରେ ୬ ଦିନ ପରେ ପୁଣି ଥରେ ସେ କଂଗ୍ରେସ ଫେରି ଆସିଲେ।
ଏହାପରେ ୧୧ ଫେବୃଆରୀରେ କଂଗ୍ରେସ ଛାଡ଼ି ଭାଜପା ପଳାଇ ଆସିଛନ୍ତି। ପଞ୍ଜାବର ହରଗୋବିନ୍ଦପୁରରୁ କଂଗ୍ରେସ ବିଧାୟକ ଥିବା ବଳବିନ୍ଦର ସିଂ ଲଡ୍ଡି ଗତକାଲି କଂଗ୍ରେସ ଛାଡ଼ି ଭାଜପା ସଦସ୍ୟତା ଗ୍ରହଣ କରିଛନ୍ତି। ଏହାକୁ ବଳବିନ୍ଦରଙ୍କ ଘର ବାହୁଡ଼ା କହିଛନ୍ତି ଭାଜପା ନେତା ।
୨୦୧୭ ମସିହାରେ ସେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ବଳବିନ୍ଦର ଜଣେ ବିଜନେସମ୍ୟାନ୍। ବିଧାନ ସଭାରେ ସିଟ୍ ଖଣ୍ଡେ ପକ୍କା କରିବାକୁ ସେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।