ସଙ୍କଟମୋଚକ ଜେଟଲୀ

ନୂଆଦିଲ୍ଲୀ: ପରଲୋକରେ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୬୬ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଜେଟଲୀଙ୍କ ବିୟୋଗ ବିଜେପିକୁ ଚଳିତ ମାସରେ ଆଉ ଏକ ଧକ୍କା। କାରଣ ନିକଟରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଦେହାନ୍ତ ହୋଇଥିବାବେଳେ ଆଜି ବିଜେପି ଏହି ତୁଙ୍ଗ ନେତାଙ୍କୁ ସବୁଦିନ ପାଇଁ ହରାଇଛି। ମୋଦିଙ୍କ ପ୍ରଥମ ସରକାରରେ ଅର୍ଥମନ୍ତ୍ରୀ ସାଙ୍ଗକୁ ପ୍ରତିରକ୍ଷା ମନ୍ତ୍ରୀ ଓ ସୂଚନା ଲୋକସମ୍ପର୍କ ଭଳି ପ୍ରମୁଖ ବିଭାଗର […]

arun jaitley 2

Subhransu Sekhar
  • Published: Saturday, 24 August 2019
  • , Updated: 24 August 2019, 01:57 PM IST

ନୂଆଦିଲ୍ଲୀ: ପରଲୋକରେ ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୬୬ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଜେଟଲୀଙ୍କ ବିୟୋଗ ବିଜେପିକୁ ଚଳିତ ମାସରେ ଆଉ ଏକ ଧକ୍କା। କାରଣ ନିକଟରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଦେହାନ୍ତ ହୋଇଥିବାବେଳେ ଆଜି ବିଜେପି ଏହି ତୁଙ୍ଗ ନେତାଙ୍କୁ ସବୁଦିନ ପାଇଁ ହରାଇଛି। ମୋଦିଙ୍କ ପ୍ରଥମ ସରକାରରେ ଅର୍ଥମନ୍ତ୍ରୀ ସାଙ୍ଗକୁ ପ୍ରତିରକ୍ଷା ମନ୍ତ୍ରୀ ଓ ସୂଚନା ଲୋକସମ୍ପର୍କ ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ ଜେଟଲୀ। ଦଳ ଭିତରେ ଓ ବାହାରେ ଜେଟଲୀ ସବୁଆଡ଼େ ଆଦୃତ ଥିଲେ। ନିଜର ଶାନ୍ତ ସରଳ ସ୍ୱଭାବ ଏବଂ ମାର୍ଜିତ କଥାବାର୍ତ୍ତା ତାଙ୍କ ବ୍ୟକ୍ତିତ୍ୱର ଥିଲା ସ୍ୱତନ୍ତ୍ର ପରିଚୟ। ସେଥିପାଇଁ ମୋଦିଙ୍କ ପ୍ରଥମ ସରକାର ଯେତେବେଳେ ଅସୁବିଧାରେ ପଡ଼ୁଥିଲା ସେତେବେଳେ ସଙ୍କଟମୋଚକ ଭାବରେ ଜେଟଲୀ ଉଭା ହେଉଥିଲେ।

