ଚଣ୍ଡିଗଡ଼: ପଞ୍ଜାବରେ ଜମୁଛି ନିର୍ବାଚନୀ ପ୍ରଚାର। ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ଝିଅ ରାବିୟା ବି ଏଥିରେ ସାମିଲ ହୋଇଛନ୍ତି। ସେ ତାଙ୍କ ବାପାଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଛନ୍ତି। ଆଉ ପ୍ରଚାର ମଇଦାନରେ ସେ ଖେଳିଛନ୍ତି ଇମୋଶନାଲ କାର୍ଡ। ବାପା ନ ଜିତିବା ପର୍ଯ୍ୟନ୍ତ ସେ ବାହା ହେବେନି ବୋଲି ଭୋଟରଙ୍କୁ କହିଛନ୍ତି।
ଅମୃତସର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ। ଏହି ଆସନରୁ ସିଦ୍ଧୁଙ୍କୁ କଡ଼ା ଟକ୍କର ଦେଉଛନ୍ତି ଶିରୋମଣି ଅକାଳି ଦଳ ପ୍ରାର୍ଥୀ ବିକ୍ରମ ମାଜିଥିଆ। ତେଣୁ ତାଙ୍କୁ ଟାର୍ଗେଟ କରିବାକୁ ଗୋଟିଏ ବି ସୁଯୋଗ ହାତଛଡ଼ା କରୁ ନାହାନ୍ତି ରାବିୟା।
ରାବିୟା କହିଛନ୍ତି, ନିଶା କାରବାର ନେଇ ବିକ୍ରମ ମାଜିଥିଆଙ୍କ ନାଁରେ ମାମଲା ଅଛି। ତାଙ୍କ ଗ୍ରୋସରୀ ଦୋକାନରେ ନିଶାଦ୍ରବ୍ୟ ବିକ୍ରି ହେଉଛି। ତେଣୁ କାହାକୁ ଭୋଟ୍ ଦେବା ଉଚିତ୍, ତାହା ଲୋକେ ଭଲ ଭାବେ ଜାଣିଛନ୍ତି।
[caption id="attachment_713115" align="aligncenter" width="650"]
ସେ ଆହୁରି କହିଛନ୍ତି, ଡ୍ରଗ୍ସ କବଳରୁ ଲୋକେ ନିଜ ଭବିଷ୍ୟତ ପିଢ଼ିକୁ ବଞ୍ଚାଇବାକୁ ଚାହୁଁଛନ୍ତି ନା ଡ୍ରଗ୍ସ ପଞ୍ଝାରେ ଛାଡ଼ି ଦେବାକୁ ଚାହୁଁଛନ୍ତି? ମୋ ବାପା ସତ୍ମାର୍ଗରେ ଥିବାରୁ ତାଙ୍କୁ ବହୁତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାପାଙ୍କ କଷ୍ଟକୁ ହୃଦୟଙ୍ଗମ କରିପାରୁଛି। ତେଣୁ ବାପା ନ ଜିତିବା ପର୍ଯ୍ୟନ୍ତ ମୁଁ ବାହା ହେବି ନାହିଁ।
ସୂଚନାଯୋଗ୍ୟ, ଫେବ୍ରୁଆରୀ ୧୪ରେ ପଞ୍ଜାବରେ ନିର୍ବାଚନ ହେବାର ଥିଲା। ତେବେ ପରେ ଏହାକୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ସନ୍ଥ ରବିଦାସ ଜୟନ୍ତୀ ହେତୁ ନିର୍ବାଚନ ଘୁଞ୍ଚାଇ ଦେବାକୁ ନିର୍ବାଚନ କମିଶନଙ୍କୁ ସବୁ ରାଜନୀତିକ ଦଳ ଦାବି କରିଥିଲେ। ଏହା ପରେ ନିର୍ବାଚନ ତାରିଖ ଘୁଞ୍ଚାଇ ଦିଆଯାଇଥିଲା।