ନୂଆଦିଲ୍ଲୀ: ନେପାଳକୁ ନିଜ ଆଡ଼କୁ କରିବା ପାଇଁ ଲଗାତାର ଉଦ୍ୟମ ଚଳାଇଥିବା ଚୀନକୁ ଲାଗିଛି ଏକ ବଡ଼ ଝଟକା। ଏହି ଝଟକା ଦେଇଛି ଖୋଦ୍ ନେପାଳ। ବୁଧୀ ଗଣ୍ଡାକୀ ନଦୀ ଉପରେ ଏକ ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରୋଜେକ୍ଟ ନିର୍ମାଣ ପାଇଁ ଚୀନର ଏକ କଂପାନୀ ସହିତ ହୋଇଥିବା ଚୁକ୍ତିକୁ ରଦ୍ଦ କରି ଦେଇଛନ୍ତି ନେପାଳ ସରକାର। ନେପାଳର ଉପ-ପ୍ରଧାନମନ୍ତ୍ରୀ କମଳ ଥାପା ମଙ୍ଗଳବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
କମଳ ଥାପା ଟ୍ୱିଟ୍ କରିଛନ୍ତି,“ବୁଧୀ ଗଣ୍ଡାକୀ ନଦୀ ଉପରେ ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରୋଜେକ୍ଟ ନିର୍ମାଣ କରିବା ପାଇଁ ଗେଚୋଉବା ଗ୍ରୁପ୍ ସହିତ ଯେଉଁ ଚୁକ୍ତ କରାଯାଇଥିଲା ତାହାକୁ କ୍ୟାବିନେଟ୍ ରଦ୍ଦ କରି ଦେଇଛି।” ତେବେ ଚୀନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ତାଙ୍କ ପାଖରେ ଏନେଇ ନିର୍ଦ୍ଦିଷ୍ଟ କିଛି ସୂଚନା ନାହିଁ। ନେପାଳ ଓ ଚୀନ ମଧ୍ୟରେ ଭଲ ସଂପର୍କ ରହିଛି।
ଏବେ ଏହି ପ୍ରକଳ୍ପ ନିର୍ମାଣ କରିବା ପାଇଁ ନେପାଳ କୌଣସି ଭାରତୀୟ କଂପାନୀ ସହିତ ଚୁକ୍ତି କରିପାରେ ବୋଲି କୁହାଯାଉଛି। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏବେ ଏହି ପ୍ରକଳ୍ପ କାର୍ଯ୍ୟ ଭାରତୀୟ କଂପାନୀ ଏନ୍ଏଚ୍ପିସିକୁ ମିଳିପାରେ।
ସୂଚନାଯୋଗ୍ୟ, ଏହି ପ୍ରକଳ୍ପରୁ ନେପାଳ ୧୨୦୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।