ତାତିଲା ନାଗା ଜନଜାତି, କହିଲା-ତୁରନ୍ତ AFSPA ହଟାଅ, ସମ୍ପୃକ୍ତ ସେନା କର୍ମୀଙ୍କୁ ଦଣ୍ଡିତ କର

ନୂଆଦିଲ୍ଲୀ: ଆସାମ ରାଇଫଲ ସେନାର ଗୁଳିମାଡ଼ରେ ନାଗାଲାଣ୍ଡର ୧୪ ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ପରେ ଥମିବାର ନାଁ ଧରୁନି ବିବାଦ । ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ସଂସଦରେ ଏହି ପ୍ରସଙ୍ଗ ଉଠାଇ ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏଥିରେ ସନ୍ତୁଷ୍ଟ ନୁହନ୍ତି ନାଗା ଜନଜାତି। ନାଗା ଜନଜାତି ପକ୍ଷରୁ ଏନେଇ ଏକ ପଞ୍ଚସୂତ୍ରୀୟ ଦାବିପତ୍ର ଜାରି କରାଯାଇଛି। ଏପରି ନାରକୀୟ କାଣ୍ଡରେ ସମ୍ପୃକ୍ତ ସେନା […]

fire

Niharika Rout
  • Published: Tuesday, 07 December 2021
  • , Updated: 07 December 2021, 11:30 AM IST

ନୂଆଦିଲ୍ଲୀ: ଆସାମ ରାଇଫଲ ସେନାର ଗୁଳିମାଡ଼ରେ ନାଗାଲାଣ୍ଡର ୧୪ ନିରୀହ ଗ୍ରାମବାସୀଙ୍କ ମୃତ୍ୟୁ ପରେ ଥମିବାର ନାଁ ଧରୁନି ବିବାଦ । ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ସଂସଦରେ ଏହି ପ୍ରସଙ୍ଗ ଉଠାଇ ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏଥିରେ ସନ୍ତୁଷ୍ଟ ନୁହନ୍ତି ନାଗା ଜନଜାତି।

ନାଗା ଜନଜାତି ପକ୍ଷରୁ ଏନେଇ ଏକ ପଞ୍ଚସୂତ୍ରୀୟ ଦାବିପତ୍ର ଜାରି କରାଯାଇଛି। ଏପରି ନାରକୀୟ କାଣ୍ଡରେ ସମ୍ପୃକ୍ତ ସେନା କର୍ମୀଙ୍କ ବିରୋରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ତୁରନ୍ତ ରାଜ୍ୟରେ ସେନା ଓ ସୁରକ୍ଷା ବଳକୁ ଦିଆଯାଇଥିବା ବିଶେଷ କ୍ଷମତାକୁ ପ୍ରତ୍ୟାହାର କରିବାକୁ ଦାବି ହୋଇଛି।

ନାଗା ଜନଜାତି ପକ୍ଷରୁ ହୋଇଥିବା ଦାବି ଅନୁଯାୟୀ, ଏହି ଘଟଣାର  ତତ୍କାଳ ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଉ। ସରକାରଙ୍କ ଦ୍ୱାରା ଗଠିତ ବିଶେଷ ଯାଞ୍ଚ ଦଳରେ ନାଗା ସମୁଦାୟରୁ ବି ୨ ସଦସ୍ୟ ରହିବା ଆବଶ୍ୟକ । ଏହି ଅପରେସନରେ ସାମିଲ ସବୁ ସେନା କର୍ମୀଙ୍କ ଉପରେ ମାମଲା ରୁଜୁ କରି ସେମାନଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ । ଅପରପକ୍ଷେ, ଏପରି ନୃଶଂସ ଘଟଣାରେ ସମ୍ପୃକ୍ତ ସେନା କର୍ମୀଙ୍କ ବିରୋଧରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ୩୦ ଦିନ ମଧ୍ୟରେ ସାର୍ବଜନୀନ କରାଯିବାକୁ ଦାବି ହୋଇଛି।

