ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଚାନକ ପାକିସ୍ତାନ ଗସ୍ତକୁ ବିରୋଧୀ ଦଳଗୁଡିକ ସମାଲୋଚନା କରୁଥିବା ବେଳେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ସ୍ୱାଗତ କରିଛନ୍ତି। ସେ କହିଛନ୍ତି,ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ଏହି ନେତା ତାହାକୁ ଆଗେଇ ନେଉଛନ୍ତି। ଏହା ଖୁସିର କଥା। ପାକିସ୍ତାନ ସହିତ ବନ୍ଧୁତା ବୃଦ୍ଧି କରିବା ଦରକାର। ଉଭୟ ଦେଶ ମିଳିତ ଭାବେ ଆତଙ୍କବାଦ ମୂଳପୋଛ କରିବା ଉଚିତ୍।
ଆଡ଼ଭାନୀଙ୍କ ଏ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ସାଂସଦ କୀର୍ତ୍ତି ଆଜାଦଙ୍କୁ ଦଳରୁ ନିଲମ୍ବିତ କରିବା ନେଇ ବିଜେପିର ମାର୍ଗଦର୍ଶକ ମଣ୍ଡଳୀ ଅସନ୍ତୋଷ ଜାହିର କରିଛି। ଆଡଭାନୀ ମଧ୍ୟ ମାର୍ଗଦର୍ଶକ ମଣ୍ଡଳୀର ସଦସ୍ୟ ଅଛନ୍ତି । ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ (ଡିଡିସିଏ) ଦୁର୍ନୀତିରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଉପରକୁ ଅଙ୍ଗୁଳି ଉଠାଇବାରୁ ଆଜାଦଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।
ସୂଚନାଯୋଗ୍ୟ, ଆଡ଼ଭାନୀଙ୍କ ପାକିସ୍ତାନ ଗସ୍ତକୁ ନେଇ ବିବାଦ ଦେଖାଯାଇଥିଲା। ସେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସମାଧିସ୍ଥଳକୁ ମଧ୍ୟ ଯାଇଥିଲେ। ସେଠାରେ ସେ ଜିନ୍ନାକୁ ନେଇ ଦେଇଥିବା ମନ୍ତବ୍ୟ ଯୋଗୁଁ ଆରଏସଏସ ପକ୍ଷରୁ ମଧ୍ୟ ସମାଲୋଚନାର ଶିକାର ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।