ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ଶୀଘ୍ର ଶୁଣାଣି ସାରିବା ପାଇଁ ସପ୍ତାହକରେ ୫ ଦିନ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ଏପରି ନିଷ୍ପତ୍ତିକୁ ସମର୍ଥନ କରିନାହିଁ ମୁସଲିମ୍ ବୋର୍ଡ୍। କୋର୍ଟରେ ମୁସଲିମ ପକ୍ଷର ଓକିଲ ରାଜୀବ ଧାୱନ କହିଛନ୍ତି ଏହା କେବେ ସପ୍ତାହକର ମାମଲା ନୁହେଁ। ଲମ୍ୱା ସମୟ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ଚାଲିବ। ପ୍ରତିଦିନ ଅନେକ କାଗଜ ପତ୍ର ପଢ଼ିବା ସହ ଅନ୍ୟ କାମ ମଧ୍ୟ ରହିଛି । ତେଣୁ ମୁସଲିମ୍ ବୋର୍ଡ ୫ ଦିନିଆ ଶୁଣାଣିକୁ ସମର୍ଥନ କରିପାରୁ ନାହିଁ ବୋଲି ଓକିଲ ରାଜୀବ ଧାଓ୍ୱନ କହିଛନ୍ତି ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ସେ କହିଛନ୍ତି ମୁସଲିମ ବୋର୍ଡ ପକ୍ଷରୁ ୫ ଦିନିଆ ଶୁଣାଣି ଉପରେ ରଖାଯାଇଥିବା ଯୁକ୍ତି ବାବଦରେ କୋର୍ଟ ଆଗାମୀ ଦିନରେ ନଜର ରଖିବେ। ଜଷ୍ଟିସ୍ ଏସଏ ବୋବଡେ, ଡି ୱାଇ ଚନ୍ଦ୍ରଚୂଡ, ଅଶୋକ ଭୂଷଣ ଏବଂ ଏସ ଅବଦ୍ଦୁଲ୍ଲ ନଜୀର ମଧ୍ୟ ଏହି ଖଣ୍ଡପୀଠରେ ରହିଛନ୍ତି।
ସୂଚନାଯୋଗ୍ୟ, ଅଯୋଧ୍ୟା ମାମଲାରେ ପ୍ରଥମେ ସୁପ୍ରିମକୋର୍ଟ ମଙ୍ଗଳବାର, ବୁଧବାର, ଗୁରୁବାର ମାମଲାର ଶୁଣାଣି ହେବ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ କିନ୍ତୁ ସୁପ୍ରିମକୋର୍ଟ ଦେଶର ଏହି ସର୍ବପୁରାତନ ମାମଲାର ଶୁଣାଣି ଶୀଘ୍ର ଶେଷ କରିବା ପାଇଁ ସପ୍ତାହର ପାଞ୍ଚ ଦିନ ଶୁଣାଣି କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ନିଜର ପୂର୍ବ ପରମ୍ପରାକୁ ଭାଙ୍ଗି ଦେଇଛନ୍ତି ଏହି ମାମଲାରେ। କାରଣ ପରମ୍ପରା ଅନୁଯାୟୀ ସୁପ୍ରିମକୋର୍ଟର କୋଣସି ଖଣ୍ଡପୀଠ ସପ୍ତାହର ସର୍ବାଧିକ ତିନି ଦିନ ଶୁଣାଣି କରି ପାରିବେ ।