ଗତ ଶନିବାର ଘଟିଥିବା ଏପରି ନାରକୀୟ କାଣ୍ଡ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ବି ନିୟନ୍ତ୍ରଣରେ ଅଛି। ଭବିଷ୍ୟତରେ ଏପରି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ତାହା ସୁନିଶ୍ଚିତ କରିବାକୁ ଦାବି  ହୋଇଛି। ମୋନ ଜିଲ୍ଲାରୁ ଆସାମ ରାଇଫଲ୍ସକୁ ତୁରନ୍ତ ପ୍ରତ୍ୟାହାର କରିବା ଓ ପୂର୍ବୋତ୍ତର ଭାରତରୁ ସ୍ୱତନ୍ତ୍ର ବଳ ଅଧିନିୟମ  ତଥା  AFSPA ACTକୁ  ହଟାଇବାକୁ ଦାବି ଜଣାଇଛନ୍ତି ନାଗା ଜନଜାତି ଲୋକ । ମୋନା ଜିଲ୍ଲାରେ ଏହି ଗୁଳିକାଣ୍ଡ ପରେ ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ନିୟନ୍ତ୍ରଣରେ ରହିଛି।

ଘଟଣାର ଏସଆଇଟି ତଦନ୍ତ ପାଇଁ ଅମିତ ଶାହ ଘୋଷଣା କରିଥିଲେ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଥିବା ସଶସ୍ତ୍ର ବଳ ସଦସ୍ୟଙ୍କ ଉପରେ ମକଦ୍ଦମା ଚଳାଇବା ନା ନାହିଁ ସେ ନେଇ କିଛି ସ୍ପଷ୍ଟ କରି ନାହାନ୍ତି। ମିଆଁମାର ସୀମାବର୍ତ୍ତୀ ନାଗାଲାଣ୍ଡର ମୋନ୍‌ ଜିଲ୍ଲା AFSPA ACT ଅଧୀନରେ ଅଛି, ତେଣୁ ଯେତେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଅନୁମତି ନ ଦିଅନ୍ତି ସେତେ ଯାଏଁ ସେନାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। AFSPA ACT ଏପରି ନିୟମ ଯାହାକି ନାଗାଲାଣ୍ଡ ଓ ପୂର୍ବ ଭାରତର କେତେକ ରାଜ୍ୟରେ ଲାଗୁ ହୋଇଛି। ଏହି ନିୟମ ଦ୍ୱାରା ସୁରକ୍ଷା ବଳ କର୍ମୀ ବିନା ୱାରେଣ୍ଟରେ କାହାକୁ ବି ଗିରଫ କରିପାରିବେ ଓ ପୂର୍ବ ସୂଚନା ବିନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ଏହା ଏକ ବିରଳ ମାମଲା ଯେଉଁଥିରେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇବା ପାଇଁ ସେନାର ସ୍ପେଶାଲ ଫୋର୍ସ ବିରୋଧରେ ପୁଲିସ ନିଜଆଡୁ ହତ୍ୟା ମାମଲା ରୁଜୁ କରିଛି। ହେଲେ ସେମାନେ AFSPA ACT ଅଧୀନରେ ଆସୁଥିବାରୁ ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ସସପେନ୍ସରେ ରହିଛି।  ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋ ଓ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ବି ଅଫସ୍ପାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି।

ସୂଚନାଯୋଗ୍ୟ, ଶନିବାର ରାତିରେ ଭାରତ-ମ୍ୟାନମାର୍ ସୀମାରେ ଉଗ୍ରପନ୍ଥୀ କାର୍ଯ୍ୟକଳାପ ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଲାଗି ଯୋଜନା କରାଯାଇଥିଲା। ସୁରକ୍ଷା ବାହିନୀ ଓଟିଂ ଗାଁ ନିକଟରେ ଛପି ରହିଥିଲେ। ଉଗ୍ରବାଦୀଙ୍କ ଗାଡ଼ି ଭାବି ସେମାନେ ଟିରୁ-ଓଟିଂ ରାସ୍ତାରେ ଆସୁଥିବା ଏକ ଟ୍ରକ୍ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ଏହି ଗାଡ଼ିରେ ଗ୍ରାମବାସୀମାନେ ଆସୁଥିଲେ।

ଆସାମ ରାଇଫଲ ସେନାର ଗୁଳିମାଡ଼ରେ ୧୪ ଜଣ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହ ସଂପୃକ୍ତ ଅଞ୍ଚଳର ଲୋକେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ଏଥିରେ ଜଣେ ସୁରକ୍ଷା ଯବାନ ମଧ୍ୟ ପ୍ରାଣ ହରାଇଥିଲେ।

 

Related story