ବିମୁଦ୍ରାୟନରୁ ଜିଏସଟି

ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଥିବାବେଳେ ମୋଦି ସରକାର ୮ ନଭେମ୍ୱର ୨୦୧୬ରେ ବିମୁଦ୍ରାୟନ ନିଷ୍ପତ୍ତି ଘୋଷଣା କରିଥିଲେ। କଳାଧନ ଉପରେ ରୋକ୍ ଲଗାଇବା ପାଇଁ ମୋଦି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ ବୋଲି କୁହାଯାଏ। ଏହି ନିଷ୍ପତ୍ତି ଫଳରେ ସମସ୍ତ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯାଇଥିଲା। ବିରୋଧୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଯେତେ ସମାଲୋଚନା କରୁଥିଲେ ମଧ୍ୟ ଜେଟଲୀଙ୍କ ଅକାଟ୍ୟ ଯୁକ୍ତି ସେତେବେଳେ ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଥିଲା। ଏହାପରେ ସେ ଅର୍ଥମନ୍ତ୍ରୀ ଥିବା ବେଳେ ତାଙ୍କରି ଉପରେ ଭରସା କରି ପ୍ରଧାନମନ୍ତ୍ରୀ ସାରା ଦେଶରେ ଜିଏସଟି ଲାଗୁ କରିଥିଲେ। ଯାହାକି ମୋଦିଙ୍କ ପ୍ରଥମ ସରକାରର ଆଉ ଏକ ସଫଳତା ବୋଲି କୁହାଯାଏ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାରରେ ସଙ୍କଟମୋଚକ ସାଜିଥିବା ଅରୁଣ ଜେଟଲୀ ପେସାରେ ଜଣେ ଆଇନଜୀବୀ ଥିଲେ। ସେ ସୁପ୍ରିମକୋର୍ଟରେ ମଧ୍ୟ ଓକିଲାତି କରୁଥିଲେ। ଜେଟଲୀ କେବେ ପ୍ରତ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇ ନଥିଲେ ମଧ୍ୟ ଚଳିତ ବିଜେପି ସରକାରକୁ ଛାଡ଼ି ଦେଲେ ଅନ୍ୟ ସବୁବେଳେ ସେ ବିଜେପି ସରକାରରେ ମନ୍ତ୍ରୀ ରହିଥିଲେ।

ଖାଲି ଏତିକି ନୁହେଁ, ଦଳୀୟ ନେତାଙ୍କ ଭଳି ଦଳ ବାହାରେ ଥିବା ନେତାଙ୍କ ସହ ତାଙ୍କର ଅନ୍ତରଙ୍ଗ ସମ୍ପର୍କ ରହିଥିଲା। ସେଥିପାଇଁ ଯେବେ ବି ମୋଦି ସରକାର ଅଡ଼ୁଆରେ ପଡ଼ୁଥିଲେ, ଜେଟଲୀ ହିଁ ତ୍ରାଣକର୍ତ୍ତା ସାଜି ଉଭା ହେଉଥିଲେ। ଖାସ୍ ଏଥିପାଇଁ ଲୋକସଭା ନିର୍ବାଚନରେ ଜେଟଲୀ ଭାଗ ନେଇ ନଥିଲେ ମଧ୍ୟ ନୂଆ ସରକାର ଗଠନ ହେବା ବେଳେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଜେଟଲୀଙ୍କୁ ମନ୍ତ୍ରୀପଦ ଯଚା ଯାଇଥିଲା। ଏଥିପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେଟଲୀଙ୍କ ଘରକୁ ମଧ୍ୟ ଯାଇଥିଲେ। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ମୋଦିଙ୍କ ପ୍ରସ୍ତାବକୁ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଥିଲେ।

ଜେଟଲୀ ବିଜେପି ପ୍ରାର୍ଥୀ ଭାବେ କେବଳ ରାଜ୍ୟସଭାକୁ ଏକାଧିକ ଥର ନିର୍ବାଚିତ ହୋଇଥିଲେ। ସେ ୨୦୧୪ ସାଧାରଣ ନିର୍ବାଚନରେ ପଞ୍ଜାବ ଅମୃତସର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ ପାଖରୁ ପରାସ୍ତ ହୋଇଥିଲେ। ଏହା ପରେ ସେ ୨୦୧୪ ମେ’ ୨୬ ତାରିଖରେ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ମୋଦିଙ୍କ ପ୍ରଥମ ସରକାର (୨୦୧୪-୧୭)ରେ ଦୁଇ ପ୍ରମୁଖ ମନ୍ତ୍ରଣାଳୟ- ଅର୍ଥ ଓ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ହୋଇଥିଲେ। ଏଥିସହିତ ୨୦୧୪ରୁ ୨୦୧୬ ଯାଏ ସେ କେନ୍ଦ୍ର ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ହୋଇଥିଲେ।

 

ରାଜନୀତି ଓ ଓକିଲାତି ବ୍ୟତୀତ ସେ ବିଭିନ୍ନ ଖେଳରେ ରୁଚି ରଖୁଥିଲେ। ସେ ଭଲ ଟେବୁଲ ଟେନିସ୍‌ ମଧ୍ୟ ଖେଳୁଥିଲେ। ସେ ଦିଲ୍ଲୀ କ୍ରିକେଟ୍‌ ଆସୋସିଏସନ୍‌ର ସଭାପତି ମଧ୍ୟ ଥିଲେ।

Related story