ନୂଆଦିଲ୍ଲୀ: ପାକିସ୍ତାନରେ କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କଲା ବେଳେ ତାଙ୍କ ମା’ ଓ ପତ୍ନୀଙ୍କ ସହିତ ଦୁର୍ବ୍ୟବହାର କରାଯାଇଥିଲା। ଏନେଇ ଭାରତ କଡ଼ା ପ୍ରତିକ୍ରିୟା ରଖିଛି। ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଜାରି କରିଥିବା ଏକ ବୟାନରେ କୁହାଯାଇଛି ଯେ କୁଳଭୂଷଣଙ୍କ ମା’ ଓ ପତ୍ନୀଙ୍କ ପାଇଁ ସେଠାରେ ଏକ ଭୟର ବାତାବରଣ ସୃଷ୍ଟି କରାଯାଇଥିଲା। ସେମାନଙ୍କୁ ପୋଷାକ ବଦଳାଇବାକୁ କୁହାଯାଇଥିଲା। ତାଙ୍କ ପତ୍ନୀଙ୍କୁ ମଙ୍ଗଳସୂତ୍ର ବି ଖୋଲିବାକୁ ପଡ଼ିଥିଲା। ଏପରିକି କୁଳଭୂଷଣଙ୍କ ପତ୍ନୀଙ୍କୁ ତାଙ୍କ ଜୋତା ଫେରା ଯାଇନାହିଁ। ଭାରତର ଏ ସବୁ ଅଭିଯୋଗ ପରେ ପାକିସ୍ତାନ ଏହାର ଜବାବ ରଖିଛି।
ପାକିସ୍ତାନ କହିଛି ଯେ ସୁରକ୍ଷା ଦୃଷ୍ଟି କୋଣରୁ କୁଳଭୂଷଣଙ୍କ ପତ୍ନୀଙ୍କ ଜୋତା କାଢ଼ି ନିଆଯାଇଥିଲା। କାରଣ ସେଥିରେ କିଛି ସନ୍ଦିଗ୍ଧ ଜିନିଷ ଲାଗିଥିବା ଦେଖିବାକୁ ମିଳିଥିଲା। ପାକିସ୍ତାନ ବେକାର କଥାରେ ଭାରତ ସହିତ ଶବ୍ଦ ଯୁଦ୍ଧ କରିବାକୁ ଚାହୁଁନାହିଁ।
ପାକିସ୍ତାନର ବୈଦେଶିକ ମନ୍ତ୍ରଳାୟର ମୁଖପାତ୍ର ଫୈସଲ ମହମ୍ମଦ କହିଛନ୍ତି ଯେ କୁଳଭୂଷଣ ଯାଦବଙ୍କ ପତ୍ନୀଙ୍କ ଜୋତାର ଯାଞ୍ଚ କରାଯାଉଛି।
କୁଳଭୂଷଣଙ୍କୁ ସାକ୍ଷାତ କରି ଫେରିବା ପରେ ଗତକାଲି ତାଙ୍କ ମା’ ଓ ପତ୍ନୀ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିଥିଲେ।
ଗୁଇନ୍ଦାଗିରି କରିବା ଅଭିଯୋଗରେ ପାକିସ୍ତାନର ଏକ କୋର୍ଟ କୁଲଭୂଷଣ ଯାଦବଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।