ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁକଶ୍ମୀରରେ ଦଶନ୍ଧି ଦଶନ୍ଧି ଧରି ଲାଗୁ ହୋଇଥିବା ଧାରା ୩୭୦କୁ ହଟାଇବା ନେଇ ନିଷ୍ପତ୍ତି ନେବାର ୩ଦିନ ପରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସରକାର ନେଇଥିବା ଏହି ପଦକ୍ଷେପ ଐତିହାସିକ ଏବଂ ଏହା ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ସମ୍ଭବ କରିବା ସହ ଏହାର ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିପାରିବ ବୋଲି ସେ କହିଛନ୍ତି। ଏହି ସ୍ୱତନ୍ତ୍ର ଅଭିଭାଷଣରେ ସେ କହିଛନ୍ତି ଦଳିତ ମାନଙ୍କ ପାଇଁ ସାରା ଦେଶରେ ଥିବା ଆଇନ ଜମ୍ମୁକଶ୍ମୀରରେ ଲାଗୁ ହେଉନଥିଲା। ବର୍ତ୍ତମାନ ସେମାନେ ଭାରତର ଅନ୍ୟ ରାଜ୍ୟ ପରି ଏହି ଆଇନର ସହାୟତା ନେଇପାରିବେ।
ଜମ୍ମୁ, କଶ୍ମୀର ଏବଂ ଲଦାଖରେ ନୂଆ ଯୁଗ ଆରମ୍ଭ ହୋଇଥିବା ଦର୍ଶାଇ ସେ କହିଛନ୍ତି, ଧାରା ୩୭୦ ଏବଂ ୩୫-ଏ ଜମ୍ମୁ କଶ୍ମୀରକୁ କ’ଣ ଦେଇଛି ବୋଲି ପଚାରିଲେ, କାହା ପାଖରେ ମଧ୍ୟ ତା'ର ଉତ୍ତର ନାହିଁ। ପ୍ରକୃତରେ ଏହା ବିଚ୍ଛିନ୍ନତାବାଦ, ଆତଙ୍କବାଦ, ପରିବାରବାଦ ଏବଂ ବ୍ୟବସ୍ଥିତ ଦୁର୍ନୀତି ଦେଇଛି।
ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୩୭୦ ଧାରାର ଉଚ୍ଛେଦ ଜମ୍ମୁକଶ୍ମୀରବାସୀଙ୍କ ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି କରିବ। ୩୭୦ ଧାରା ରାଜ୍ୟର କ୍ଷତି ଘଟାଉଥିଲେ ହେଁ ଏଥିପ୍ରତି କାହାର ନଜର ନଥିଲା ବୋଲି ସେ କହିଛନ୍ତି। ସେ ଉଠାଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ଘରୋଇ କ୍ଷେତ୍ରରେ ନିବେଶ, ଛାତ୍ରବୃତ୍ତି ବୃଦ୍ଧି ଏବଂ ସୁରକ୍ଷା କ୍ଷେତ୍ରରେ ଅଧିକ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଆଦି ବିଷୟ ରହିଥିଲା।
ପର୍ଯ୍ୟଟନ ବାବଦରେ ସେ କହିଛନ୍ତି, "ଲଦାଖ ଏବଂ ଜମ୍ମୁକଶ୍ମୀରରେ ବିଶ୍ୱର ସର୍ବବୃହତ୍ ପର୍ଯ୍ୟଟନ କ୍ଷେତ୍ର ହେବାର ଅପାର ସମ୍ଭାବନା ରହିଛି। ଗୋଟିଏ ସମୟ ଥିଲା କଶ୍ମୀର ବଲିଉଡ୍ ଫିଲ୍ମ ନିର୍ମାତାଙ୍କର ସବୁଠାରୁ ପ୍ରିୟ ଲୋକେସନ୍ ଥିଲା। ମୁଁ ଭାବୁଛି ଭବିଷ୍ୟତରେ ଏଠାରେ ଅନ୍ତର୍ଜାତୀୟ ଫିଲ୍ମର ଶୁଟିଂ ହେବ।"
ଜମ୍ମୁ କଶ୍ମୀର ଏବଂ ଲଦାଖରେ ସରକାର ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ନେଉଥିବା ନିଷ୍ପତ୍ତି କ୍ଷେତ୍ରରେ ପ୍ରଧାନମନ୍ତୀ ବିରୋଧୀମାନଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି। କିଏ ୩୭୦ ସପକ୍ଷରେ ବା ବିପକ୍ଷରେ ଭୋଟ୍ ଦେଇଥିଲେ ତାହା ଏବେ ଆଉ ବଡ଼ କଥା ନୁହେଁ। ବର୍ତ୍ତମାନ କଶ୍ମୀରରେ ଯେଉମାନେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି ସ୍ଥାନୀୟ ଲୋକେ ତାହାର ଜବାବ ଦେଉଛନ୍ତି। ଜମ୍ମୁକଶ୍ମୀର ଏବଂ ଲଦାଖର ସମସ୍ୟା ଆମର ମଧ୍ୟ ସମସ୍ୟା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଅଭିଭାଷଣ ଶେଷରେ ସେ ସମସ୍ତଙ୍କୁ ମୁସଲିମ୍ ସମ୍ପ୍ରଦାୟର ଅନ୍ୟତମ ବଡ଼ ପର୍ବ ଇଦ୍ ପାଇଁ ଶୁଭକାମନା ଜଣାଇଥିଲେ। ଜମ୍ମୁକଶ୍ମୀର ବାସିନ୍ଦା ଏହି ଉତ୍ସବ ଆନନ୍ଦର ସହିତ ପାଳିବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।